ନୂଆଦିଲ୍ଲୀ,୨୫/୦୫; କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର । ପଡିଆରେ ଟଳି ପଡିଲେ ୩୯ ବର୍ଷୀୟ କ୍ରିକେଟର । ଏକ କ୍ଲବ୍ ମ୍ୟାଚ୍ ସମୟରେ ହୃଦଘାତରେ ପୂର୍ବତନ ଦ୍ରୁତ ବୋଲର ଏସ୍ ଏଲ୍ ଅକ୍ଷୟଙ୍କ ଦେହାନ୍ତ ହୋଇଛି । ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ଅକ୍ଷୟ ବେଙ୍ଗାଲୁରୁରେ ଏକ KSCA ତୃତୀୟ ଡିଭିଜନ ଲିଗ୍ ମ୍ୟାଚରେ ସାଫାୟାର ସିସି ପାଇଁ ଖେଳୁଥିଲେ । ସେ ମ୍ୟାଚ୍ ସମୟରେ ୪ ଓଭର ବୋଲିଂ କରିଥିଲେ, କିନ୍ତୁ ହଠାତ୍ ସେ ଅସହଜ ଅନୁଭବ କଲେ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ଅକ୍ଷୟଙ୍କ ରେକର୍ଡ କ୍ୟାରିୟର- ଅକ୍ଷୟ ୨୦୧୪-୧୫ ସିଜିନରେ ରଣଜୀ ଟ୍ରଫି ଜିତିଥିବା ଦୃଢ଼ କର୍ଣ୍ଣାଟକ ଦଳର ଅଂଶ ଥିଲେ । ସେ ତାଙ୍କର ଦ୍ରୁତ ବୋଲିଂ ଦ୍ୱାରା ଘରୋଇ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏସଏଲ ଅକ୍ଷୟ ୨୦୧୧ରୁ ୨୦୧୩ ମଧ୍ୟରେ କର୍ଣ୍ଣାଟକ ପାଇଁ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, ତିନୋଟି ଲିଷ୍ଟ A ମ୍ୟାଚ୍ ଏବଂ ନଅଟି T20 ମ୍ୟାଚ୍ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ, ଅକ୍ଷୟ ୧୮ ୱିକେଟ୍ ନେଇଥିଲେ ଏବଂ ୮୯ ରନ୍ କରିଥିଲେ। ଲିଷ୍ଟ A କ୍ରିକେଟରେ, ସେ ୬ ୱିକେଟ୍ ନେଇଥିଲେ ଏବଂ ୧୧ ରନ୍ କରିଥିଲେ। T20 କ୍ରିକେଟରେ, ଅକ୍ଷର ୮ଟି ୱିକେଟ୍ ନେଇଥିଲେ ଏବଂ ୧୦ ରନ୍ କରିଥିଲେ । ଏସଏସଏଲ ଅକ୍ଷୟଙ୍କ ପରଲୋକ ଭାରତୀୟ କ୍ରିକେଟରେ ଏକ ବିରାଟ ଝଟକା ସୃଷ୍ଟି କରିଛି। ଏସଏଲ ଅକ୍ଷୟଙ୍କ କ୍ୟାରିଅର କ୍ଷଣସ୍ଥାୟୀ ଥିଲା, କିନ୍ତୁ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ଅତୁଟ ରହିଥିଲା । ଅବସର ପରେ ମଧ୍ୟ ଅକ୍ଷୟ ସକ୍ରିୟ ଭାବରେ କ୍ରିକେଟରେ ଜଡିତ ରହିଥିଲେ। ସେ କର୍ଣ୍ଣାଟକ ଅଣ୍ଡର-୧୯ ଦଳ ସହିତ ଯୁବ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଏବଂ ବିକାଶ କରିବାରେ ସକ୍ରିୟ ଭାବରେ ଜଡିତ ଥିଲେ ।
ଏହା ବି ପଢନ୍ତୁ...IPL 2026: ୩ ଖେଳାଳିଙ୍କ ମୁଣ୍ଡରେ ଚପଲ ମାରିବାକୁ କହିଲେ ଯୁବରାଜ ସିଂହ, ଦଳ ପ୍ଲେ-ଅଫ୍ରୁ ଆଉଟ୍
ଅକ୍ଷୟଙ୍କ ବିୟୋଗରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ଗଭୀର ଦୁଃଖ ପ୍ରକାଶ କରିଛି । ଏକ ବିବୃତ୍ତିରେ, KSCA କହିଛି ଯେ ଅକ୍ଷୟ ଜଣେ ଖେଳାଳି ଏବଂ ପ୍ରଶିକ୍ଷକ ଭାବରେ କର୍ଣ୍ଣାଟକ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଯୁବ କ୍ରିକେଟରଙ୍କ ବିକାଶରେ ତାଙ୍କର ଭୂମିକା ସର୍ବଦା ମନେ ରହିବ । ଅକ୍ଷୟଙ୍କ ଆକସ୍ମିକ ବିୟୋଗ ଖବର କର୍ଣ୍ଣାଟକ କ୍ରିକେଟ୍ ସମ୍ପ୍ରଦାୟ ଉପରେ ଦୁଃଖର ଛାୟା ଖେଳିଯାଇଛି । ଅନେକ ଖେଳାଳି ଏବଂ କ୍ରିକେଟ ପ୍ରଶଂସକ ସୋସିଆଲ ମଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ।