ମୁମ୍ବାଇ ୨୯/୦୧: ବଲିଉଡ୍‌ ଅଭିନେତା କାର୍ତ୍ତିକ୍‌ ଆର୍ୟନ୍‌ ବେଶ ଅଳ୍ପଦିନର ଫିଲ୍ମ କ୍ୟାରିୟରରେ ଆଗଧାଡିର ହିରୋମାନଙ୍କୁ କଡା ଟକ୍କର ଦେଉଛନ୍ତି। କାର୍ତ୍ତିକଙ୍କ ପ୍ରଶଂସକମାନେ ‘ଭୁଲଭୁଲୈୟା-୩’ ପରେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ସେ ‘ଆଶିକୀ-୩’ ରେ ନଜର ଆସିବେ ବୋଲି କୁହାଯାଉଥିଲା। ଏହି ସମୟରେ କାର୍ତ୍ତିକଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା ହେବାକୁ ଲାଗିଛି। କାର୍ତ୍ତିକ୍‌, ଆଶିକୀ-୩’ ପାଇଁ ଏଭଳି ଲୁକ୍‌ ଆପଣାଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେବାକୁ ଲାଗିଲାଣି। ନିକଟରେ ସେ ଏକ ଇଭେଣ୍ଟରେ ଯୋଗ ଦେବା ସମୟରେ ତାଙ୍କର ଏହି ଲୁକ୍‌ ଭାଇରାଲ୍‌ ହୋଇଛି।

ଏହି ସମୟରେ କାର୍ତ୍ତିକ୍‌ ପାଉଁଶିଆ ରଙ୍ଗର ଏକ ସୁଟ୍‌ ସହ ଧଳା ସାର୍ଟ ପିନ୍ଧିଥିଲେ। ତାଙ୍କର କେଶ ଓ ନିଶଦାଢି ବଢିଥିବାର ଦେଖାଯାଇଥିଲା। ‘ଆନିମଲ’ରେ ରଣବୀର କପୁର ଯେପରି ଦେଖାଯାଉଥିଲେ କାର୍ତ୍ତିକ୍‌ ଅବିକଳ ସେଭଳି ଦେଖାଯାଉଥିଲେ। କିଛିଦିନ ପୂର୍ବରୁ ଜାନୁଆରୀ ଶେଷ ଆଡକୁ ନଚେତ୍‌ ଫେବୃଆରୀ ଆରମ୍ଭରୁ ‘ଆଶିକୀ-୩’ ସୁଟିଂ ଆରମ୍ଭ ହୋଇପାରେ ବୋଲି କାର୍ତ୍ତିକ୍‌ ସୂଚନା ଦେଇଥିଲେ। ଏହାପରେ ଫିଲ୍ମରୁ ତ୍ରିପ୍ତି ଦିମରିଙ୍କୁ ବାଦ୍‌ ଦିଆଯାଇଛି ବୋଲି ଚର୍ଚ୍ଚା ହେବାକୁ ଲାଗିଲା। ତେବେ କାର୍ତ୍ତିକଙ୍କର ଏହି ଲୁକ୍‌ ଦେଖି ‘ଆଶିକୀ-୩’ ବ୍ଲକବଷ୍ଟର୍ ହେବ ବୋଲି ତାଙ୍କ ପ୍ରଶଂସକମାନେ ଏବେଠାରୁ କହିବାକୁ ଲାଗିଲେଣି।