ଭୁବନେଶ୍ୱର ୨୭/୧୦: କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ନାନ, ଦାନ ଓ ଭଗବାନ ହରି -ହରଙ୍କୁ ପୂଜା କରିବା ଦ୍ୱାରା ସମୃଦ୍ଧି, ଶାନ୍ତି ଓ ସଫଳତା  ପ୍ରାପ୍ତ ହୋଇଥାଏ । ପୁରାଣ ଅନୁସାରେ, ପ୍ରତ୍ୟେକ  ମାସର ପୂର୍ଣ୍ଣିମା ତିଥି ଅତ୍ୟନ୍ତ ଶୁଭ ଓ ପବିତ୍ରତା ବହନ  କରିଥାଏ । ଏହି ଦିନ ଭଗବାନ୍‌ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ  ବିଶେଷ ପୂଜାର୍ଚ୍ଚନା କରିବାର ବିଧାନ ରିହଛି । ଏହା ସହିତ  ପୂର୍ଣ୍ଣିମା ଦିନ ସତ୍ୟନାରାୟଣଙ୍କ କଥା ଶୁଣିଲେ ଓ ଦାନ  ପୂଣ୍ଣ୍ୟ କଲେ ବ୍ୟକ୍ତିକୁ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ ।  

ବର୍ଷକ ୧୨ ମାସର ପୂର୍ଣ୍ଣିମା ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ ଅଧିକ ବୋଲି ବର୍ଣ୍ଣନା ରହିଛି । ଏହି ତିଥିରେ୍‌  ଲକ୍ଷ୍ମୀ-ନାରାୟଣଙ୍କ ସହିତ ଶିବଙ୍କୁ ବି ବିଶେଷ ପୂଜାର୍ଚ୍ଚନା  କରାଯାଏ। ଚଳିତ ବର୍ଷ ନଭେମ୍ଭର ୫ ତାରିଖ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ପଡୁଛି । ଏହି ଦିନ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନଦାନ ଓ ଶ୍ରୀବିଷ୍ଣୁଙ୍କୁ ଆରାଧନା କଲେ ଅତ୍ୟନ୍ତ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। କୌଣସି ଶୁଭ କାର୍ଯ୍ୟ କାର୍ତ୍ତିକ ପୂର୍ଣିମା  ଦିନ ଆରମ୍ଭ କଲେ,ତାହା ଅଚିରେ ଫଳପ୍ରାପ୍ତ ହୋଇଥାଏ । 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶହେ ବର୍ଷ ପରେ  ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣମାରେ ଦୁର୍ଲ୍ଲଭ ଯୋଗ ପଡୁଛି । ଏହି ଦିନ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଅଶ୍ୱିନୀ  ନକ୍ଷତ୍ରର ବିଶେଷ ସଂଯୋଗ ରହିଛି । ଧାର୍ମିକ ଦୃଷ୍ଟିରୁ ଏହି  ଦିନକୁ ଅତ୍ୟନ୍ତ ଶୁଭ ଫଳଦାୟକ ବିଶ୍ୱାସ କରାଯାଉଛି । ଶାସ୍ତ୍ରରେ ବର୍ଣ୍ଣିତ ରହିଛି କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ୍‌  ଶିବ ତ୍ରିପୁରାସୁରକୁ ବଧ କରିଥିଲେ । ଏଥିପାଇଁ ଏହି ତିଥିକୁ  ତ୍ରିପୁରୀ ପୂର୍ଣ୍ଣିମା ତଥା ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।