ମୁମ୍ବାଇ୧୪/୦୮: ସିଜନ୍‌-୧୭ ସହିତ ପୁଣି ଥରେ ଟିଭି ପରଦାକୁ ଫେରିଛି ‘କୌନ୍‌ ବନେଗା  କରୋଡ୍‌ପତି’ । ସବୁଥର ଭଳି ଏ ଥର ବି ଶୋ’ର ସଂଚାଳନା ଦାୟିତ୍ୱ  ତୁଲାଇଛନ୍ତି ବିଗ୍‌ ବି । ଅଗଷ୍ଟ ୧୫ ତାରିଖକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ସ୍ପେଶାଲ ଏପିସୋଡ୍‌ ପ୍ରସ୍ତୁତ ହୋଇଛି । ଭାରତୀୟ ସଶସ୍ତ୍ର  ବାହିନୀ ଦ୍ୱାରା ସମ୍ପାଦିତ ଅପରେସନ୍‌ ସିନ୍ଦୂର ଉପରେ ଗଣମାଧ୍ୟମକୁ  ସୂଚନା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମହିଳା ସେନା ଅଧିକାରୀମାନେ ଏହି ଏପିସୋଡ୍‌ରେ ଟିଭି ପରଦାକୁ ଆସିବେ । 

ସୋନି ଟିଭି ଚ୍ୟାନେଲ ଦ୍ୱାରା ଶୋ’ର ପ୍ରୋମୋ ରିଲିଜ୍‌ ହୋଇଛି । ହୋଷ୍ଟ୍‌ ଅମିତାଭ ବଚ୍ଚନ ଶୋ’ରେ ଭାରତୀୟ ସେନାର କେର୍ଣ୍ଣଲ ସୋଫିଆ କୁରେଶୀ, ବାୟୁସେନାର ୱିଙ୍ଗ୍‌ କମାଣ୍ଡର ବ୍ୟୋମିକା ସିଂହ ଏବଂ ନୌସେନା କମାଣ୍ଡର ପ୍ରେରଣା ଦେଓସ୍ଥଲେଙ୍କୁ ସ୍ୱାଗତ କରିଥିବା  ଦେଖିବାକୁ ମିଳିଛି । ଏହି ସ୍ୱତନ୍ତ୍ର ଏପିସୋଡ୍‌ ସୋନି ଟିଭିରେ ଆସନ୍ତା ୧୫ ତାରିଖ  ରାତି ୯ଟାରେ ପ୍ରସାରିତ ହେବ । ଏଥିରେ ୩ ସେନାର ଅଧିକାରୀମାନେ ଅପରେସନ୍‌  ସିନ୍ଦୂର ବିଷୟରେ ଅନେକ କଥା ଶେୟାର କରିବେ । 

ପାକିସ୍ତାନ ବିରୋଧରେ  ଅପରେସନ୍‌ ସିନ୍ଦୂର କାହିଁକି ଆବଶ୍ୟକ ଥିଲା, ପ୍ରୋମୋରେ କର୍ଣ୍ଣେଲ କୁରେଶୀ ସେ ବିଷୟରେ କହିଲେ । ପାକିସ୍ତାନ ଏପରି କରିଆସୁଥିଲା । ତେଣୁ ଜବାବ ଦେବା ଆବଶ୍ୟକ ଥିଲା । ସେଥିପାଇଁ ଅପରେସନ୍‌ ସିନ୍ଦୂର ଯୋଜନା କରାଗଲା ବୋଲି ସେ କହିଲେ। ୱିଙ୍ଗ୍‌ କମାଣ୍ଡର ବ୍ୟୋମିକା ସିଂହ କହିଲେ ‘ରାତି ୧.୫ ରୁ  ୧.୩୦ ପର୍ଯ୍ୟନ୍ତ, ୨୫ ମିନିଟ୍‌ରେ ଖେଳ ଖତମ୍‌ କରିଦେଲୁ ।’ 

କମାଣ୍ଡର ପ୍ରେରଣା ଦେଓସ୍ଥଲେ କହିଲେ ‘ଟାର୍ଗେଟ୍‌ଗୁଡ଼ିକୁ (ଆତଙ୍କୀ ଠିକଣା) ଧ୍ୱଂସ କରାଯାଇଥିଲା  ଏବଂ ଜଣେ ବି ସାଧାରଣ ଲୋକଙ୍କୁ କୌଣସି କ୍ଷତି ପହଞ୍ଚିନଥିଲା ।’ କର୍ଣ୍ଣେଲ  ସୋଫିଆ ପୁଣି କହିଲେ ‘ଏହା ନୂଆ ମାନସିକତା ସହିତ ନୂଆ ଭାରତ ।’ ଦର୍ଶକ  ଓ ବିଗ୍‌ ବିଙ୍କ ‘ଭାରତ ମାତା କୀ ଜୟ’ ସ୍ଲୋଗାନ୍‌ ସହିତ ପ୍ରୋମୋ ଶେଷ ହୋଇଛି ।