ଡେରାଡୁନ୍‌,୧୬/୦୨ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗସ୍ଥିତ ପ୍ରସିଦ୍ଧ କେଦାରନାଥ ଧାମଙ୍କ କବାଟ ଆସନ୍ତା ଏପ୍ରିଲ ୨୨ ତାରିଖରେ ସକାଳ ୮ଟାରେ ଖୋଲାଯିବ । ପବିତ୍ର ମହାଶିବରାତ୍ରୀ ଅବସରରେ ପଞ୍ଚକେଦାର ଗଦୀସ୍ଥଳ ଉଖିମଠସ୍ଥିତ ଓଁକାରେଶ୍ୱର ମନ୍ଦିରରେ ବୈଦିକ ବିଧିବଧାନ ଏବଂ ତିଥି ଗଣନା ପରେ ଶୁଭ ମୁହୂର୍ତ୍ତର ଔପଚାରିକ ଘୋଷଣା କରାଯାଇଛି ।

​​​​​​​

ଚଳିତବର୍ଷର କବାଟ ବୃଷ ଲଗ୍ନରେ ଖୋଲାଯିବ, ଯାହାକି ଧାର୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଉଛି । ଚଳିତବର୍ଷର କେଦାରନାଥ ଯାତ୍ରା ଗତବର୍ଷ ଅପେକ୍ଷା ଶୀଘ୍ର ଆରମ୍ଭ ହେଉଛି । ଗତବର୍ଷ ମେ ୨ରେ କବାଟ ଖୋଲାଯାଇଥିଲା । ତାରିଖ ଘୋଷଣା ପରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପାଦଚଲା ରାସ୍ତାରୁ ବରଫ ହଟାଇବା, ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଓ ଯାତ୍ରୀମାନଙ୍କୁ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଆଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଏପ୍ରିଲ ୨୩ରେ ବଦ୍ରିନାଥ ଧାମ କବାଟ ଖୋଲାଯିବାକୁ ଥିବା ବେଳେ ଏପ୍ରିଲ ୧୯ ତାରିଖ ପବିତ୍ର ଅକ୍ଷୟ ତୃତୀୟରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର କବାଟ ଖୋଲାଯିବ।

ଏହି ଖବରଟିକୁ ପଢନ୍ତୁ- ଭାରତ ବିଶ୍ଵର ଚତୁର୍ଥ ଆର୍ଥିକ ମହାଶକ୍ତି, ସବୁ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ସରକାର, ୨୦୪୭ ସୁଦ୍ଧା ବିକଶିତ ଭାରତ