କେନ୍ଦ୍ରାପଡ଼ା,୦୪/୧୦: ତୁଳସୀକ୍ଷେତ୍ର  କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ  ତେଜିଛି । ମନ୍ଦିର ପ୍ରଶାସନ ତରଫରୁ ଯୋଗାଇ  ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ଠାକୁରଙ୍କ ପାଖରେ ଲାଗି କରି ନୀତିକାନ୍ତି  କରିବେ ନାହିଁ ବୋଲି ସେବାୟତମାନେ ଅଡ଼ି ବସିଥିଲେ । ପରେ ମନ୍ଦିର ପ୍ରଶାସନ ତରଫରୁ ନୂଆ ଘିଅ ଯୋଗାଇ ଦିଆଯିବା ପରେ ରାତି ପ୍ରାୟ ୯ଟା ବେଳକୁ ରାତ୍ରଧୂପ ବଢ଼ିଥିଲା ।  ଅନ୍ୟପକ୍ଷେ ଘିଅର ପ୍ରସ୍ତୁତି ତାରିଖ ଓ ବ୍ୟବହାର  ଅବଧି, ବ୍ୟାଚ୍‌ ନମ୍ବର ଆଦି ସମ୍ପର୍କରେ କୌଣସି  ତଥ୍ୟ ରହୁନଥିବାରୁ ବିବାଦ ସୃଷ୍ଟି ହୋଇଛି ।

ମିଳିଥିବା ତଥ୍ୟ ଅନୁସାରେ, ଓମ୍‌ଫେଡ୍‌  ତରଫରୁ ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଠାକୁରଙ୍କ  ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ  ଯୋଗାଇ ଦିଆଯାଉଛି । ଦିନକୁ ସାଢ଼େ ୩ କିଲୋ  ହିସାବରେ ମନ୍ଦିରରେ ମାସକୁ ପ୍ରାୟ ୧ କୁଇଣ୍ଟାଲ  ୧୫ କିଲୋ ଘିଅ ବ୍ୟବହୃତ ହୋଇଥାଏ । ଏ  ବାବଦକୁ ମାସକୁ ପ୍ରାୟ ୯୦ ହଜାର ଟଙ୍କା ଓମ୍‌ଫେଡ୍‌  ନେଉଛି । ଯାହାକୁ ଓମ୍‌ଫେଡ୍‌ କଟକ ୟୁନିଟ୍‌ ଆଜିକୁ  ପ୍ରାୟ ୭ ବର୍ଷ ହେବ ଯୋଗାଇ ଦେଉଛି । ପ୍ରତି ୧୫ଦିନରେ ଓମ୍‌ଫେଡ୍‌ ମନ୍ଦିର ପ୍ରଶାସନ ଜରିଆରେ  ଘିଅ ଯୋଗାଇ ଦେଇଥାଏ । ଏହା ୧୫ କେଜିଆ ଟିଣ ଡବାରେ ପ୍ୟାକିଂ ହୋଇ ଆସିଥାଏ । ଏଥିରେ  ଠାକୁରଙ୍କ ନୀତିକାନ୍ତି ସମ୍ପାଦନ କରାଯିବା ସହ  ଦୀପରେ ବ୍ୟବହାର ହୋଇଥାଏ । ଗୁରୁବାର ଦ୍ୱିପ୍ରହର  ଭୋଗ ପ୍ରସ୍ତୁତି ବେଳେ ଘିଅରୁ ଦୁର୍ଗନ୍ଧ ହେଉଥିବା  ଅଭିଯୋଗ ଉଠିଥିଲା । ଘିଅ ଡବାରେ ପ୍ରସ୍ତୁତି ତାରିଖ  ନଥିବା ବେଳେ ବ୍ୟବହାର ଅବଧି ବାବଦରେ  ସୂଚନା ନଥିଲା । ଯାହାକୁ ନେଇ ସେବାୟତ  ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ  ରାତ୍ରଧୂପ ସମୟରେ ଦୁର୍ଗନ୍ଧ ବାହାରୁଥିବା ଘିଅରେ  ନୀତିକାନ୍ତି କରିବେ ନାହିଁ ବୋଲି ସେବାୟତମାନେ  ମନା କରି ଦେଇଥିଲେ । 

ଏ ସଂକ୍ରାନ୍ତରେ ଅଭିଯୋଗ  ପାଇବା ପରେ ମନ୍ଦିର ପ୍ରଶାସନ ତରଫରୁ ତତ୍କାଳ  ନୂଆ ଘିଅ ଯୋଗାଇ ଦିଆଯାଇଥିଲା ଓ ତାପରେ  ରାତ୍ରଧୂପ ନୀତିକାନ୍ତି ସମ୍ପାଦିତ ହୋଇଥିଲା । ଏ ସଂପର୍କରେ ଦେବୋତ୍ତର ସଂସ୍ଥା ନିର୍ବାହୀ  ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି କି, ଏ ସଂକ୍ରାନ୍ତରେ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କୁ ଆମେ ଜଣାଇଛୁ । ତତ୍କାଳ  ନୀତିକାନ୍ତି ସମ୍ପାଦନ ପାଇଁ ନୂଆ ଘିଅ ଯୋଗାଇ  ଦିଆଯାଇଛି । ବାକି ରହିଯାଇଥିବା ଘିଅର ଯାଞ୍ଚ୍‌  ପରେ ବ୍ୟବହାର ସଂପର୍କରେ ନିଷ୍ପତ୍ତି ନିଆଯିବ ।