କେରଳ, ୧୬।୩ : କେରଳ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ପ୍ରଥମ ଦଳ ଭାବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ରବିବାର ନିଜର ପ୍ରାର୍ଥୀ ତାଲିକା ଜାରି କରିଛି । 'ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ' (LDF)ର ସହଯୋଗୀ ଭାବେ ସିପିଆଇ ମୋଟ୍ ୨୫ଟି ଆସନରେ ନିଜର ପ୍ରାର୍ଥୀ ଦେଇଛି । ପାର୍ଟିର ପ୍ରଦେଶ ସଚିବ ବିନୟ ବିଶ୍ୱମ ଥିରୁଅନନ୍ତପୁରମଠାରେ ଏହି ତାଲିକା ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାର୍ଟି ନିଜର ସମସ୍ତ ୪ ଜଣ ବିଦାୟୀ ମନ୍ତ୍ରୀଙ୍କୁ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ସେମାନେ ହେଲେ କେ. ରାଜନ (ଓଲ୍ଲୁର), ପି. ପ୍ରସାଦ (ଚେର୍ଥଲା), ଜେ. ଚିଞ୍ଚୁରାଣୀ (ଚଡୟମଙ୍ଗଲମ), ଜି.ଆର. ଅନିଲ (ନେଦୁମଙ୍ଗଡ) ।
ଏହା ବି ପଢ଼ନ୍ତୁ... ରାଜ୍ୟସଭା ନିର୍ବାଚନ: ବିଧାୟକ କିଣାବିକା ଅଭିଯୋଗ ମଧ୍ୟରେ ଭୋଟ୍ ଗ୍ରହଣ ଆରମ୍ଭ, ସନ୍ଧ୍ୟାରେ ଆସିବ ଫଳାଫଳ
ମହିଳା ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ:
ଏହି ୨୫ ଜଣିଆ ତାଲିକାରେ ୫ ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ସମର୍ଥନ ଜଣାଇଛି । ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଅଭିଜ୍ଞତା ଏବଂ ଯୁବ ଶକ୍ତିର ସନ୍ତୁଳନକୁ ଦୃଷ୍ଟିରେ ରଖି ଏହି ପ୍ରାର୍ଥୀ ଚୟନ କରାଯାଇଛି । ଏହାବ୍ୟତୀତ ପାର୍ଟି ପିରୁମାଡେରୁ କେ. ସଲିମ କୁମାର, ଅଦୁରରୁ ପ୍ରିଜି କନ୍ନନ ଏବଂ ଚାଥାନୁରରୁ ଆର. ରାଜେନ୍ଦ୍ରନଙ୍କ ଭଳି ନେତାଙ୍କୁ ପ୍ରାର୍ଥୀ କରିଛି । ପାରୁଭୁର ନିର୍ବାଚନ ମଣ୍ଡଳୀରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ, କାରଣ ଏଠାରେ ବିରୋଧୀ ଦଳ ନେତା ଭି.ଡି. ସତିସନ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ନିର୍ବାଚନୀ ମଇଦାନକୁ ପ୍ରଥମେ ଓହ୍ଲାଇ CPI ନିଜର ରଣନୀତି ସ୍ପଷ୍ଟ କରିଦେଇଛି । ଏବେ ଦେଖିବାକୁ ବାକି ରହିଲା କଂଗ୍ରେସ ନେତୃତ୍ୱାଧୀନ ଦ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ଏବଂ ବିଜେପି କେବେ ନିଜର ପତ୍ତା ଖୋଲୁଛନ୍ତି ।