ପୁରୀ,୧୬/୦୬: ଖଜା ଦୋକାନୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ବାନ୍ଧୁନି ଟାଉନ୍‌ ଥାନା ପୁଲିସ । ଫେରାର୍‌ ଥିବା  ଅଭିଯୁକ୍ତ କାଳୀକାଦେବୀ ସାହି ଆଚାରୀ ମଠ  ଲେନ୍‌ର ବାବୁଲି ସ୍ୱାଇଁ ଓରଫ ମୂଷା(୫୨)  ଏବେ ଘରେ ରହୁଥିବା ବେଳେ ପୁଲିସ  ତାକୁ ଗିରଫ କରୁନି। ଆକ୍ରମଣର ଶିକାର ବାଲିସାହି ସିଦ୍ଧବକୁଳ ମଠ ଲେନ୍‌ର  ଈଶ୍ୱର ସିଂହ ଏନେଇ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିକଟରେ  ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ  ୨୦ ଦିନ ବିତିଥିଲେ ମଧ୍ୟ ପୁଲିସ ମୂଷାକୁ  ଗିରଫ କରିନଥିବା ଜଣାପଡ଼ିଛି । 

ଖବର ଅନୁସାରେ ଗତ ଫେବ୍ରୁଆରୀ  ୧୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ର  କରି ମୂଷା ଓ ଈଶ୍ୱରଙ୍କ ମଧ୍ୟରେ ଝଗଡ଼ା  ଲାଗିଥିଲା । ମୂଷା ଓ ତା’ ପୁଅ ଅଭୟ  ସ୍ୱାଇଁ, ପୁତୁରା ରାଜା ସ୍ୱାଇଁ ଓ ଜ୍ୱାଇଁ ଟୁଲୁ  ପ୍ରଧାନ ସଂଘବଦ୍ଧ ଭାବେ ଆକ୍ରମଣ କରି  ଈଶ୍ୱରଙ୍କ ଅବସ୍ଥା ସଙ୍ଗିନ କରିଥିଲେ। ଲୁହା  ଚେୟାର୍‌ ମାଡ଼ରେ ଈଶ୍ୱରଙ୍କ ଡାହାଣ ଆଖି  ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିଲା ।  ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇ  ପ୍ରବଳ ରକ୍ତସ୍ରାବ ହୋଇଥିଲା । ଦୀର୍ଘ ୪  ମାସ ଧରି ଈଶ୍ୱର ଚିକିତ୍ସାଧୀନ ରହିଛନ୍ତି ।  ଏହି ଘଟଣାରେ ଟାଉନ୍‌ ଥାନା ପୁଲିସ  ହତ୍ୟା ଉଦ୍ୟମ ମାମଲା ରୁଜୁ କରି ମୂଷାର  ପୁତୁରା ଓ ଜ୍ୱାଇଁଙ୍କୁ ଗିରଫ କରିଥିଲା ।  ଉଭୟ ଜେଲ୍‌ ଯାଇଥିବା ବେଳେ ମୂଷା  ଓ ତା’ ପୁଅ ଫେରାର୍‌ ଥିଲେ । କିଛିଦିନ  ତଳେ ଜ୍ୱାଇଁ ଟୁଲୁ ଜାମିନ୍‌ ପାଇଁ ଜେଲ୍‌ରୁ  ମୁକୁଳିଥିଲା । ଫେରାର୍‌ ଥିବା ମୂଷା ମଧ୍ୟ  ଘରକୁ ଫେରିଥିଲା । ଈଶ୍ୱର ଏହି ଖବର  ପୁଲିସକୁ ଦେଇଥିଲେ । ସେପଟେ ଜାମିନ୍‌  ପାଇଁ ମୂଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା  ଈଶ୍ୱର ଅଭିଯୋଗ କରିଛନ୍ତି । ଈଶ୍ୱର ଓ  ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ  ପାଲଟା ଅଭିଯୋଗ ହୋଇଥିଲା । ପୁଲିସ  ଉକ୍ତ ମାମଲାରେଈଶ୍ୱରଙ୍କୁ ଥାନାରୁ ନୋଟିସ୍‌  ଦେଇ ଛାଡ଼ିଥିଲା । ତେବେ ଏସମ୍ପର୍କରେ  ଟାଉନ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ  ଦାସ କହିଛନ୍ତି, ମୂଷା ଏକ କିଡ୍‌ନି ରୋଗୀ ।  ଗତ ୩ ମାସ ଧରି ସେ ଲୁଚି ରହିବା  ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଛି ।  ଏବେ ସେ ଘରେ ରହି ଚିକିତ୍ସିତ ହେଉଛି ।  ସୁସ୍ଥ ହେବା ପରେ ତାକୁ ଗିରଫ କରାଯିବ।