ନୂଆଦିଲ୍ଲୀ,୧୧।୧୧: କାନାଡାରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ପରେ ଏବେ ଖଲିସ୍ତାନୀଙ୍କ ନଜର ଭାରତର ମନ୍ଦିର ଉପରେ ରହିଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରପନ୍ତଓ୍ବନ୍ତ ସିଂହ ପନ୍ନୁ ଏବେ ଅଯୋଧ୍ୟ ରାମ ମନ୍ଦିରକୁ ଟାର୍ଗେଟ କରିବାର ଧମକ ଦେଇଛି। ଏହାଛଡା ସେ କାନାଡାରେ ଥିବା ଆଉ ଦୁଇଟି ମନ୍ଦିର ବିଷୟରେ ମଧ୍ୟ ଧମକ ଦେଇଛି। ନିକଟରେ ପନ୍ନୁ ଭିଡିଓ ଜାରି କରି ଭାରତ ସରକାରଙ୍କୁ ଧମକ ଦେଇଥିଲା।
ଭିଡିଓରେ ପନ୍ନୁ ଅଯୋଧ୍ୟକୁ ‘ହିଂସ୍ରକ ହିନ୍ଦୁତ୍ବ ବିଚାରଧାରାର ଜନ୍ମସ୍ଥଳୀ’ ବୋଲି କହିଛି। ଭିଡିଓରେ ଖଲିସ୍ତାନ ସମର୍ଥକଙ୍କୁ ଏହା କୁହାଯିବାର ଶୁଣାଯାଉଛି ଯେ, କାନାଡା ଅଯୋଧ୍ୟା ନୁହେଁ। ଆରଏସଏସ୍, ବଜରଙ୍ଗ ଦଳ, ବିଜେପିର ଲୋକ କାନାଡାରେ ଗୁରୁଦ୍ବାର ସାହେବ ଉପରେ ଆକ୍ରମଣ ଚେଷ୍ଟା କରିଛନ୍ତି। ଏବେ ଆମେ ଆପଣଙ୍କ ଅଯୋଧ୍ୟାର ମୂଳଦୁଆ ଦୋହଲାଇବାକୁ ଯାଉଛୁ।’
ଭିଡିଓରେ ପନ୍ନୁ ହିନ୍ଦୁ ସଭା ମନ୍ଦିର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କୁ ମଧ୍ୟ ଧମକ ଦେଇଛି। ସେ କହିଛି, ଘରେ ପଶି ମାରିବୁ ନାରା ଦେଉଥିବା ଓ ଖଲିସ୍ତାନୀ ସମର୍ଥକଙ୍କ ରାଲି ଉପରେ ଆକ୍ରମଣ କରିଥିବା ହିନ୍ଦୁ ସଭା ମନ୍ଦିରର ସମର୍ଥକ, ତୁମେ ସବୁ ୧୯୮୪ ଡେଥ୍ ସ୍କ୍ବାର୍ଡର ସନ୍ତାନ, ଯିଏକି ଶିଖ୍ ନରସଂହାର କରିଛି। ଯଦି ଆମେ କୌଣସି କାନାଡୀୟ-ଭାରତୀୟକୁ ତୀରଙ୍ଗା ଉଡାଉଥିବାର ଦେଖିବୁ ସେତେବେଳେ ଆପଣଙ୍କୁ ଶିଖ୍ କିମ୍ବା କାନାଡାର ଶତ୍ରୁ ବୋଲି ମନେ କରାଯିବ। ମନେ ରଖିବା ଦରକାର ଯୁଦ୍ଧ ଖଲିସ୍ତାନ ସମର୍ଥକ ଓ ଭାରତ ସରକାରଙ୍କ ଭିତରେ ହେଉଛି। ଭାରତୀୟ-କାନାଡୀୟ ଦୂରେଇ ରୁହ ଓ ସୁରକ୍ଷିତ ରୁହ। ଭାରତୀୟ-କାନାଡୀୟ କାନାଡା ସହ ବିଶ୍ବସ୍ଥ ରୁହ, ନଚେତ କାନାଡା ଛାଡି ଦିଅ।’