ଭୁବନେଶ୍ୱର,୨୩/୦୧: ଐତିହାସିକ ଖଣ୍ଡଗିରି-ଉଦୟଗିରି ମେଳାକୁ ଆଉ ମାତ୍ର ୨ଦିନ ରହିଲା । ମେଳାରେ ଯୋଗଦେବାକୁ ଖଣ୍ଡଗିରିକୁ ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି । ସାଧୁମାନେ ଏଠାକୁ ଆସି ନିଜନିଜ ଆସ୍ଥାନ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ହେଲେ ଏପର୍ଯ୍ୟନ୍ତ ଖଣ୍ଡଗିରି ଉପରେ ଥିବା ଗୁମ୍ଫାରୁ ତାଲା ଫିଟିନି । ଯାହାକୁ ନେଇ ମା’ ବାରଭୁଜା ମନ୍ଦିର ପରିଚାଳନା କମିଟି ଓ ସାଧୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ସାଧୁମାନେ ଆସି ଅନନ୍ତ ଗୁମ୍ଫା, ତେନ୍ତୁଳି ଗୁମ୍ଫା, ବାରଭୂଜି ଗୁମ୍ଫା, ଅମ୍ବିକା ଗୁମ୍ଫାରେ ରୁହନ୍ତି । ସେଥିପାଇଁ ଏହାକୁ ଆଗୁଆ ଖୋଲିଦିଆଯାଏ । ହେଲେ ଏବର୍ଷ ଗୁମ୍ଫା ଖୋଲିନଥିବାରୁ ସାଧୁମାନେ ଖରା, କାକରରେ ବାହାରେ ବସିଛନ୍ତି ।

ଜଣେ ନାଗାବାବା ଅଜିତ ଗିରି କହିଛନ୍ତି, ସେ ମା’ ବାରଭୁଜାଙ୍କ ପୀଠକୁ ଆସୁଛନ୍ତି । ଏଠାରେ ଯଜ୍ଞ କରୁଛନ୍ତି । ଖଣ୍ଡଗିରି ହେଉଛି ଗିରି ଗୋବର୍ଦ୍ଧନର ଖଣ୍ଡେ ଓ ସାଧୁସନ୍ଥଙ୍କ ପୀଠସ୍ଥଳ । ତେଣୁ ଏଠାରେ ଆସି ଯଜ୍ଞ କଲେ ବିଶ୍ୱର କଲ୍ୟାଣ ହୁଏ । ସେହିପରି ଖଣ୍ଡଗିରିରେ ଗୁପ୍ତଗଙ୍ଗା, ଆକାଶ ଗଙ୍ଗା ଓ ଶ୍ୱେତଗଙ୍ଗା ଅଛି । ଏଠାରେ ଦେବସଭା ମଧ୍ୟ ରହିଛି। ତେଣୁ ଏହି ସ୍ଥାନରେ ଆସି ଜପ କଲେ ମଣିଷକୁ ସାନିଧ୍ୟ ମିଳେ ବୋଲି କହିଛନ୍ତି । ଗତବର୍ଷ ଷ୍ଟାଣ୍ଡିଂ ବାବା, ଜୁନା ଆଖଡ଼ାର କମାଣ୍ଡୋ ଫୌଜିବାବା, ହିମାଳୟର ବର୍ଫାନୀ ବାବା, ଷ୍ଟାଇଲିସ୍ ନାଗା ଜଗନ୍ନାଥ ଗିରିଙ୍କ ଭଳି ସାଧୁମାନେ ଆସିଥିଲେ । ସେମାନଙ୍କୁ ଦେଖିବାକୁ ଖଣ୍ଡଗିରିରେ ଭିଡ଼ ଜମିଥିଲା । ହେଲେ ଏପର୍ଯ୍ୟନ୍ତ ଏମାନେ ଆସିନାହାନ୍ତି ।

ଆହୁରି ପଢ଼ନ୍ତୁ:- ଦୁଲୁକିବ ପେଣ୍ଡାଲ୍, କମ୍ପିବ ମଞ୍ଚ: ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା, ଭିଡିଓ କରିପାରିବେନି ୟୁଟ୍ୟୁବର