ଭୁବନେଶ୍ୱର, ୧୩/୦୧ : ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା। ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇହଜାର ଚୌକି ପଡ଼ିବ। ଯାତ୍ରା ପରିବେଷଣ ବେଳେ ଦର୍ଶକମାନେ ଯେପରି ବସିବା ଓ ଯାତାୟାତରେ କୌଣସି ବାଧକ ନଆସିବ ସେଦିଗରେ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ବୈଠକରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ଜୋର ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରାଯିବ। ଖଣ୍ଡଗିରି ମେଳା ପୂର୍ବରୁ ସୋମବାର ୭ଟି ଯାତ୍ରା କମିଟି ଓ କମିଶନରେଟ୍ ପୁଲିସ ମଧ୍ୟରେ ବସିଥିବା ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ୭ଟି କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ମେଳା ଓ ଯାତ୍ରା ପରିବେଷଣ ବେଳେ ଉପୁଜୁଥିବା ସମସ୍ୟା ବାବଦରେ ପୁଲିସକୁ ଅବଗତ କରିଥିଲେ।
ସବୁ ମଣ୍ଡପରେ ଅଢେଇ ହଜାର ଚୌକି ପଡ଼ିବ
ଶୃଙ୍ଖଳିତ ଯାତ୍ରା ଉପରେ କମିଟି ସବୁବେଳେ ଗୁରୁତ୍ୱ ଦେଇଆସୁଛି। କମିଟିର ସ୍ୱେଚ୍ଛାସେବୀମାନେ ମଧ୍ୟ ବହୁତ ପରିଶ୍ରମ କରିଥାନ୍ତି। କେମିତି ଦର୍ଶକ ଆସି ଚୌକିରେ ବସିବେ, ଯାତ୍ରା ଦେଖିବେ ସେଦିଗରେ ସଚେତନ ଥାଆନ୍ତି ବୋଲି କମିଟି କର୍ମକର୍ତ୍ତାମାନେ କହିଥିଲେ । ଏଥରକ ବି ମେଳା ଶାନ୍ତି, ଶୃଙ୍ଖଳାରେ କେମିତି ହେବ, ସେଉପରେ କର୍ମକର୍ତ୍ତାମାନେ କାମ କରିବେ। ମେଳା, ଯାତ୍ରା ବେଳେ ଲୋକଙ୍କ ପାଇଁ ଆବଶ୍ୟକ ମୋବାଇଲ ଟଏଲଟ ସହ ପାର୍କିଂ ବ୍ୟବସ୍ଥା ପାଇଁ ବିଏମସି ସହ ଆଲୋଚନା ହେବ। ପୁଲିସ ବି ରାସ୍ତାରେ ପଇନ୍ତରା ମାରିବା ସହ ବିଶୃଙ୍ଖଳା ଉପରେ ନଜର ରଖିବ ।
ଯାତ୍ରା ପରିବେଷଣର ଭିଡ଼ିଓ ଉତ୍ତୋଳନକୁ ଜଗିବ କମିଟି
ବଡ଼କଥା, ଯାତ୍ରା ମଞ୍ଚସ୍ଥ ହେଉଥିବା ବେଳେ କିଛି ୟୁଟୁବର ତଥା ପିଲାମାନେ ହାତରେ ମୋବାଇଲ ଧରି ନାଟକର ଦୃଶ୍ୟକୁ ଭିଡିଓ କରି ଭାଇରାଲ କରାନ୍ତି । ଫଳରେ ଯେଉଁମାନେ ନାଟକ ଦେଖିବାକୁ ଆସିବା ପାଇଁ ଇଚ୍ଛା କରିବେ, ସେମାନେ ଭିଡିଓ ଦେଖି ଘରେ ରହୁଛନ୍ତି । ତେଣୁ ଏଥରକ ଯାତ୍ରା ମଞ୍ଚ ତଳେ କମିଟିର ସଦସ୍ୟମାନେ ଏହିଦିଗ ଉପରେ ନଜର ଦେବେ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକରେ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଖଣ୍ଡଗିରି ଥାନା ପୁଲିସ, କର୍ପୋରେଟର ଅଶ୍ୱିନୀ ସୁନ୍ଦରାୟ, ହିମାଂଶୁ ଛୋଟରାୟ, ନୃସିଂହ ସୁନ୍ଦରାୟ, କୃଷ୍ଣଚନ୍ଦ୍ର ଜେନା, ରଘୁନାଥ ମହାନ୍ତି, ଚତୁର୍ଭୁଜ ମାଝୀ, ବାନାମ୍ବର ହାଟୁଆ, ଅଜୟ ପଟ୍ଟନାୟକ, ତପନ ଜେନା, ଅଶୋକ ଜେନା, ଗୁଗୁଲି ରଣସିଂ ଓ ଦିନବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଖବରଟିକୁ ପଢନ୍ତୁ- ୨୫ରୁ କୁମ୍ଭମେଳା, ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ପ୍ରକମ୍ପିତ ହେବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗହ୍ୱର