ନୂଆଦିଲ୍ଲୀ,୧।୧: ଗୁରୁବାର ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ପୁଣି ଥରେ ଉଗ୍ର ରୂପ ନେଇଛି। ୟୁକ୍ରେନର ଖେରସନ ଅଞ୍ଚଳର ଏକ ରୁଷ ଅଧିକୃତ ଗାଁରେ ନୂଆ ବର୍ଷ ପାଳନ କରୁଥିବା ଲୋକଙ୍କୁ ଟାର୍ଗେଟ କରି ଏକ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ରୁଷ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଖେରସନ ଅଞ୍ଚଳର ରୁଷ ସମର୍ଥକ ପ୍ରଶାସକ ଭ୍ଲାଦିମିର ସାଲଡୋ ଟେଲିଗ୍ରାମରେ କହିଛନ୍ତି ଯେ, ‘ବ୍ଲାକ ସି’ ରିସର୍ଟ ସହର ଖୋର୍ଲିରେ ଏକ କାଫେ ଏବଂ ଏକ ହୋଟେଲକୁ ୟୁକ୍ରେନ୍ ପକ୍ଷରୁ ଟାର୍ଗେଟ କରାଯାଇଛି। ସେ କହିଛନ୍ତି ,ଗୋଟିଏ ଡ୍ରୋନ୍ ଜ୍ୱଳନଶୀଳ ସାମଗ୍ରୀ ବହନ କରୁଥିଲା, ଯାହା ଫଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଅନେକ କ୍ଷତି ଏବଂ ମୃତାହତ ସଂଖ୍ୟା ବଢି ଯାଇଛି।
ଡ୍ରୋନ୍ ଆକ୍ରମଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ନାହିଁ
ଏହି ଘଟଣା ଉପରେ ବରିଷ୍ଠ ରୁଷିଆନ୍ ରାଜନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଂସଦର ଉଚ୍ଚ ସଦନ ଫେଡେରେସନ୍ କାଉନସିଲର ବାଚସ୍ପତି ଭାଲେଣ୍ଟିନା ମାଟଭିୟେଙ୍କୋ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି କହିଛନ୍ତି, ଏପରି ଘଟଣା ରୁଷର ସାମରିକ ଉଦ୍ଦେଶ୍ୟକୁ ଶୀଘ୍ର ହାସଲ କରିବା ପାଇଁ ସଂକଳ୍ପକୁ ମଜବୁତ କରେ। ତଥାପି, ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ୟୁକ୍ରେନ ପକ୍ଷରୁ ତୁରନ୍ତ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ।
ରୁଷର ବଡ଼ ଦାବି
ଏହି ସମୟରେ ରୁଷ ଏହା ମଧ୍ୟ ଦାବି କରିଛି ଯେ ୟୁକ୍ରେନ ଉତ୍ତର-ପଶ୍ଚିମ ରୁଷରେ ଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରୀ ବାସଭବନକୁ ଏକ ଦୂରଗାମୀ ଡ୍ରୋନ ସାହାଯ୍ୟରେ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ , ଡ୍ରୋନର ନାଭିଗେସନ୍ ସିଷ୍ଟମରୁ ମିଳିଥିବା ତଥ୍ୟ ସୂଚାଇଛି ଯେ, ପୁଟିନଙ୍କ ବାସଭବନ ଟାର୍ଗେଟ ଥିଲା, ଯଦିଓ ଏହି ଦାବି ସମର୍ଥନରେ କୌଣସି ପ୍ରମାଣ ସାର୍ବଜନୀନ କରାଯାଇ ନାହିଁ।
ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବା ପାଇଁ ଏକ ଷଡ଼ଯନ୍ତ୍ର
କିଭ ଏହି ଅଭିଯୋଗଗୁଡ଼ିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। କହିଛି, ଚାଲିଥିବା ଶାନ୍ତି ଆଲୋଚନାକୁ ବିଫଳ କରିବା ପାଇଁ ଏକ ଷଡ଼ଯନ୍ତ୍ର । ୟୁକ୍ରେନିଆର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ନୂତନ ବର୍ଷର ବାର୍ତ୍ତାରେ କହିଛନ୍ତି ଯେ ଶାନ୍ତି ଚୁକ୍ତିନାମା ପ୍ରାୟ୯ ୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି, କିନ୍ତୁ କ୍ଷେତ୍ରୀୟ ବିବାଦ ସମେତ ବାକି ୧୦ ପ୍ରତିଶତ ପ୍ରସଙ୍ଗ ୟୁକ୍ରେନ ଏବଂ ସମଗ୍ର ୟୁରୋପର ଭବିଷ୍ୟତ ନିର୍ଣ୍ଣୟ କରିବ। ଏହି ସମୟରେ, ୟୁକ୍ରେନୀୟ ବାୟୁସେନା ରାତାରାତି ରୁଷ ଦ୍ୱାରା ଉଡ଼ାଣ କରାଯାଇଥିବା ୨୦୫ ଡ୍ରୋନ ମଧ୍ୟରୁ ୧୭୬ ଟିକୁ ଖସାଇ ଦେଇଥିବା କିମ୍ବା ନିଷ୍କ୍ରିୟ କରିଥିବା ଦାବି କରିଛି। ରିପୋର୍ଟ ଅନୁଯାୟୀ, ୨୪ଟି ଡ୍ରୋନ ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ଖସି ପଡ଼ିଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।