ପାଟନା: ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ପତ୍ନୀ ଚନ୍ଦା ଦେବୀ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ଆରଜେଡି ଟିକେଟରେ ଛପରା ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଖେସାରୀ ଲାଲ ଯାଦବଙ୍କ ମ୍ୟାନେଜର ସୋନୁ ପାଣ୍ଡେ ଏହା ସ୍ପଷ୍ଟ କରିଛନ୍ତି।
ସୋନୁ ପାଣ୍ଡେ କହିଛନ୍ତି ଯେ, ଚନ୍ଦା ଦେବୀ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ସେ ତାଙ୍କ ସହିତ ଆସନ୍ତାକାଲି (ଗୁରୁବାର, ଅକ୍ଟୋବର ୧୬, ୨୦୨୫) ପାଟନା ଯିବେ। ସେତେବେଳେ ଏହା ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । ବୁଧବାର (ଅକ୍ଟୋବର ୧୫, ୨୦୨୫) ଖେସାରୀ ଲାଲ ଯାଦବ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ପତ୍ନୀଙ୍କୁ ନିର୍ବାଚନ ଲଢ଼ନ୍ତୁ ବୋଲି ସେ ଚାହାଁନ୍ତି । କିନ୍ତୁ ସେ (ତାଙ୍କ ପତ୍ନୀ) ବର୍ତ୍ତମାନ ଇଚ୍ଛା ପ୍ରକାଶ କରୁନାହାନ୍ତି।
ଖେସାରୀ କହିଥିଲେ, ‘ମୁଁ ଚାହୁଁଛି ମୋ ସ୍ତ୍ରୀ ନିର୍ବାଚନ ଲଢ଼ନ୍ତୁ, ମୁଁ ତାଙ୍କୁ ଗତ ୪ ଦିନ ଧରି ବୁଝାଇବାକୁ ଚେଷ୍ଟା କରୁଛି। ଯଦି ସେ ରାଜି ହୁଅନ୍ତି ତେବେ ଆମେ ନାମାଙ୍କନ ଦାଖଲ କରିବୁ । ନଚେତ୍ ମୁଁ କେବଳ ପ୍ରଚାର କରିବି ଏବଂ ତେଜସ୍ୱୀ ଯାଦବଙ୍କୁ ଜିତାଇବାକୁ ଚେଷ୍ଟା କରିବି।’
ଛପରା ବିଧାନସଭା ଆସନରେ ବିଜେପିର ଦବଦବା ରହିଆସିଛ । ସିଏନ ଗୁପ୍ତା ବର୍ତ୍ତମାନ ଏହି ଆସନରୁ ବିଧାୟକ ଅଛନ୍ତି। ସେ ଗତ ଦୁଇଟି ନିର୍ବାଚନରେ ଏହି ଆସନରୁ ଲଢ଼ିଥିଲେ, କିନ୍ତୁ ଏଥର ଦଳ ତାଙ୍କର ଟିକେଟ୍ କାଟି ଦେଇଛି । ଏଥର ଛୋଟି କୁମାରୀଙ୍କୁ ସୁଯୋଗ ଦିଆଯାଇଛି । ଛପରା ନିର୍ବାଚନମଣ୍ଡଳୀରେ ଯାଦବ, ରାଜପୁତ, ବ୍ରାହ୍ମଣ, ବାନିଆ ଏବଂ ମୁସଲିମ ଭୋଟର ଅଧିକ ।
୨୦୨୦ ନିର୍ବାଚନରେ ସିଏନ ଗୁପ୍ତା ୭୫,୭୧୦ ଭୋଟ ପାଇଥିଲେ। ଆରଜେଡି ଦ୍ୱିତୀୟ ସ୍ଥାନରେ ରହିଥିଲା । ରଣଧୀର କୁମାର ସିଂହ ଆରଜେଡି ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ୬୮,୯୩୯ ଭୋଟ ପାଇଥିଲେ। ଏହାର ଅର୍ଥ ହେଉଛି, ବିଜେପି ଏବଂ ଆରଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ପାର୍ଥକ୍ୟ ବହୁତ ଅଧିକ ନଥିଲା। ଖେସାରୀ ଲାଲ ଯାଦବ ଛପରା ଜିଲ୍ଲାର ବାସିନ୍ଦା ଏବଂ ତାଙ୍କର ପ୍ରଶଂସକ ସଂଖ୍ୟା ବହୁତ ଅଧିକ। ନିର୍ବାଚନରେ ତାଙ୍କର ଲୋକପ୍ରିୟତା କେତେ କାମ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିବ ।