ମୁମ୍ବାଇ ୦୮/୦୪: ଏ ବର୍ଷ ମେଟ୍‌ ଗାଲାରେ ଡେବ୍ୟୁ କରିବେ ବଲିଉଡ୍‌ ଷ୍ଟାର୍‌ କିଆରା ଆଡ଼ଭାନି । ଆସନ୍ତା ମେ’ ୫ ତାରିଖରେ ସମଗ୍ର ବିଶ୍ୱର ସେଲିବ୍ରିଟିଙ୍କ ସହିତ ଏହି ଭବ୍ୟ ଫ୍ୟାଶନ୍‌ ମଞ୍ଚରେ ସେ ପାଦ ଥାପିବେ । ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍‌ ମ୍ୟୁଜିୟମ୍‌ରେ ଏହି ବିଶ୍ୱପ୍ରସିଦ୍ଧ ଫ୍ୟାଶନ୍‌ ମେଳା ଅନୁଷ୍ଠିତ ହେବ । କିଆରା ଗତ ବର୍ଷ କାନ୍‌ରେ ପଦାର୍ପଣ କରିଥିଲେ । ସେଠାରେ ସେ ରେଡ୍‌ ସି ଫିଲ୍ମ ଫାଉଣ୍ଡେସନ୍‌ର ୱିମେନ୍‌ ଇନ୍‌ ସିନେମା ଗାଲା ଡିନର୍‌ରେ ଯୋଗ ଦେଇଥିଲେ । ଏବେ ମେଟ୍‌ ଗାଲାରେ ପଦାର୍ପଣ ବୈଶ୍ୱିକ ମଞ୍ଚରେ ତାଙ୍କ ଉପସ୍ଥିତିକୁ ସୁଦୃଢ଼ କରିବ ।

ଏହା ପୂର୍ବରୁ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରା ମେଟ୍‌ ଗାଲାରେ ଦମ୍‌ଦାର ଉପସ୍ଥିତି ମାଧ୍ୟମରେ ଭାରତୀୟ ଫ୍ୟାଶନ୍‌କୁ ବିଶ୍ୱ ଦରବାରକୁ ଆଣିଥିଲେ । ଇତିମଧ୍ୟରେ କିଆରା ମା’ ହେବାକୁ ଯାଉଥିବା ଖବର ଖୁବ୍‌ ଚର୍ଚ୍ଚାରେ ରହିଛି । ଗତ ଫେବ୍ରୁଆରୀରେ କିଆରାସିଦ୍ଧାର୍ଥ ଏହି ଖୁସି ଖବର ଫ୍ୟାନ୍‌ଙ୍କୁ ଦେଇଥିଲେ । ସେବେଠୁ ଉଭୟଙ୍କୁ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି ।