ସିଓଲ,୧୨।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଖୁବ୍ ଶୀଘ୍ର ଘୋଷଣା କରିବେ ତାଙ୍କ ଉତ୍ତରାଧିକାରୀ। ସେ ତାଙ୍କ ଝିଅ କିମ୍ ଜୁ ଏଙ୍କ ହାତରେ ଦେବାକୁ ଯାଉଛନ୍ତି ଦେଶର ଶାସନ ଭାର। ଏନେଇ ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା, ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ସର୍ଭିସ୍ (NIS) ଆଜି ସଂସଦର ଏକ ରୁଦ୍ଧଦ୍ୱାର ବ୍ରିଫିଙ୍ଗରେ ଏହା ଘୋଷଣା କରିଛି। ଏନ୍ଆଇଏସ୍ କହିଛି ଯେ,୧୨ ବର୍ଷୀୟ କିମ୍ ଜୁ ଏ ଏବେ ‘ଉତ୍ତରାଧିକାରୀ ନିଯୁକ୍ତି ପର୍ଯ୍ୟାୟ’ରେ ପହଞ୍ଚିଛନ୍ତି। ଏହାର ଅର୍ଥ ହେଉଛି ଉତ୍ତର କୋରିଆରେ କିମ୍ ପରିବାରର ଚତୁର୍ଥ ପିଢ଼ିକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।ଉତ୍ତର କୋରିଆର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ତଥା ଶତ୍ରୁ ପଡ଼ୋଶୀ ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ଏହା ସୁନିଶ୍ଚିତ କରିଛି। ଖୁବ୍ ଶୀଘ୍ର କିମ୍ ଜୋଙ୍ଗ ଉନ୍ ତାଙ୍କ ଝିଅ ଜୁ ଏଙ୍କୁ ଭବିଷ୍ୟତର ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିବାକୁ ଯାଉଛନ୍ତି।
କିମ୍ ପରିବାର ଦଶନ୍ଧି ଧରି ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନ କରୁଛି। ଏବେ କିମ୍ଙ୍କ ଝିଅ ଜୁ ଏଙ୍କୁ ଦୀର୍ଘ ଦିନ ଧରି ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ବିବେଚନା କରାଯାଉଛି। ଅନେକ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ବୃଦ୍ଧି ପାଉଛି। ଜୁ ଏ ଖୁବ୍ ଶୀଘ୍ର ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ସାଂସଦ ଲି ସଙ୍ଗ-କ୍ୱନ୍ ଏକ ସଂସଦୀୟ ବୈଠକ ପରେ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି, ଏହି ମୂଲ୍ୟାଙ୍କନ ଅନେକ କାରଣ ଉପରେ ଆଧାରିତ, ଯେପରିକି ସରକାରୀ କାର୍ଯ୍ୟକ୍ରମରେ ଜୁ ଏଙ୍କ ଉପସ୍ଥିତି ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ଗତ ବର୍ଷ କହିଥିଲା ଯେ, ଜୁ ଏ ତାଙ୍କ ବାପାଙ୍କ ସହ ବେଜିଂ ଗସ୍ତ କରିବା ପରଠାରୁ ତାଙ୍କୁ ପରବର୍ତ୍ତୀ ନେତା ଭାବରେ ବିବେଚନା କରାଯାଇଥିଲା। ଏହି ସମୟରେ ସେ ବୁଲେଟ୍ପ୍ରୁଟ୍ ଟ୍ରେନ୍ରେ ବେଜିଂରେ ପହଁଞ୍ଚିଥିଲେ ଓ ସେନା ପରେଡ୍ରେ ସାମିଲ ହୋଇଥିଲେ। ଚଳିତ ମାସ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୈଠକ ପୂର୍ବରୁ ପ୍ରକାଶିତ ଫଟୋ ଦ୍ୱାରା ଏହି ଅନୁମାନ ଆହୁରି ବଢିଯାଇଛି। ଜାନୁଆରିରେ ସରକାରୀ ଗଣମାଧ୍ୟମ ଜୁ ଏଙ୍କୁ ତାଙ୍କ ପିତାଙ୍କ ସହିତ କୁମସୁସାନ ପ୍ୟାଲେସ ଅଫ୍ ଦି ସନକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବାର ଦେଖାଇଥିଲା। ଯେଉଁଠାରେ ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ଇଲ୍ ସୁଙ୍ଗ ଓ ଦ୍ୱିତୀୟ ନେତା କିମ୍ ଜୋଙ୍ଗ ଇଲ୍ଙ୍କ ଅସ୍ଥିକୁ ସମାଧି ଦିଆଯାଇଛି।
ଫେବୃଆରୀ ଶେଷ ଭାଗରେ ଉତ୍ତର କୋରିଆରେ ଏକ ପ୍ରମୁଖ ଦଳର ବୈଠକ ହେବାର ଯୋଜନା ରହିଛି। ଏଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ ବୈଦେଶିକ ନୀତି, ଯୁଦ୍ଧ ପ୍ରସ୍ତୁତି ଓ ପରମାଣୁ ଯୋଜନା ଉପରେ ଆଲୋଚନା ହେବ। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା କହିଛି, ବୈଠକରେ ଜୁ ଏଙ୍କ ଉପସ୍ଥିତି ଓ ତାଙ୍କୁ ମିଳୁଥିବା ସମ୍ମାନ ଉପରେ ନଜର ରଖାଯିବ। ବିଶେଷଜ୍ଞମାନଙ୍କ ଅନୁସାରେ ଜୁ ଏଙ୍କୁ ଦେଶର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ପଦବୀ ଶାସକ ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟିର ପ୍ରଥମ ସଚିବ ଭାବରେ ନିଯୁକ୍ତ କରାଯାଇପାରେ। ୨୦୨୨ରେ ଜୁ ଏ ପ୍ରଥମ ଥର ଲୋକଲୋଚନକୁ ଆସିଥିଲେ ଯେତେବେଳେ ସେ ତାଙ୍କ ବାପାଙ୍କ ସହିତ ଏକ ଦୂରଗାମୀ କ୍ଷେପଣାସ୍ତ୍ର ଉତ୍କ୍ଷେପ ସମୟରେ ଦେଖା ଦେଇଥିଲେ। ସେବେଠାରୁ ଗଣମାଧ୍ୟମରେ ତାଙ୍କର ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା ବଢିଛି। ଉଲ୍ଲେଖନୀୟ ଯେ, ଉତ୍ତର କୋରିଆରେ ୧୯୪୦ ପରଠାରୁ କିମ୍ ପରିବାର ବଂଶାନୁଗତ ଭାବରେ ଶାସନ କରିସାରିଛନ୍ତି। ୨୦୧୧ ରେ କିମ୍ ଜୋଙ୍ଗ ଇଲଙ୍କ ମୃତ୍ୟୁ ପୂର୍ବରୁ କିମ୍ ଜୋଙ୍ଗ ଉନ୍ ଉତ୍ତରାଧିକାରୀ ଘୋଷିତ ହୋଇଥିଲେ। ଜୁ ଏ ହେଉଛନ୍ତି କିମ୍ ଏବଂ ତାଙ୍କ ପତ୍ନୀ ରି ସୋଲ୍ ଜୁଙ୍କ ସନ୍ତାନ।
ଆହୁରି ପଢନ୍ତୁ :ଭାରତର ସବୁଠୁ ବଡ଼ ପ୍ରତିରକ୍ଷା ଚୁକ୍ତିକୁ ଡିଏସିର ମଞ୍ଜୁରୀ,କିଣାଯିବ ୧୧୪ ନୂଆ ରାଫେଲ୍ ଜେଟ୍ ଏବଂ ୬ଟି P-8I ଏୟାରକ୍ରାଫ୍ଟ