ନୂଆଦିଲ୍ଲୀ,୧୨।୨: ଆହୁରି ବଢିବାକୁ ଯାଉଛି ଭାରତର ସାମରିକ ଶକ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଡିଫେନ୍ସ ଏକ୍ୟୁଜିସନ୍ କାଉନସିଲ ବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଫ୍ରାନ୍ସରୁ ୧୧୪ ରାଫେଲ ଯୁଦ୍ଧ ବିମାନ କିଣିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ସହ ଭାରତୀୟ ନୌସେନା ପାଇଁ ୬ ଅତିରିକ୍ତP-8Iସାମୁଦ୍ରିକ ଗୁପ୍ତଚର ବିମାନ କିଣିବାକୁ ବି ସବୁଜ ସଙ୍କେତ ମିଳିସାରିଛି। ଏହି ନିଷ୍ପତ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଡିଏସି ବୈଠକରେ ନିଆ ଯାଇଥିଲା। ଏବେ ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ୍)କୁ ଅନ୍ତିମ ମଞ୍ଜୁରୀ ମିଳିବା ବାକି ରହିଛି।

ଏପର୍ଯ୍ୟନ୍ତର ସବୁଠୁ ବଡ଼ ଚୁକ୍ତି

ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ଡିଲ୍ ଭାରତ ଇତିହାସର ସବୁଠାରୁ ବଡ଼ ପ୍ରତିରକ୍ଷା ଡିଲ୍ ଭିତରୁ ଅନ୍ୟତମ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ଭାରତ ଯାତ୍ରାର ଠିକ୍ ପୂର୍ବରୁ ଏହି ନିଷ୍ପତ୍ତି ଦୁଇ ଦେଶର ରଣନୈତିକ ସମ୍ପର୍କ ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଉଛି।

କାହିଁକି ଜରୁରୀ ଏହି ଡିଲ୍?

ଭାରତୀୟ ବାୟୁସେନା ନିକଯରେ ବର୍ତ୍ତମାନ ପ୍ରାୟ ୨୯ ସ୍କ୍ବାଡ୍ରନ୍ ରହିଛି, ସେଭଳି ୪୨ଟିର ଆବଶ୍ୟକତା ରହିଛି। ପୁରୁଣା ବିମାନ ରିଟାୟର ହେବା କାରଣରୁ ଆଧୁନିକ ଫାଇଟର ଜେଟର ତୁରନ୍ତ ଆବଶ୍ୟକତା ଥିଲା। ଏହି ଡିଲ୍ ଫଳରେ ସ୍କ୍ବାଡ୍ରନ୍ ସଂଖ୍ୟା ବଢି ୩୫-୩୬ ରେ ପହଁଞ୍ଚିପାରେ।

ରାଫେଲ ଚୁକ୍ତିର ମୁଖ୍ୟ କଥା

-୧୮ ରାଫେଲ ବିମାନ ସିଧା ‘ଫ୍ଲାଇ ଆଓ୍ବେ କଣ୍ଡିସନ୍’ ରେ ଫ୍ରାନ୍ସକୁ ମିଳିବ।

- ବାକି ୯୬ ବିମାନ ଭାରତରେ ତିଆରି ହେବ।

-ସ୍ବଦେଶୀ ସାମଗ୍ରୀର ଅଂଶୀଦାରୀ ଆରମ୍ଭରୁ ୩୦% ଓ ପରେ ୬୦%ରୁ ଅଧିକ ହୋଇପାରେ।

-‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହନ ମିଳିବା ସହ ହଜାର ହଜାର ଲୋକଙ୍କୁ ରୋଜଗାରର ଅବସର ମିଳିବ।

-କିଛି ବିମାନ ଦୁଇ ସିଟର ହେବ,ଯାହାର ବ୍ୟବହାର ଟ୍ରେନିଂ ପାଇଁ ରହିବ। ଭାରତୀୟ ବାୟୁସେନା ପାଖରେ ୩୬ଟି ରାଫେଲ ରହିଛି।

ରଫେଲର କ୍ଷମତା

ରାଫେଲ ହେଉଛି ଏକ ମଲ୍ଟି ରୋଲ ଫାଇଟର ଜେଟ୍। ଯାହା ଆକାଶରୁ ଆକାଶ, ଆକାଶରୁ ଭୂମି ଏବଂ ସାମୁଦ୍ରିକ ଆକ୍ରମଣ କାର୍ଯ୍ୟରେ ସକ୍ଷମ। ଏହା SCALP କ୍ରୁଜ୍ କ୍ଷେପଣାସ୍ତ୍ର,ମୋଟିୟୋର ଏୟାର ଟୁ ଏୟାର ମିସାଇଲ,ହାମର ପ୍ରିସିଜନ୍-ଗାଇଡେଡ୍ ଅସ୍ତ୍ର, ସ୍ପେକ୍ଟ୍ରା ଇଲେକ୍ଟ୍ରୋନିକ୍ ଓ୍ବାର ଫେୟାର ସିଷ୍ଟମ ଏବଂ ଉନ୍ନତ ରାଡାର ସହିତ ସଜ୍ଜିତ। ଭାରତ ମଧ୍ୟ ଅପରେସନ୍ ସିନ୍ଦୁର ସମୟରେ ରାଫେଲ୍ ବିମାନ ବ୍ୟବହାର କରିଥିଲା, ଯାହା ସଠିକ୍ ଆକ୍ରମଣ ପାଇଁ ଏହାର କ୍ଷମତା ପ୍ରଦର୍ଶନ କରିଥିଲା। ବାୟୁସେନାର ଉପାଧ୍ୟକ୍ଷ ଏୟାର ମାର୍ଶାଲ୍ ନାଗେଶ କପୁରଙ୍କ ଅନୁଯାୟୀ, ରାଫେଲ୍ ଭଳି ଆଧୁନିକ ଜେଟ୍ ବାୟୁସେନାର କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଆଞ୍ଚଳିକ ସୁରକ୍ଷା ଚ୍ୟାଲେଞ୍ଜକୁ ମୁକାବିଲା କରିବା ସହଜ କରିବ।

ନୌସେନାକୁ ମିଳିବ ଶକ୍ତି

ଭାରତୀୟ ନୌସେନା ପାଇଁ ଛଅଟି ଅତିରିକ୍ତ P-8I ପୋସାଇଡନ୍ ବିମାନ ମଧ୍ୟ ମଞ୍ଜୁର କରାଯାଇଛି। ଏଗୁଡ଼ିକ ବୋଇଂ-ନିର୍ମିତ ଦୀର୍ଘ ଦୂରଗାମୀ ସାମୁଦ୍ରିକ ନିରୀକ୍ଷଣ ବିମାନ ଯାହା ଶତ୍ରୁ ବୁଡ଼ାଜାହାଜ, ଜାହାଜ ଏବଂ ବାୟୁ କାର୍ଯ୍ୟକଳାପକୁ ଚିହ୍ନଟ କରିବାରେ ସକ୍ଷମ। ଭାରତରେ ପୂର୍ବରୁ ୧୨ଟି P-8I ବିମାନ ଅଛି। ଏହି ନୂତନ ବିମାନର ଯୋଡି ହେବା ଦ୍ୱାରା ଭାରତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଏବଂ ନିରୀକ୍ଷଣ କ୍ଷମତା ଆହୁରି ସୁଦୃଢ଼ ହେବ।

ଆହୁରି ପଢନ୍ତୁ : ‘କୌଣସି ବର୍ଗର ଲୋକଙ୍କୁ ଅପମାନିତ କରିବା ଭୁଲ’, ‘ଘୁସଖୋର’ ପଣ୍ଡିତର ମେକର୍ସ ଓ ନେଟଫ୍ଲିକ୍ସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା