ବ୍ରହ୍ମପୁର, ୨୪/୦୭: ଲକ୍ଷ୍ମୀ ନୃସିଂହ ସାହି ମଙ୍ଗଳା ବେହେରାଙ୍କୁ ହରିଡ଼ାଖଣ୍ଡିରେ ବିଚ୍ ରାସ୍ତାରେ ହାଣିଥିଲେ ଦୁଇ ଭାଇ । ଘଟଣାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କୁ ପୁଲିସ ଏନ୍କାଣ୍ଟର କରିଥିଲା । ଜଗାର ଦୁଇ ଆଣ୍ଠୁରେ ଗୁଳି ବାଜିଥିଲା । ଘଟଣା ପରଠୁ ଦୁଇ ମାସ ଧରି ଜଗା ଏମ୍କେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲା । ଗୁରୁବାର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲା । ସନ୍ଧ୍ୟାରେ ଜଗାକୁ କୋର୍ଟ ଚାଲାଣ କରାଯାଇଛି । ଅପରାଧରେ ବ୍ୟବହୃତ କାତି ଜବତ ହୋଇଛି । ପୂର୍ବରୁ ଏହି ମାମଲାରେ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବଳିଆକୁ ଗିରଫ କରିବାକୁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଥିବା ବଡ଼ବଜାର ଥାନା ଅଧିକାରୀ ଆଶିଷ ସ୍ୱାଇଁ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- Angul Rape case : ଅନୁଗୋଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା, ୪ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଗତ ମେ ୨୪ ତାରିଖ ରାତି ୯ଟାରେ ମଙ୍ଗଳା ବେହେରା ଜଳଖିଆ ଖାଇବାକୁ ହରିଡ଼ାଖଣ୍ଡି ଛକକୁ ଆସିଥିଲେ । ମଙ୍ଗଳାଙ୍କ ସହ ଅଭିଯୁକ୍ତ ଜଗା ଓ ବଳିଆଙ୍କର ବଚସା ହୋଇଥିଲା । ଏହାପରେ ଦୁଇ ଅଭିଯୁକ୍ତ ଏକ କାତିରେ ବିଚ୍ ରାସ୍ତାରେ ମଙ୍ଗଳାକୁ ନିର୍ମମ ଭାବେ ହାଣିଥିଲେ । ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅଭିଯୁକ୍ତ ଜଗାକୁ ଧରିବା ପାଇଁ ସୁକୁଣ୍ଡା ଅଞ୍ଚଳରେ ଚଢ଼ଉ କରିଥିଲା । ଜଗା ପୁଲିସ ଉପରକୁ ବୋମା ଫିଙ୍ଗିଥିଲା । ପୁଲିସ ପାଲଟା ଗୁଳି ଚଲାଇଥିଲା । ଜଗାର ଦୁଇ ଆଣ୍ଠୁରେ ଗୁଳି ବାଜିଥିଲା । ସେବେଠାରୁ ଜଗା ଏମ୍କେସିଜିରେ ଚିକିତ୍ସିତ ହେଉଥିଲା । ଫେରାର୍ ବଳିଆ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିବା ସୂଚନା ମିଳିଛି ।