ନୂଆଦିଲ୍ଲୀ,୨୮/୦୪; ଚଳିତ ଆଇପିଏଲ୍‌ରେ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କୋଲକାତା ବ୍ୟାଟର ଅଙ୍ଗକ୍ରୀଶ ରଘୁବଂଶୀ ଦଣ୍ଡିତ ହୋଇଛନ୍ତି । ତାଙ୍କ ମ୍ୟାଚ ପାଉଣାର ୨୦% ଅର୍ଥ କାଟ୍ କରାଯାଇଛି । ରବିବାର ଅନୁଷ୍ଠିତ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ରଘୁବଂଶୀ ଅବଷ୍ଟ୍ରକ୍ଟ ଫିଲ୍ଡ ନିୟମରେ ଆଉଟ ହେବା ପରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ବାଉଣ୍ଡାରୀ ଲାଇନକୁ ବ୍ୟାଟ୍‌ ମାରିବା ସହ ଡଗ୍ ଆଉଟ୍‌ରେ ହେଲମେଟ ଫିଙ୍ଗିଥିଲେ । ଆଇପିଏଲ୍ ଆଚାର ସଂହିତାର ନିୟମ ୨.୨ ଉଲଙ୍ଘନ କରିଥିବାରୁ ତାଙ୍କର ୧ ଶୃଙ୍ଖଳା ପଏଣ୍ଟ କାଟ୍ କରାଯିବା ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।

ସୂଚନାଯୋଗ୍ୟ, କୋଲକାତା ବ୍ୟାଟିଂ କରୁଥିବାବେଳେ ପଞ୍ଚମ ଓଭରରେ ରଘୁବଂଶୀ ଏକ ଦ୍ରୁତ ରନ ଚୋରାଇ ନେବାକୁ ପ୍ରୟାସ କରୁଥିଲେ । ମାତ୍ର ତାହା ସମ୍ଭବ ନ ହେବା ଦେଖି ସେ ପୁନର୍ବାର କ୍ରିଜକୁ ଫେରିଯିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଲକ୍ଷ୍ନୌ ଖେଳାଳି ତାଙ୍କୁ ରନ୍ ଆଉଟ୍ କରିବା ପାଇଁ ୱିକେଟ୍‌କୁ ବଲ୍ ଥ୍ରୋ କରିଥିଲେ । ରଘୁବଂଶୀ ଡାଇଭ ମାରି କ୍ରିଜରେ ପହଞ୍ଚିଥିଲେ । ବଲ୍ଟି ତାଙ୍କ ଗୋଡରେ ବାଜିଥିଲା । ରଘୁବଂଶୀ ବଲ୍‌କୁ ଅଟକାଇବାକୁ ଚେଷ୍ଠା କରି ଥ୍ରୋ ସମ୍ମୁଖକୁ ଆସିଥିବା ଦର୍ଶାଇ ଲକ୍ଷ୍ନୌ ଆଉଟ୍ ଅପିଲ କରିଥିଲା । ତୃତୀୟ ଅମ୍ପାୟାର ଭିଡ଼ିଓ ରିପ୍ଲେ ଦେଖିବା ପରେ ରଘୁବଂଶୀଙ୍କ ବିପକ୍ଷରେ ଆଉଟ୍ ନିଷ୍ପତ୍ତି ଶୁଣାଇଥିଲେ । ରଘୁବଂଶୀ ଉଦ୍ଦେଶ୍ୟମୂଳକ ଭାବେ ବଲ୍ ସମ୍ମୁଖକୁ ଆସି ନଥିବା ଦର୍ଶାଇଥିଲେ । ମାତ୍ର ଅମ୍ପାୟାରଙ୍କ ନିଷ୍ପତ୍ତି ଅତୁଟ ରହିଥିଲା । ଏଥିରେ ବିରକ୍ତ ହୋଇ ରଘୁବଂଶୀ ପାଭିଲିୟନ ଫେରିଥିଲେ । ବାଉଣ୍ଡାରୀ ନିକଟରେ ପହଞ୍ଚିବା ମାତ୍ରେ ସେ ରାଗରେ ବାଉଣ୍ଡାରୀ ରୋପକୁ ବ୍ୟାଟରେ ପିଟିଥିଲେ ଓ ଡଗ୍ ଆଉଟ୍‌ରେ ହେଲମେଟ୍ କାଢି ଫିଙ୍ଗିଥିଲେ ।

ଏହା ବି ପଢନ୍ତୁ...IPL 2026; ପଞ୍ଜାବ ଷ୍ଟାର ପ୍ଲେୟାରଙ୍କ ଉପରେ ଦୁଃଖର ପାହାଡ଼, ଟୁର୍ଣ୍ଣାମେଣ୍ଟ ମଝିରେ ଆରପାରିକୁ ଚାଲିଗଲେ ମା'

ରଘୁବଂଶୀଙ୍କୁ ଆଇପିଏଲ ଆଚରଣ ସଂହିତାର ଧାରା ୨.୨ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି । ଯାହା ମ୍ୟାଚ୍ ସମୟରେ କ୍ରିକେଟ୍ ଉପକରଣ କିମ୍ବା ପୋଷାକ, ଗ୍ରାଉଣ୍ଡ ଉପକରଣ ଇତ୍ୟାଦିକୁ କ୍ଷତି ପହଞ୍ଚାଇବା ସହିତ ଜଡିତ । ରଘୁବଂଶୀ ମ୍ୟାଚ୍ ରେଫରିଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । 

​​​​​​​

ଲକ୍ଷ୍ନୌ ବନାମ କୋଲକାତାର ଉକ୍ତ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ଏଥିରେ ରୋମାଞ୍ଚକର ବିଜୟ ହାସଲ କରିଥିଲା କୋଲକାତା ନାଇଟ ରାଇଡର୍ସ । ଚଳିତ ସିଜିନରେ କେକେଆର ଆରମ୍ଭରୁ ଖାତା ଖୋଲି ପାରିନଥିଲା । ପଞ୍ଜାବ ବିପକ୍ଷ ମ୍ୟାଚ ଡ୍ର ରହିଥିବାରୁ ଗୋଟିଏ ପଏଣ୍ଟ ପାଇଥିଲା । ଏବେ ଦଳ ୮ଟି ମ୍ୟାଚରୁ ୨ଟି ମ୍ୟାଚ ଜିତି ୪ ପଏଣ୍ଟ ସହ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି ।