ନୂଆଦିଲ୍ଲୀ,୧୭।୯:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ତିନି ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି। ଟ୍ରମ୍ପ ନିଜ ପତ୍ନୀ ମେଲାନିଆଙ୍କ ସହ ସେଠାରେ ପହଁଞ୍ଚିଛନ୍ତି। ଏହା ସହ ନିଜ ସାଙ୍ଗରେ ନେଇକି ଯାଇଛନ୍ତି ’ଦ ବିଷ୍ଟ’ କାର। ଏହା ସହ ଟ୍ରମ୍ପଙ୍କ କାର ଏବେ ପୁଣିଥରେ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ, ଟ୍ରମ୍ପ ବ୍ରିଟେନରେ ଏହି କାରରେ ଯାତ୍ରା କରିବେ। ଏହି କାର ଦୁନିଆର ସବୁଠାରୁ ସୁରକ୍ଷିତ କାର ବୋଲି ମନେ କରାଯାଉଛି। ଉଲ୍ଲେଖନୀୟ ଯେ ଆମେରିକା ରାଷ୍ଟ୍ରପତି ଏକ ଖାସ୍ ଲିମୋଜିନ୍‌ କାର୍‌ରେ ଯାତ୍ରା କରନ୍ତି, ଯାହାକୁ ‘ଦ ବିଷ୍ଟ’ କୁହାଯାଏ।

ଏହି କାର ସୁରକ୍ଷା ଦୃଷ୍ଟିରୁ ଖୁବ୍ ଖାସ୍। ଏଥିରେ ରାସାୟନିକ ଆକ୍ରମଣର ମଧ୍ୟ ପ୍ରଭାବ ପଡେନି। ଗୋଳା-ବାରୁଦ କଥା ତ ଛାଡନ୍ତୁ। ଏହି କାରଣରୁ ଏହାକୁ ଚଳନ୍ତି ବଙ୍କର କୁହାଯାଏ। ଏହି କାରର ଓଜନର ୨୦ ହଜାର ପାଉଣ୍ଡ ଅର୍ଥାତ ୯୦୭୨ କିଲୋଗ୍ରାମ ଓ ଏହାର ମୂଲ୍ୟ ୧.୫ ମିଲିୟନ ଡଲାର। ଏହି କାର ବଡ଼ ଆକାରର କ୍ୟାଡିଲେକ୍‌ ଏକ୍ସଟି୬ ସେଡାନ ଭଳି ଦେଖାଯାଏ। ଏହାର ମୁଖ୍ୟ ଉଦେଶ୍ୟ ଟ୍ରମ୍ପ ଓ ତାଙ୍କ ପରାମର୍ଶଦାତାଙ୍କ ଉପରେ କୌଣସି ପ୍ରକାର ଆକ୍ରମର ଯେପରି ନହୁଏ।

ଆମେରିକା ରାଷ୍ଟ୍ରପତି ଏହି ଲିମୋଜେନ୍‌ର ନୂଆ ମଡେଲର ଉପଯୋଗ କରନ୍ତି। ୨୦୧୪ ରେ ପ୍ରଥମ ଥର ଏହାକୁ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଅଣାଯାଇଥିଲା। ଏହି କାରରେ ନାଇଟ ଭିସନ୍ ସିଷ୍ଟମ ରହିଛି। ତା ଛଡା ଏଥିରେ ଟିୟର ଗ୍ୟାସ୍ ଫାୟାରିଂର ମଧ୍ୟ ସୁବିଧା ଅଛି। କେବଳ ସେତିକି ନୁହେଁ, ଏହି କାରର ଡୋରର ହ୍ୟାଣ୍ଡେଲରେ ବିଜୁଳି ଝଟକା ମଧ୍ୟ ପ୍ରବାହିତ କରାଯାଇପାରେ। କାରର ଓ୍ବିଣ୍ଡୋ ୩ ଇଞ୍ଚ ମୋଟା। କାର ଭିତରେ ରାଷ୍ଟ୍ରପତିଙ୍କ ବ୍ଲଡ ଗ୍ରୁପର ରକ୍ତ ରଖାଯାଇଥାଏ। କାରରେ ସୁରକ୍ଷା ଓ ଜୀବନରକ୍ଷା ଉପକରଣ ଯେପରିକି ସ୍ମୋକ ସ୍କ୍ରିନ୍, ଅଏଲ ସ୍କିଲଦ୍‌, ଶଟଗନ୍‌ ଓ ରକେଟ ଗ୍ରେନେଡର ସୁବିଧା ରହିଥାଏ। ଜରୁରୀ ସ୍ଥିତିରେ ଏଥିରେ ଅକ୍ସିଜେନ୍‌ ଟ୍ୟାଙ୍କ ମଧ୍ୟ ରହିଥାଏ। କାର ଭିତରେ ଏକାଠି ୭ ଜଣ ଲୋକ ବସି ପାରିବେ। ଏହା ୦ ରୁ ଘଣ୍ଟାକୁ ୧୦୦ କିଲେମାଟର ବେଗ ଧରିବା ପାଇଁ ମାତ୍ର ୧୫ ସେକେଣ୍ଡ ଲାଗିଥାଏ। ଯଦି ଦରକାର ପଡେ ତେବେ ଟ୍ରମ୍ପ ଆକ୍ରମଣ କରିବା ପାଇଁ ଆବଶ୍ୟକୀୟ ପରମାଣୁ କୋଡ୍ ମଧ୍ୟ ପଠାଇ ପାରିବେ।