କୋଲକାତା: ଆଇପିଏଲ୍‌ ୨୦୨୫ର ୧୫ ତମ ମ୍ୟାଚ୍‌ କୋଲକାତା ଏବଂ ହାଇଦ୍ରବାଦ ମଧ୍ୟରେ ଖେଳାଯାଉଛି । ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌) ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତା ନାଇଟ ରାଇଡର୍ସ ରନ୍‌ ବର୍ଷା କରିଛି । ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନସ୍‌ରେ କୋଲକାତା ବ୍ୟାଟର ଧୂଆଁଧାର ବ୍ୟାଟିଂ କରିଛନ୍ତି । ଅଙ୍ଗକ୍ରିସ୍‌ ରଘୁବଂଶୀଙ୍କ ଅର୍ଦ୍ଧଶତକ ପରେ ଭେଙ୍କଟେଶ ଆୟର ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।

ଅଧିନାୟକ ଅଜିଙ୍କ୍ୟ ରାହାଣେ ୩୮ ରନ୍‌ କରିଥିବା ବେଳେ ରିଙ୍କୁ ସିଂ ୩୨ ରନ କରି ଅପରାଜିତ ଅଛନ୍ତି । ଭେଙ୍କଟେଶ ଆୟର ୨୯ ବଲ୍‌ରେ ୬୦ ରନ୍‌ କରି ଆଉଟ ହୋଇଥିଲେ । ଆୟର ଏହି ସମୟରେ ୭ ଚୌକା ଏବଂ ୩ଟି ଛକା ମାରିଥିଲେ । ଏହା ସହ ନିର୍ଦ୍ଧାରିତ ଓଭରରେ କେକେଆର ୬ଟି ଓ୍ବିକେଟ ହରାଇ ୨୦୦ ରନ୍‌ କରିଛି । ସେପଟେ ହାଇଦ୍ରାବାଦ ସମ୍ମୁଖରେ ୨୦୧ ରନ୍‌ର ବିଜୟ ଳକ୍ଷ୍ୟ ରହିଛି । 

ଆରମ୍ଭରୁ ଭଲ ଖେଳି ପାରିନଥିଲା କୋଲକାତା ନାଇଟ୍ ରାଇଡର୍ସ । କ୍ବିଣ୍ଟନ୍ ଡି କକ୍ ଏବଂ ସୁନୀଲ ନାରିନ୍ ୧୬ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ। ପରେ ଅଜିଙ୍କ୍ୟ ରାହାଣେ ଏବଂ ଅଙ୍ଗକ୍ରିସ ରଘୁବଂଶୀ ୮୧ ରନ୍ ଯୋଡ଼ିଥିଲେ । କୋଲକାତା ୧୫ ଓଭରରେ ୧୨୨ ରନ୍ କରିଥିଲା ଏବଂ ୨୦୦ ରନ୍ କରିବା ପ୍ରାୟ ଅସମ୍ଭବ ମନେ ହେଉଥିଲା।

ଏଠାରୁ ଭେଙ୍କଟେଶ ଆୟର ଏବଂ ରିଙ୍କୁ ସିଂହ ଗଡ଼ ସମ୍ଭାଳିଥିଲେ । ଗୋଟିଏ ପଟେ ଆୟର ୨୯ ବଲ୍‌ରେ ୭ ଚୌକା ଏବଂ ୩ ଛକା ମାରି ୬୦ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ରିଙ୍କୁ ସିଂ ୧୭ ବଲ୍‌ରେ ୩୨ ରନ୍ କରି ଅପରାଜିତ ଥିଲେ । ଏହି ଦୁଇ ବ୍ୟାଟରଙ୍କ ଯୋଗୁଁ କୋଲକାତା ଶେଷ ୫ ଓଭରରେ ୭୮ ରନ କରିଥିଲା ଏବଂ ଦଳର ସ୍କୋରକୁ ୨୦୦ ରନରେ ପହଞ୍ଚାଇଥିଲେ।