ମସ୍କୋ,୨୪/୧୨: ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର୍‌ ଅଲ୍‌ ଅସଦଙ୍କ ପତ୍ନୀ ଆସ୍‌ମା ଅଲ୍‌ ଅସଦ ଛାଡ଼ପତ୍ର  ପାଇଁ ଆବେଦନ କରିଛନ୍ତି । ଜେରୁଜେଲମ ପୋଷ୍ଟ ମୁତାବକ,  ସିରିୟାରୁ କ୍ଷମତାଚ୍ୟୁତ ହୋଇ ଅସଦ ରୁଷ୍‌ ପଳାୟନ କରିବା ପରେ ଆସ୍‌ମା ଚିନ୍ତିତ ହୋଇପଡ଼ିଛନ୍ତି । ରୁଷ୍‌ରେ ତାଙ୍କ ସହ ସେ ଆଦୌ ଖୁସି ନାହାନ୍ତି । ତେଣୁ ଛାଡ଼ପତ୍ର ନେବା ପରେ ସେ ବ୍ରିଟେନ୍‌ ଚାଲିଯିବାକୁ ଯୋଜନା କରୁଛନ୍ତି । ଦେଶ ଛାଡ଼ିବା ପାଇଁ ଆସ୍‌ମା ଇତିମଧ୍ୟରେ ରୁଷୀୟ ଅଦାଲତରେ ଆବେଦନ  ବି କରିଛନ୍ତି । 

୪୯ ବର୍ଷୀୟା ଆସ୍‌ମା ୨୦୦୦ ମସିହାରେ ଅସଦଙ୍କୁ  ବିବାହ କରିଥିଲେ । ତାଙ୍କ ପାଖରେ ବ୍ରିଟେନ୍‌ ଓ ସିରିୟାର  ଦ୍ୱୈତ ନାଗରିକତା ରହିଛି। ୧୯୭୫ରେ ଲଣ୍ଡନରେ  ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ପିତାମାତା ସିରିୟାର ।  ସେ ଲଣ୍ଡନର କିଙ୍ଗ୍‌ସ କଲେଜରେ କମ୍ପ୍ୟୁଟର ସାଇନ୍ସ ଏବଂ  ଫ୍ରେଞ୍ଚ୍‌ ଲିଟରେଚରରେ ଡିଗ୍ରୀ ହାସଲ କରିଥିଲେ । ଅସଦ  ଓ ଆସ୍‌ମାଙ୍କର ୩ଟି ସନ୍ତାନ ଅଛନ୍ତି । ସେମାନେ ହେଉଛନ୍ତି  ହାଫିଜ, ଜିନ୍‌ ଓ କରିମ୍‌ । ଆସ୍‌ମା ନିଜର ୩ ପିଲାଙ୍କ ସହ  ଲଣ୍ଡନରେ ରହିବାକୁ ଚିନ୍ତା କରୁଛନ୍ତି । 

ଡିସେମ୍ବର ୮ରେ ସିରିୟା ରାଜଧାନୀ ଡାମାସ୍‌କସ୍‌  ଉପରେ ବିଦ୍ରୋହୀମାନେ କବ୍‌ଜା କରିଥିଲେ । ଏହାପରେ  ଅସଦ ଦେଶ ଛାଡି଼ ସପରିବାର ପଳାୟନ କରିଥିଲେ । ରୁଷ୍‌  ସେମାନଙ୍କୁ ଶରଣ ଦେଇଥିଲା । ବର୍ତ୍ତମାନ ସେମାନେ ରାଜଧାନୀ  ମସ୍କୋରେ ରହୁଛନ୍ତି । ରୁଷ୍‌ ଯଦିଓ ସେମାନଙ୍କୁ ରହିବାକୁ  ଅନୁମତି ଦେଇଛି, କିନ୍ତୁ ସେମାନଙ୍କୁ ଅନେକ କଟକଣାର  ସାମ୍ନା କରିବାକୁ ପଡୁଛି । ମସ୍କୋ ଛାଡ଼ିବା ଏବଂ କୌଣସି  ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବାକୁ ଅସଦଙ୍କୁ  ବାରଣ କରାଯାଇଛି । ରୁଷୀୟ ଅଧିକାରୀମାନେ ତାଙ୍କ ସମ୍ପତ୍ତିକୁ  ବି ଜବତ କରିନେଇଛନ୍ତି । ଏଥିରେ ୨୭୦ କିଲୋଗ୍ରାମ ସୁନା,  ୨୦୦ କୋଟି ଡଲାର ଏବଂ ମସ୍କୋରେ ୧୮ଟି ଆପାର୍ଟମେଣ୍ଟ  ଅନ୍ତର୍ଭୁକ୍ତ । ତୁର୍କୀ ଗଣମାଧ୍ୟମ ମୁତାବକ, ଅସଦ ମଧ୍ୟ ରୁଷ୍‌  ଛାଡ଼ି ବ୍ରିଟେନ୍‌ ଚାଲିଯିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଅସଦଙ୍କ ଭାଇ ମହେରଙ୍କୁ ଏ ପର୍ଯ୍ୟନ୍ତ  ଶରଣ ଦେଇନାହିଁ ରୁଷ୍‌ । ସେଠାକାର ସରକାର ଏ ନେଇ  ତଦନ୍ତ ଚଳାଇଛନ୍ତି । ତେବେ ବର୍ତ୍ତମାନ ସେ କେଉଁଠାରେ  ଅଛନ୍ତି, ତାହା ନେଇ ସୂଚନା ମିଳିନାହିଁ । 

ସୂତ୍ର ମୁତାବକ,  ଅସଦ ରୁଷ୍‌କୁ ୨୫୦ ନିୟୁତ ଡଲାର (୨,୦୮୨ କୋଟି  ଟଙ୍କା) ନଗଦ ପଠାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ  ଏହି ଦେଣନେଣରେ ୧୦୦ ଡଲାର ଓ ୫୦୦ ୟୁରୋ ନୋଟ  ରହିଥିଲା । ଏହାର ଓଜନ ପ୍ରାୟ ୨ ଟନ୍‌ ଥିଲା । ଏହାକୁ ୨୦୧୮  ଓ ୨୦୧୯ ମଧ୍ୟରେ ଡାମାସକସ୍‌ରୁ ମସ୍କୋର ଭାନୁକୋଭା  ବିମାନବନ୍ଦରକୁ ପଠାଯାଇଥିଲା । ଏହି ନଗଦ ପଠାଇବା  ପାଇଁ ୨୧ଟି ବିମାନ ବ୍ୟବହୃତ ହୋଇଥିଲା । ମସ୍କୋରେ  ପହଞ୍ଚିବା ପରେ ଏହାକୁ ରୁଷୀୟ ବ୍ୟାଙ୍କଗୁଡ଼ିକରେ ଜମା  କରାଯାଇଥିଲା । ରିପୋର୍ଟ ମୁତାବକ, ଅସଦ ସରକାରଙ୍କ  ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ପ୍ରତିବନ୍ଧକ ଲଗାଇଥିଲେ ।  ତେଣୁ ସେ ଡଲାର ଓ ୟୁରୋ ବ୍ୟବହାର କରିପାରି ନ ଥିଲେ ।  ଏହାକୁ ସେ ରୁଷ୍‌ରେ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥିଲେ ।