ନୂଆଦିଲ୍ଲୀ ୧୭/୦୬: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ ତାଙ୍କ ଅପ୍‌କମିଂ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହା ଭିତରେ ରିପୋର୍ଟ ଆସୁଛି ଯେ କ୍ରୀତି ଫିଲ୍ମ ଡନ୍‌-୩ରେ ନଜର ଆସିପାରନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍‌ନାକୁ ଆସିଛି । ଏଥିରେ ଗଣମାଧ୍ୟମ କର୍ମଚାରୀ ତାଙ୍କୁ ଲେଡି ଡନ୍‌ ବୋଲି କହି ଡାକିବା ପରେ ସେ ହସି ଦେଇଥିଲେ । ଫିଙ୍କ୍‌ ଭିଲା ରିପୋର୍ଟ ଅନୁସାରେ, କ୍ରୀତି ସାନନ ଡନ୍‌-୩ ପାଇଁ ରଣବୀର ସିଂଙ୍କ ସହ କାମ କରିବାକୁ ରାଜି ହୋଇଛନ୍ତି । ହେଲେ ଏବେ ସେ ଫିଲ୍ମରେ ସାଇନ୍‌ କରିନାହାନ୍ତି । ଶୀଘ୍ର ସେ ସାଇନ କରିପାରନ୍ତି । 

ରିପୋର୍ଟରେ ଆଗକୁ କୁହାଯାଇଛି, ଫିଲ୍ମର ନିର୍ଦ୍ଦେଶକ ଫରହାନ୍‌ ଅଖତର ଏବଂ ତାଙ୍କ ଟିମ୍‌ଙ୍କୁ ଏପରି ଜଣେ ଅଭିନେତ୍ରୀ ଦରକାର ଥିଲେ ଯେ ଭଲ ଅଭିନୟ କରିବା ସହ ସ୍କ୍ରିନ୍‌ରେ ଦମ୍‌ଦାର ପ୍ରଭାବ ମଧ୍ୟ ରହିବ । ଟିମ୍‌କୁ କ୍ରୀତି ଉପଯୁକ୍ତ ଲାଗିଥିଲେ । ତେବେ ଏ ବାବଦରେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ । ଡନ୍‌-୩ରେ ରଣବୀର ସିଂ ରହିଛନ୍ତି । ଫିଲ୍ମରେ ତାଙ୍କ ବିପରୀତରେ କିଆରା ଆଡଭାନି ଅଭିନୟ କରିବାର ଥିଲା । କିନ୍ତୁ ଗର୍ଭବତୀ ଥିବା କାରଣରୁ କିଆରା ଏହି ଫିଲ୍ମ ଛାଡ଼ି ଦେଇଛନ୍ତି । ଡନ୍‌-୩ ୨୦୨୬ରେ ମୁକ୍ତିଲାଭ କରିବାର ଅଛି ।