ମୁମ୍ବାଇ ୨୪/୧୧: ‘ଭେଡ଼ିୟା’ ପରେ ଆଉ ଏକ ହରର୍‌ କମେଡ଼ିରେ ନଜର ଆସିବେ କ୍ରିତି ସାନନ୍‌ । ଏ ଥର ନୂଆ ନିର୍ଦ୍ଦେଶକଙ୍କ ସହ ସେ କାମ କରିବେ । ପିଙ୍କ୍‌ଭିଲ୍ଲାର ସଦ୍ୟ ରିପୋର୍ଟ ଅନୁସାରେ, ଆନନ୍ଦ ଏଲ୍‌ ରାୟଙ୍କର ଏକ ହରର୍‌ କମେଡି ପ୍ରୋଜେକ୍ଟରେ କ୍ରିତି ସାଇନ୍‌ କରିଛନ୍ତି । ଆନନ୍ଦଙ୍କ କଲର ୟେଲୋ ପ୍ରଡକ୍ସନ୍ସ ଅଧୀନରେ ଫିଲ୍ମଟି ନିର୍ମିତ ହେବ । ଏହାର ନିର୍ଦ୍ଦେଶକଙ୍କ ନାଁ ଅଦ୍ୟାବଧି ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ ଫିଲ୍ମର ଟାଇଟଲ ରହିଛି ‘ନୟି ନବେଲି’ । ଏହାର କାହାଣୀ ଏକ ଲୋକକଥା ଉପରେ ଆଧାରିତ ହେବ । 

ଆନନ୍ଦ ଏଲ୍‌ ରାୟଙ୍କ ସହ କାମ କରିବା ନେଇ କ୍ରିତି ଆଲୋଚନା ଜାରି ରଖିଛନ୍ତି । ଫିଲ୍ମର ସୁଟିଂ ୨୦୨୫ ମଧ୍ୟଭାଗରେ ଆରମ୍ଭ ହେବ । ବର୍ତ୍ତମାନ ହରର୍‌-କମେଡ଼ିକୁ ଦର୍ଶକୀୟ ଆଦୃତି ମିଳୁଛି । ‘ନୟି ନଭେଲି’ ଏ କ୍ଷେତ୍ରରେ ନୂଆ ସ୍ୱାଦ ଯୋଡ଼ିବ ବୋଲି ନିର୍ମାତା ଆଶା କରୁଛନ୍ତି । କ୍ରିତି ମଧ୍ୟ ନିଜର ବହୁମୁଖୀ ପ୍ରତିଭା ପ୍ରଦର୍ଶନ ଲାଗି ସର୍ବଦା ଉତ୍ସାହିତ ଥାନ୍ତି । ଏଥିସହିତ ଲୋକକାହାଣୀକୁ ପରଦାରେ ଉତାରିବା ତାଙ୍କ ପାଇଁ ବେଶ ମଜାଦାର ଅନୁଭବ ହେବ । ଆସନ୍ତା ଜାନୁଆରୀ ସୁଦ୍ଧା ଫିଲ୍ମର ପ୍ରି-ପ୍ରଡକ୍ସନ୍‌ କାମ ଆରମ୍ଭ ହେବ । କ୍ରିତି ଏହା ପୂର୍ବରୁ ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ‘ସ୍ତ୍ରୀ’ରେ ‘ଆଓ କଭି ହବେଲି ପେ’ ଶୀର୍ଷକ ଆଇଟମ୍‌ ସଙ୍ଗ୍‌ରେ ନଜର ଆସିଥିଲେ ।