ନୀଳଗିରି,୧୩/୧୨ : ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା ହାତୀପଲ ଏବେ ଗାଁକୁ ପଶି ବ୍ୟାପକ ଉପଦ୍ରବ କରୁଛନ୍ତି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ବିଳମ୍ବିତ ରାତିରେ ଏକ ପେଟ୍ରୋଲ ଟାଙ୍କି ଭିତରେ ପଶି ଏଣେତେଣେ ହେବା ଦୃଶ୍ୟ ସମ୍ପ୍ରତି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କୂଳଡିହା ଅଭୟାରଣ୍ୟରୁ ହାତୀ ଦୈନିକ ପଞ୍ଚଲିଙ୍ଗେଶ୍ୱର ଅଂଚଳରେ ବାହାରି ବ୍ୟାପକ ଉପଦ୍ରବ କରୁଛି । ରାସ୍ତାରେ ଥିବା ମାନଗଡ଼ ପେଟ୍ରୋଲ ଟାଙ୍କିରେ ଏହି ହାତୀଟି ବୁଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଖାଦ୍ୟ ପାଇଁ ଏହି ହାତୀଟି ବିଲ ରାସ୍ତା ଅତିକ୍ରମ କରିବା ପରେ ପେଟ୍ରୋଲ ଟାଙ୍କିରେ ପହଞ୍ଚିଥିଲା । ରାତିରେ ଟାଙ୍କି କର୍ମଚାରୀମାନେ ହାତୀକୁ ଦେଖି ଭୟଭୀତ ହେବା ସହ ସମସ୍ତେ ଭିତରେ ଲୁଚି ଯାଇଥିଲେ । କିଛି ସମୟ ଏହି ହାତୀଟି ରହି ପୁଣି ପଳାଇଯାଇଥିଲା । ପଞ୍ଚଲିଙ୍ଗେଶ୍ୱର, ମାନଗଡ଼, ଖୁଲିଆ, ଢ଼ୋଲପୁର, ବାଉଁଶବଣିଆ, ଯାଉଁରି, ବେତସୁଳ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଛି।