ଭୁବନେଶ୍ୱର,୧୦/୧୧ (ଅମ୍ବିକା ପ୍ରସାଦ ପଟ୍ଟନାୟକ): ଚନ୍ଦକା କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳାରେ ଖୋଲିଛି ‘ଏଲିଫ୍ୟାଣ୍ଟ୍ ରେସ୍ତୋରାଁ’ । ମଣିଷଙ୍କ ପରି ହାତୀମାନେ ପ୍ରତିଦିନ ମର୍ଣ୍ଣିଂୱାକ୍ କରୁଛନ୍ତି । ତା’ ସହିତ ପାଠ ପଢ଼ୁଛନ୍ତି, ଖେଳକୁଦ ସାଙ୍ଗକୁ ବ୍ୟାୟାମ୍ ବି କରୁଛନ୍ତି । ସେମାନଙ୍କୁ ପାଠ ପଢ଼ାଉଛନ୍ତି ଆସାମରୁ ଆସିଥିବା ଟ୍ରେନରଙ୍କ ସହ ଓଡ଼ିଆ ମାହୁନ୍ତ । ଆଉ ହାତୀଙ୍କ ଖାଇବା ପିଇବା ପାଇଁ ଖୋଲା ଯାଇଛି ‘ଏଲିଫ୍ୟାଣ୍ଟ୍ ରେସ୍ତୋରାଁ’ । ଯେଉଁଠି ରୋଷେଇ ଘର ଠାରୁ ଆରମ୍ଭ କରି ହାତୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ କୁଣ୍ଡ ଓ ପିଇବା ପାଣି କୁଣ୍ଡ ଆଦି ନିର୍ମାଣ ହୋଇଛି । ସେଠାରେ ହାତୀ ଛୁଆ ଚନ୍ଦୁ,ସୀମା, ଜଗା, ଉମା, କାହ୍ନା, ରାଧିକା ଓ କାର୍ତ୍ତିକ ମନଭରି ଖିଆପିଆ କରି ବେଶ୍ ଖୁସିରେ ସମୟ ବିତାଉଛନ୍ତି ।
କେମିତି କଟୁଛି ଦିନ:
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳାରେ ତାଲିମ ନେଉଥିବା ୭ ହାତୀ ସକାଳ ୬ଟାରେ ପାଠଶାଳାରୁ ବାହାରି ପଡ଼ୁଛନ୍ତି । ମଣିଷଙ୍କ ପରି ସେମାନେ ଜଙ୍ଗଲ ଭିତରେ ୩/୪କିମି ପର୍ଯ୍ୟନ୍ତ ମର୍ଣ୍ଣିଂୱାକ୍ କରୁଛନ୍ତି । ସେମାନଙ୍କ ଗୋଡ଼ରେ ଚେନ୍ ବନ୍ଧାଯାଉନି । ୭ ହାତୀଙ୍କ ସାଙ୍ଗରେ ଯାଉଛନ୍ତି ୧୪ ମାହୁନ୍ତ । ମର୍ଣ୍ଣିଂୱାକ୍ କରିବା ପରେ ସେମାନେ ପାଠଶାଳାକୁ ଫେରୁଛନ୍ତି । ସେଠାରେ ଅଧଘଣ୍ଟାଏ ବିଶ୍ରାମ ନିଅନ୍ତି । ରେସ୍ତୋରାଁରେ ସକାଳ ଜଳଖିଆରେ ସେମାନଙ୍କୁ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଇବାକୁ ଦିଆଯାଇଥାଏ ।
ଜଳଖିଆ ଖାଇବା ପରେ ହାତୀମାନେ ଅଧଘଣ୍ଟା ବିଶ୍ରାମ ନିଅନ୍ତି । ତା'ପରେ ସେମାନେ ବାହାରିପଡ଼ନ୍ତି ଜଙ୍ଗଲ ଭିତରକୁ । ଜଙ୍ଗଲରେ ୭ରୁ ୮ କିମି ପର୍ଯ୍ୟନ୍ତ ଯାଇ ଡାଳପତ୍ର ଖାଇଥାନ୍ତି । ସେମାନଙ୍କ ସହିତ ମାହୁନ୍ତ, ସହକାରୀ ମାହୁନ୍ତମାନ ଯାଇଥାନ୍ତି । ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ହେଲେ ଫେରି ଆସନ୍ତି । କୁମାରଖୁଣ୍ଟି ଡ୍ୟାମରେ ମନଭରି ଗାଧୁଆପାଧୁଆ କରିଥାନ୍ତି । ସେମାନଙ୍କୁ ମାହୁନ୍ତମାନେ ଘଷାଘଷି କରି ଭଲରେ ଗାଧୋଇ ଦିଅନ୍ତି । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇବା ପରେ ହାତୀମାନେ ପାଣିରୁ ଉଠିଥାନ୍ତି । ସେଠାରୁ ପାଠଶାଳାକୁ ଫେରନ୍ତି ।
ପାଠଶାଳାକୁ ଫେରିବା ପରେ ସେମାନଙ୍କୁ ରେସ୍ତୋରାଁରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ । ମଧ୍ୟାହ୍ନ ଭୋଜନରେ ସେମାନଙ୍କ ପାଇଁ ମୁଗ, ଚାଉଳ, କୋଳଥ ଓ ପରିବା ମିଶାଇ ରନ୍ଧା ଯାଇଥାଏ । ସେଥିରେ ନଡ଼ିଆ, କଦଳୀ, ଗୁଡ଼ ପକାଇ ବଲ୍ କରାଯାଇଥାଏ । ସେହି ବଲ୍କୁ ହାତୀ ପାଟିରେ ମାହୁନ୍ତମାନେ ଖୁଆଇ ଦେଇଥାନ୍ତି । ହାତୀମାନେ ମହାନନ୍ଦରେ ତାକୁ ଖାଇଥାଆନ୍ତି । ଖାଇ ସାରିବା ପରେ ସେମାନେ ଅଧ ଘଣ୍ଟାଏ ଫୁଟବଲ୍ ବା ଅନ୍ୟାନ୍ୟ ଖେଳ ଖେଳନ୍ତି । ଖେଳିସାରିବା ପରେ ସେମାନେ ବ୍ୟାୟାମ କରନ୍ତି । ତା'ପରେ ଜଙ୍ଗଲରୁ ସାଙ୍ଗରେ ଧରି ଆସିଥିବା ଡାଳପତ୍ର ଖାଇଥାନ୍ତି । ରାତିରେ ବିଶ୍ରାମାଗାରକୁ ଯାଇ ବିଶ୍ରାମ ନେଇଥାନ୍ତି । ପ୍ରତିଦିନ ଗୋଟିଏ ହାତୀ ୬ କେଜି ଗହମ, ୫ କେଜି ଚାଉଳ, ୧ କେଜି ମୁଗ, ୧ କେଜି କୋଳଥ, ୪ଟି ନଡ଼ିଆ, ୨ରୁ ୩ କେଜି ପରିବା ଓ ୫୦୦ ଗ୍ରାମ ଗୁଡ଼ ଖାଇଥାନ୍ତି ।
ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ, ତାଲିମ ନେଇ ସାରିବା ପରେ ଏହି ହାତୀଙ୍କୁ ଜଙ୍ଗଲ ଜଗିବା କାର୍ଯ୍ୟରେ ନିୟୋଜିତ କରାଯିବ । ଅମାନିଆ ହାତୀଙ୍କୁ ଘଉଡ଼ାଇବା ସହ କାଠ ଚୋରଙ୍କୁ ମଧ୍ୟ ଏମାନେ ଜଙ୍ଗଲରୁ ତଡ଼ିବେ । ଏଥିସହ ପର୍ଯ୍ୟଟକମାନଙ୍କୁ ପିଠିରେ ବସାଇ ବୁଲାଇବା କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯିବ । ଯାହାଫଳରେ ବନ ବିଭାଗର ରାଜସ୍ୱ ବଢ଼ିବ । ଏଥିସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ହିଂସ୍ର ହେଉଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ କରିବା କାମରେ ଏହି ତାଲିମପ୍ରାପ୍ତ ହାତୀମାନଙ୍କ ସହାୟତା ନିଆଯିବ ।
ସୂଚନା ଥାଉକି, ୨୦୨୪ ମାର୍ଚ୍ଚ ୬ରୁ ଚନ୍ଦକା କୁମାରଖୁଣ୍ଟି ଠାରେ ଆରମ୍ଭ ହୋଇଥିବା ଏହି ହାତୀ ପାଠଶାଳାକୁ ଶିମିଳିପାଳ ଜେନାବିଲିରୁ ‘ଜଗା’, ରାଉରକେଲାରୁ ‘ସୀମା’, କପିଳାସରୁ ‘ଚନ୍ଦୁ’, ‘କାର୍ତ୍ତିକ’ ଓ ‘ଉମା’, କେନ୍ଦୁଝରରୁ ‘କାହ୍ନା’ ଓ ନର୍ଲାରୁ ‘ରାଧିକା’ ହାତୀ ଏଠାକୁ ଆସି ପାଠ ପଢ଼ୁଛନ୍ତି । ଏହି ସବୁ ହାତୀମାନେ ଛୁଆଟି ବେଳୁ ବିଭିନ୍ନ ଜଙ୍ଗଲରେ ଖାତ କିମ୍ବା କୂଅରେ ଖସିପଡ଼ି ମଣିଷଙ୍କ ଦ୍ୱାରା ଉଦ୍ଧାର ହେବାପରେ ମା’ ସମେତ ପଲ ଆଉ ଗ୍ରହଣ କରି ନଥାନ୍ତି । ବନ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇ ଏହିଭଳି ଏଲିଫ୍ୟାଣ୍ଟ୍ ରେସ୍କ୍ୟୁ ସେଣ୍ଟରରେ ରହିଥାନ୍ତି । ସେଠାରୁ ଏମାନଙ୍କୁ ଆଣି ଚନ୍ଦକା କୁମାରଖୁଣ୍ଟିସ୍ଥିତ ହାତୀ ପାଠଶାଳାରେ କୁମ୍କୀ ତାଲିମ ପ୍ରଦାନ କରାଯାଉଛି ।