ଲସ୍‌ ଏଞ୍ଜେଲସ,୧୧/୦୧: କାଲିଫର୍ଣ୍ଣିଆରେ ନିଆଁ  ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଆଖି ଆଗରେ ଗଛ, ଲତା,  ଘର ଏବଂ ଆବାସପତ୍ର  ସବୁ କିଛି ପୋଡ଼ି  ଛାରଖାର ହୋଇଯାଉଛି ।  ଏହି ନିଆଁ ଗ୍ରାସ କରି  ଦେଇଛି ଆମେରିକାର  କିମ୍ବଦନ୍ତୀ ସୁଇମର ଗ୍ୟାରୀ ହଲ ଜୁନିୟରଙ୍କର ୧୦  ଅଲିମ୍ପିକ୍ସ ପଦକ ଏବଂ ୬ଟି ବିଶ୍ୱ ଚାମ୍ପିଅନସିପ୍‌ ପଦକ ।  

ଅତି ଦୁଃଖର ସହ ଗ୍ୟାରୀ କହିଛନ୍ତି, ‘ମୋ ଆଖି  ଆଗରେ ସବୁ କିଛି ଜଳିଗଲା କିନ୍ତୁ ମୁଁ କିଛି କରିପାରିଲି  ନାହିଁ । ଭାବୁଥିଲି ଘରୁ ପଦକ ଆଣିବାର ଯଥେଷ୍ଟ ସମୟ ମୋ  ପାଖରେ ଅଛି । କିନ୍ତୁ ପାହାଡ଼ରୁ ଯେମିତି ନିଆଁ ମାଡ଼ି ଆସୁଥିଲା  ତାହା ଅତି ଭୟଙ୍କର ଥିଲା । କେବଳ ଗୋଟିଏ ପେଣ୍ଟିଂ ସହ  ମୋ ଗାଡ଼ିକୁ ନେଇ ଫେରି ଆସିଲି । ଏତିକିବେଳେ ଆକାଶରୁ  ଅଗ୍ନି ପିଣ୍ଡୁଳା ବର୍ଷା ହେଉଥିଲା । ମୋ ଶୋଇବା କୋଠରୀରେ ସବୁ ପଦକ ଥିଲା । ଯାହା ମୋଠାରୁ ମାତ୍ର ୭୦ ମିଟର  ଦୂରରେ ରହିଥିଲା । କିନ୍ତୁ ମୋ ପାଖରେ ସମୟ ନଥିଲା  ଯାଇ ପଦକ ଆଣିବାକୁ । ୩ ମିନିଟ ମଧ୍ୟରେ ପାହାଡ଼  ଉପରୁ ନିଆଁ ଆସି ସବୁ କିଛି ଗ୍ରାସ କରି ପକାଇଲା ।’