ମୁମ୍ବାଇ ୧୮/୧୨: ମଉଳିଗଲା ଭାରତର ଆଶା। ଭାରତ ଦ୍ୱାରା ଓସ୍କାର ପାଇଁ ମନୋନୀତ ହୋଇଥିବା ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ରେସ୍‌ରୁ ବାଦ ପଡିଛି। ଏହି ଫିଲ୍ମଟି ଭାରତରେ ଖୁବ୍‌ ପ୍ରଶଂସା ସାଉଁଟିଥିଲା। ଛୋଟ ବଜେଟ୍ ଫିଲ୍ମ ହେଲେ ବି ବକ୍ସ ଅଫିସରେ ଚମତ୍କାର କମାଇ କରିଥିଲା। କିନ୍ତୁ 'ଲାପତା ଲେଡିଜ୍' ମନୋନୀତ ୧୫ ଟି ଫିଲ୍ମରେ ମଧ୍ୟରେ ନିଜର ସ୍ଥାନ ପାଇପାରି ନାହିଁ। ଯେଉଁଥିପାଇଁ ଭାରତର ଆଶା ମଉଳି ଯାଇଛି। 

କିରଣ ରାଓଙ୍କ 'ଲାପତା ଲେଡିଜ୍'କୁ ଫରେନ୍‌ କାଟାଗୋରୀ ପାଇଁ ପଠାଯାଇଥିଲା । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ସେପ୍ଟେମ୍ବର ୨୩ ରେ, ଏହାକୁ ଓସ୍କାର ୨୦୨୫ କୁ ପଠାଇବାକୁ ଘୋଷଣା କରିଥିଲା । ରବି କିଶନ, ସ୍ପର୍ଶ ଶ୍ରୀବାସ୍ତବ, ପ୍ରତୀଭା ରାଣ୍ଟା ଏବଂ ନିତାଂଶୀ ଗୋୟଲ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଛନ୍ତି। ଏହି ଫିଲ୍ମଟି ଆମୀର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ । 

ତେବେ ଲେଖକ ତଥା  ନିର୍ଦ୍ଦେଶକ ଏଡମ ଜେ. ଗ୍ରେଭ୍ସ ସୁଚିତ୍ରା ମିତ୍ରାଇଙ୍କ ଫିଲ୍ମ ‘ଅନୁଜା’କୁ ଲାଇଭ୍‌ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ଶେଷ ୧୫ ଟି ଫିଲ୍ମର ଓସ୍କାର ତାଲିକାରେ ଚୟନ କରାଯାଇଛି । ଏହି ବର୍ଗରେ ପୁରସ୍କାର ପାଇବା ପାଇଁ ସାରା ବିଶ୍ୱରୁ ୧୮୦ ଫିଲ୍ମ ଚୟନ କରାଯାଇଥିଲା । ଗତ ବର୍ଷ ନିର୍ମାତା ଗୁନିତ୍‌ ମୋଙ୍ଗାଙ୍କ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଭାବେ 'ଦ ଏଲିଫ୍ୟାଣ୍ଟ ୱିସ୍ପରର୍ସ ' ଓସ୍କାର ପୁରସ୍କାର ପାଇଥିଲା ।