ଭୁବନେଶ୍ୱର,୨୪/୦୩: ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କ କାମ କରିବା ଉପରେ କଟକଣା ଲାଗିବ । ଏହି ସମୟରେ ଅଧିକ ତାତି ଓ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବାରୁ କାମ ବନ୍ଦ ରଖିବେ । ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ପାଇଁ ଶ୍ରମ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି ।
ଆସନ୍ତା ୧ ତାରିଖରୁ ଜୁନ ୧୫ ତାରିଖ ଯାଏ ଏହି ନିୟମ ଲାଗୁ ହେବ । ରାଜ୍ୟ ସରକାରଙ୍କ ସବୁ ବିଭାଗ ତଥା ରାଜ୍ୟରେ ଥିବା କେନ୍ଦ୍ରର ସବୁ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ ଠିକାଦାରମାନେ ଏହି ନିୟମ ମାନିବାକୁ ଅନୁରୋଧ କରାଯାଇଛି । ୧୧ଟାରୁ ୩ଟା ଯାଏ ଶ୍ରମିକଙ୍କୁ କାମରେ ନ ଲଗାଇ ବିଶ୍ରାମ ଦେବାକୁ କୁହାଯାଇଛି । ଆବଶ୍ୟକ ହେଲେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି । ଅତ୍ୟାବଶ୍ୟକ ସେବା ବା ଯେଉଁ କ୍ଷେତ୍ରରେ ଏହି ନିର୍ଦ୍ଦିଷ୍ଟ ସମୟରେ ଶ୍ରମିକଙ୍କ କାମ ବନ୍ଦ କରିହେବନି, ସେଠାରେ ଖରା ଓ ତାତିରୁ ରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ :- ବରମୁଣ୍ଡାରେ ଖୋଲିବ ଭିସା ଆବେଦନ କେନ୍ଦ୍ର
ଏଭଳି କ୍ଷେତ୍ରରେ ଶ୍ରମିକଙ୍କ କାମ ପାଇଁ ଛାଇର ବ୍ୟବସ୍ଥା କରିବା ସହ ଥଣ୍ଡା ପାଣି, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଓ ଶ୍ରମିକଙ୍କ ପାଇଁ ଓଆରଏସ୍ ପ୍ୟାକେଟର ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ଲାଗୁ କରିବାକୁ ସବୁ ରାଜସ୍ୱ କମିଶନର, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ କୁହାଯାଇଛି । ଜିଲ୍ଲା ଚିକିତ୍ସାଧିକାରୀ, ଉପମଣ୍ଡଳ ଚିକିତ୍ସାଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଥିବା ଚିକିତ୍ସାଳୟର କର୍ତ୍ତୃପକ୍ଷ ଗ୍ରୀଷ୍ମ ପ୍ରବାହର ସମ୍ଭାବ୍ୟ ମୁକାବିଲା ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।