ନୂଆଦିଲ୍ଲୀ ୦୭/୦୫:  ବ୍ରାଜିଲର ରିଓ ଡି ଜେନେରିଓସ୍ଥିତ ପ୍ରସିଦ୍ଧ କୋପାକାବାନା ବେଳାଭୂମି ଶନିବାର ଏକ ଐତିହାସିକ କାର୍ଯ୍ୟକ୍ରମର ମୂକସାକ୍ଷୀ ରହିଥିଲା । ସେଠାରେ ପପ୍‌ ସୁପରଷ୍ଟାର ଲେଡି ଗାଗାଙ୍କର ମାଗଣା କନ୍‌ସର୍ଟରେ ପ୍ରାୟ ୨୫ ଲକ୍ଷ ଲୋକ ସାମିଲ ହୋଇଥିଲେ । ଏହା କୌଣସି ମହିଳା କଳାକାରଙ୍କ କନସର୍ଟରେ ସର୍ବାଧିକ ଭିଡ଼ । ଏହି ଧମାକାଦାର ପ୍ରଦର୍ଶନ ଜରିଆରେ ଲେଡି ଗାଗା ମାଡୋନାଙ୍କର ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛନ୍ତି । ପ୍ରାୟ ୧୦ ବର୍ଷ ପରେ ବ୍ରାଜିଲରେ ଲେଡି ଗାଗାଙ୍କର ଏହା ପ୍ରଥମ କନ୍‌ସର୍ଟ ଥିଲା । ନିଜର ୨୦୧୧ର ହିଟ୍‌ ଗୀତ ବ୍ଲଡି ମ୍ୟାରି ସହିତ କନ୍‌ସର୍ଟର ଆରମ୍ଭ କରିଥିଲେ ଲେଡି ଗାଗା । ଏହାପରେ ସେ ନିଜର ପୁରୁଣା କ୍ଲାସିକ୍‌ ଗୀତ ଓ ନିକଟରେ ରିଲିଜ୍‌ ହୋଇଥିବା ଆଲବମ୍‌ ‘ମେହମ୍‌’ର ଗୀତରେ ଧମାକାଦାର ପ୍ରଦର୍ଶନ ଦେଇଥିଲେ । ଏଥିସହ ଦର୍ଶକମାନେ ତାଳି ମାରି ଝୁମିଥିଲେ ।

ନିଜର ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏହି ସ୍ୱତନ୍ତ୍ର ମୂହୂର୍ତ୍ତ ସଂପର୍କରେ ଲେଡି ଗାଗା ଲେଖିଛନ୍ତି, ଶନିବାର ରାତିରେ ଶୋ’ ସମୟରେ ଯେଉଁ ଅନୁଭବ ହେଲା ସେଥିଲାଗି ପ୍ରସ୍ତୁତ ନଥିଲି । ବ୍ରାଜିଲ ଲୋକଙ୍କ ଲାଗି ଗାଇବା ସମୟରେ ମୋତେ ଯେଉଁ ଗର୍ବ ଓ ଖୁସି ଅନୁଭବ ହେଲା ତାକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ । ଗୀତ ଆରମ୍ଭ କରିବା ସମୟରେ ଭିଡ଼କୁ ଦେଖି ଶ୍ୱାସକ୍ରିୟା ଅଟକିଗଲା ଭଳି ଲାଗିଲା । ୨୫ ଲକ୍ଷ ଲୋକ ମୋତେ ଦେଖିବାକୁ ଆସିଥିଲେ ଯାହାକି କୌଣସି ମହିଳା କଳାକାରଙ୍କ ଲାଗି ସବୁଠୁ ବଡ଼ ରେକର୍ଡ । ଏହି ଖୁସି ବିଶ୍ୱର ପ୍ରତି କୋଣ ଅନୁକୋଣରେ ପହଞ୍ଚୁ ବୋଲି ଚାହୁଁଛି । ଏଥିସହ ଏତେସଂଖ୍ୟକ ଲୋକ ତାଙ୍କ କନ୍‌ସର୍ଟରେ ପହଞ୍ଚିବା ଯୋଗୁ ସେ ଧନ୍ୟବାଦ ମଧ୍ୟ ଦେଇଥିଲେ । କନ୍‌ସର୍ଟର ଆୟୋଜକଙ୍କ ଅନୁସାରେ ଲେଡି ଗାଗାଙ୍କ ପୂର୍ବରୁ ଏହି ରେକର୍ଡ ମାଡୋନାଙ୍କ ନାମରେ ଥିଲା । ୬୬ ବର୍ଷୀୟ ମାଡୋନା ସମାନ ସ୍ଥାନରେ ୧୬ ଲକ୍ଷ ଦର୍ଶକଙ୍କ ସହିତ ସବୁଠୁ ବଡ଼ କନ୍‌ସର୍ଟର ରେକର୍ଡ କରିଥିଲେ । ଗତ ବର୍ଷ ମେ ମାସରେ ସେହି ମାଗଣା କନ୍‌ସର୍ଟ ଆୟୋଜିତ ହୋଇଥିଲା ।