ନୂଆଦିଲ୍ଲୀ, ୧୨/୧୨ : ପାକିସ୍ତାନରେ ଗୁଞ୍ଜୁଛି ସଂସ୍କୃତ ଶ୍ଳୋକ। ଗୀତା-ଭାଗବତ ଶୁଣୁଛନ୍ତି ପିଲା। ଲାହୋର ୟୁନିଭରସିଟିରେ କୋର୍ସ ଆରମ୍ଭ। ରାମାୟଣ-ମହାଭାରତ ଉପରେ ଆରମ୍ଭ ହେବ ରିସର୍ଚ। ପ୍ରାଚୀନ ଗ୍ରନ୍ଥ ଓ ଦର୍ଶନ ପରମ୍ପରା ବୁଝିବାକୁ ମିଳିବ ସୁଯୋଗ। ସଂସ୍କୃତର ବିଶାଳ ସାରଗର୍ଭକୁ ବୁଝିବେ ଛାତ୍ରଛାତ୍ରୀ। ଆଗାମୀ ୧୦ରୁ ୧୫ ବର୍ଷ ଭିତରେ ପାକିସ୍ତାନରୁ ବାହାରିବେ ସଂସ୍କୃତ ବିଦ୍ଵାନ। ସ୍ଵାଧିନତା ପରେ ପ୍ରଥମ ଥର ପାଇଁ ପାକିସ୍ତାନୀ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପଢା ହେଉଛି ସଂସ୍କୃତ।
ଲାହୋର ୟୁନିଭରସିଟି ଅଫ ମ୍ୟାନେଜମେଣ୍ଟ ସାଇନ୍ସ ସଂସ୍କୃତ କୋର୍ସ ଆରମ୍ଭ କରିଛି। ୩ ମାସିଆ ସଂସ୍କୃତ ୱାର୍କସପ୍ରେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସାହ ଦେଖାଇବାରୁ ଏବେ ବିଶ୍ଵବିଦ୍ୟାଳୟ ପାଠ୍ୟକ୍ରମ ଆରମ୍ଭ କରିଛି। ଏହି ୩ ମାସିଆ ୱାର୍କସପ୍ରେ ସଂସ୍କୃତ ବ୍ୟାକରଣ ଠାରୁ ପୁରାଣ ଯାଏଁ ବିସ୍ତୃତ ଚର୍ଚ୍ଚା ଆଲୋଚନା ହୋଇଛି। ସ୍ଵାଧୀନତା ପରଠାରୁ ପ୍ରଥମ ଥର ପାକିସ୍ତାନୀ ବିଶ୍ଵବିଦ୍ୟାଳୟରେ ସଂସ୍କୃତ ପାଠପଢା ହୋଇଛି। ଏବେ ଛାତ୍ରଛାତ୍ରୀମାନେ ସଂସ୍କୃତରେ ଡିପ୍ଲୋମା କରିପାରିବେ। ପାଠ୍ୟକ୍ରମର ସିଟ୍ ସଂଖ୍ୟା ସୀମିତ ଅଛି। ୨୦୨୭ ବେଳକୁ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରହିଛି। ଖୁବଶୀଘ୍ର ରାମାୟଣ, ମହାଭାରତ, ଗୀତା, ଭାଗବତ ଉପରେ ରିସର୍ଚ ହେବ।
ଭାରତୀୟ ଉପମହାଦେଶର ଏହି ଅଞ୍ଚଳରେ ବେଦ ରଚିତ ହୋଇଥିଲା ବୋଲି ଅନେକ ଐତିହାସିକ ବିଶ୍ୱାସ କରନ୍ତି। ତେଣୁ ପାକିସ୍ତାନର ଇତିହାସ ଏବଂ ଭାଷାବିଜ୍ଞାନ ପାଇଁ ସଂସ୍କୃତ ଏବଂ ବେଦ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲାହୋର ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସରେ ବର୍ତ୍ତମାନ ପଞ୍ଜାବୀ, ପାସ୍ତୋ, ସିନ୍ଧୀ, ବେଲୁଚି, ଆରବୀ ଏବଂ ପାରସୀ ଶିକ୍ଷା ଦିଆଯାଉଛି। ଏହି ଭାଷାଗୁଡ଼ିକର ଅନେକ ଶବ୍ଦ ସଂସ୍କୃତରୁ ସୃଷ୍ଟି। ତେଣୁ ପିଲାମାନେ ସଂସ୍କୃତ ଅଧ୍ୟୟନ କଲେ ସମଗ୍ର ଭାଷାଗତ ଇକୋସିଷ୍ଟମ ସୁଦୃଢ଼ ହେବ। ଫର୍ମନ କ୍ରିଶ୍ଚିୟନ କଲେଜର ପ୍ରଫେସର ଶାହିଦ ରାଶିଦ ଏହି ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି। ରାଶିଦ କହିଛନ୍ତି ଯେ, ସଂସ୍କୃତର ବ୍ୟାକରଣବିଦ ପାଣିନୀଙ୍କ ଗାଁ ଏହି ଅଞ୍ଚଳରେ ଥିଲା। ସିନ୍ଧୁ ଘାଟୀ ସଭ୍ୟତା ସମୟରେ ପାକିସ୍ତାନର ସିନ୍ଧ ଅଞ୍ଚଳରେ ବହୁ ଗ୍ରନ୍ଥର ରଚନା ହୋଇଥିଲା। ସଂସ୍କୃତ ଏକ ପର୍ବତ। ଏହା ସାଂସ୍କୃତିକ ସ୍ମାରକ। ଏହା କୌଣସି ଗୋଟିଏ ଧର୍ମରେ ବନ୍ଧା ହେବା ଉଚିତ୍ ନୁହେଁ, ଏହା ସମସ୍ତଙ୍କର।
ଲାହୋର ୟୁନିଭରସିଟିରେ ସଂସ୍କୃତର ପ୍ରାଚୀନ ପାଣ୍ଡୁଲିପି ରହିଛି। ଏହି ପାଣ୍ଡୁଲିପିଗୁଡ଼ିକୁ ୧୯୩୦ ମସିହାରେ ବିଦ୍ୱାନ JCR ୱୁଲନର ତାଳପତ୍ରରେ ସଂଗ୍ରହ କରିଥିଲେ। ୧୯୪୭ ପରଠାରୁ ଏହା ଉପରେ କେହି ଧ୍ୟାନ ଦେଇ ନାହାଁନ୍ତି। ଏବେ ବିଶ୍ଵବିଦ୍ୟାଳୟ ଏହି ପାଣ୍ଡୁଲିପି ଉପରେ ଅଧ୍ୟୟନ ଏବଂ ସଂରକ୍ଷଣ ଉପରେ କାମ ଆରମ୍ଭ କରିଛି। ପାକିସ୍ତାନରେ ସଂସ୍କୃତ ଏବଂ ଭାରତୀୟ ପ୍ରାଚୀନ ଗ୍ରନ୍ଥର ଅଧ୍ୟୟନ ସାଂସ୍କୃତିକ ଓ ଶିକ୍ଷଣ ସ୍ତରରେ ମାର୍ଗ ପ୍ରଶସ୍ତ କରିବ। ଏହାଦ୍ଵାରା ଦୁଇ ଦେଶ ମଧ୍ୟରେ ସହଭାଗୀ ଐତିହ୍ୟ ଉପରେ ଆଲୋଚନା ବୃଦ୍ଧି କରିବାର ସମ୍ଭାବନା ସୃଷ୍ଟି କରିବ।