ନୂଆଦିଲ୍ଲୀ,୨୪/୧୧: ଭାରତ ଜନ୍ମିତ ଇସ୍ପାତ ଉଦ୍ୟୋଗୀ ଲକ୍ଷ୍ମୀ ଏନ୍ ମିତ୍ତଲ ବ୍ରିଟେନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଅତିଧନୀଙ୍କ ଉପରେ ଲେବର ପାର୍ଟି ସରକାର ଟିକସ ଲାଗୁ କରିବା ନିଷ୍ପତ୍ତି ଯୋଗୁ ଶ୍ରୀ ମିତ୍ତଲ ବ୍ରିଟେନ ଛାଡୁଥିବା ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ରାଜସ୍ଥାନ ଜନ୍ମିତ ମିତ୍ତଲ ସ୍ୱିଜରଲାଣ୍ଡରେ ନାଗରିକତା ଗ୍ରହଣ କରିଛନ୍ତି । ତେବେ ଦୁବାଇରେ ସେ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସଣ୍ଡେ ଟାଇମ୍ସ ରିପୋର୍ଟ କରିଛି ।
ଆର୍ସେଲର ମିତ୍ତଲ ପ୍ରତିଷ୍ଠାତା ଶ୍ରୀ ମିତ୍ତଲଙ୍କର ନେଟ୍ୱର୍ଥ ୧୫.୪ ବିଲିୟନ ପାଉଣ୍ଡ ରହିଛି । ସେ ବ୍ରିଟେନର ୮ମ ଧନୀ ବ୍ୟକ୍ତି । ବ୍ରିଟେନ ସରକାର ବହୁ ପ୍ରତିକ୍ଷୀତ ଅତିଧନୀ ଟିକସ ଲାଗୁ କରିବାକୁ ଯାଉଛନ୍ତି । ଫଳରେ ଦେଶ ଛାଡିବାକୁ ଥିବା ବିଲିୟନେୟାରଙ୍କ ମଧ୍ୟରେ ଶ୍ରୀ ମିତ୍ତଲ ରହିଥିବା ରିପୋର୍ଟ ପ୍ରକାଶ ପାଇଛି । ଦୁବାଇରେ ଶ୍ରୀ ମିତ୍ତଲ ଏକ ବଡ ଘର କିଣିଛନ୍ତି । ସେହିଭଳି ୟୁଏଇରେ ନାଇଆ ଦ୍ୱୀପରେ ସେ ସମ୍ପତ୍ତି କିଣିଥିବା କୁହାଯାଉଛି ।