ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ଲଳିତ ମୋଦିଙ୍କ ଭାଇ ସମୀର ମୋଦି ଗିରଫ । ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନି ପୋଲିସ ଷ୍ଟେସନ ତାଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ ସୂତ୍ର ଏହି ସୂଚନାକୁ ନିଶ୍ଚିତ କରିଛି । ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି ବୋଲି ସୂତ୍ରରୁ ଜଣାପଡିଛି। ସୂତ୍ର ଅନୁଯାୟୀ, ଏହି ଦୁଷ୍କର୍ମ ମାମଲା ପୁରୁଣା । ସମୀର ମୋଦି ଆଜି ( ଗୁରୁବାର) ବିଦେଶରୁ ଦିଲ୍ଲୀ ଫେରିବା ପରେ ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା, ଯାହା ପରେ ତାଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା।
ସୂତ୍ର ଅନୁଯାୟୀ, ଏହି ମାମଲା ତାଙ୍କ ପୂର୍ବତନ ଲିଭ୍-ଇନ୍ ପାର୍ଟନରଙ୍କ ଦ୍ୱାରା ପୂର୍ବରୁ ଦାୟର କରାଯାଇଥିବା ଅଭିଯୋଗ ସହିତ ଜଡିତ। ଦକ୍ଷିଣ-ପୂର୍ବ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା।
ସମୀର ମୋଦି, ମୋଦି ଏଣ୍ଟରପ୍ରାଇଜେସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏହା ସହ ସେ ଗଡଫ୍ରେ ଫିଲିପ୍ସ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଇଣ୍ଡୋଫିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ମଧ୍ୟ। ୫୫ ବର୍ଷୀୟ ସମୀର ମୋଦି ୧୯୯୨ ମସିହାରେ ଆମେରିକାରେ ଫିଲିପ୍ ମୋରିସ୍ ସହିତ ପ୍ରଶିକ୍ଷାର୍ଥୀ ଭାବରେ କାମ କରିବା ଆରମ୍ଭ କରିଥିଲେ। ତା’ପରେ ସେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ। ସେ ୧୯୯୬ ମସିହାରେ ମୋଦିକେୟାର ଆରମ୍ଭ କରିଥିଲେ।
ଲଲିତ ମୋଦି ୨୦୦୮ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ଟୁର୍ନାମେଣ୍ଟ ପ୍ରତିଷ୍ଠା କରିଥିଲେ। ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆସିଥିଲା ଏବଂ ମାମଲା ପ୍ରଘଟ ହେବା ପରେ ସେ ଦେଶ ଛାଡି ପଳାଇଥିଲେ। ଲଲିତ ମୋଦି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରାୟତଃ ପୋଷ୍ଟ କରନ୍ତି।