କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୧/୧୨: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧୀନ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ରାଜସ୍ୱ ମୌଜାରେ ଜଙ୍ଗଲ ଜମି ଦଖଲକୁ ନେଇ ଦୁଇ ଗୋଷ୍ଠୀ ଗତକାଲି ମୁହାଁମୁହିଁ ହୋଇଥିଲେ । ଗୋଟିଏ ପକ୍ଷ ଧାନ କାଟିବାକୁ ଉଦ୍ୟମ କରୁଥିଲା ବେଳେ ପ୍ରତିପକ୍ଷ ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲେ । ପରେ ପୁଲିସ ପହଞ୍ଚି କଳି ତୁଟାଇବାକୁ ଉଦ୍ୟମ କରିଥିଲେ ହେଁ ଶନିବାର ଏହା ଉଗ୍ର ରୂପ ନେଇଥିଲା । କଟାଧାନକୁ ପ୍ରଶାସନ ନିଜ ଦଖଲକୁ ନେବା ବେଳେ ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଗଣ୍ଡଗୋଳ ହୋଇଛି । କେହି କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ । ବିଲ ମଝିରେ ପରସ୍ପରକୁ ପିଟିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ପରେ ଉତ୍ତେଜନା ପ୍ରଶମିତ ହୋଇଥିଲେ ମଧ୍ୟ ତତ୍କାଳ ପରିସ୍ଥିତିକୁ ଲକ୍ଷ୍ୟ କରି ଯେଉଁ ଜାଗାରେ ଧାନ ଅମଳ ହେବ ଏବଂ ପେଟଛେଲା ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି । ଏଥିସହ ଉଭୟ ପକ୍ଷଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଏକ ପ୍ଲାଟୁନ୍ ଫୋର୍ସ ଧାନବିଲ ଜଗିବା ସହ ଧାନ ବିଲରେ ମଧ୍ୟ ନାଲିପତାକା ମରାଯାଇଛି ।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ କିସମ ଜମିରେ କରିଥିବା ଫସଲକୁ ପ୍ରଶାସନ ନିଜ ହେପାଜତକୁ ନେବା ପାଇଁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ମିଳିଥିଲା । କଟାଧାନକୁ ପ୍ରଶାସନ କିଭଳି ନିଜ ଅକ୍ତିଆରକୁ ନେବ, ସେ ନେଇ ଦିନ ତମାମ ପେଟଛେଲା ପୋଲ ପାଖରେ ପ୍ରଶାସନ ଡେରା ପକାଇଥିଲା । ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀ ଓ ତହସିଲ ପ୍ରଶାସନର ଅଧିକାରୀମାନେ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ । ଅପରପକ୍ଷେ ଜମି ଚାଷ କରିଥିବା କିଛି ଲୋକ ଓ ଏହି ଜମିକୁ ନିଜର ବୋଲି ଦାବିକରି ଆସୁଥିବା କିଛି ଲୋକଙ୍କ ସମର୍ଥକମାନେ ମଧ୍ୟ ଅପର ଦିଗରେ ମେଳି ବାନ୍ଧିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଏକପ୍ରକାର ଛକାପଞ୍ଝା ଚାଲିଥିଲା । ଯେତେବେଳେ ମହାକାଳପଡ଼ା ତହସିଲଦାର ଓ ପୁଲିସ୍ ପ୍ରଶାସନ କିଛି ଲୋକଙ୍କୁ ସାଙ୍ଗରେ ଧରି ଧାନ ଅମଳ ମେସିନ୍‌କୁ  ସାଥିରେ ନେଇ ବିଲରେ ପ୍ରବେଶ କରିଥିଲେ, ସେତେବେଳେ ଧାନ ଚାଷ କରିଥିବା କିଛି ଲୋକ ମଧ୍ୟ କାହିଁକି ଆମ ଧାନକୁ ନିଆଯାଉଛି କହି ପ୍ରତିବାଦ କରିଥିଲେ । ଏହି ସମୟରେ ପ୍ରଶାସନ ସହିତ ଧାନ ଚାଷ କରିଥିବା ଲୋକମାନଙ୍କର ମୁକାବିଲା ହେବା ପରିବର୍ତ୍ତେ ଯେଉଁମାନେ ଶ୍ରମିକ ସାଜି ବିଲକୁ ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ମାର୍‌ପିଟ୍ ହୋଇଥିଲା । ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ମାଡ଼ଗୋଳ, ଠେଲାପେଲା ହୋଇଥିଲା । ଏଥିରେ ୨ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ପରିସ୍ଥିତି ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଯିବା ଭଳି ପରିସ୍ଥିତି ଉପୁଜିଥିଲା । ଏହା ପରେ ଉଭୟପକ୍ଷଙ୍କୁ ବୁଝାଶୁଝା କରିବା ପରେ ତୁରନ୍ତ ବିଲ ଛାଡ଼ି ଚାଲିଯିବା ପାଇଁ ସମସ୍ତଙ୍କୁ କୁହାଯାଇଥିଲା । ଧାନ ଚାଷ କରିଥିବା ପାଖାପାଖି ୨୦ ଲୋକଙ୍କ ଘର ଆଗରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଝୁଲାଯାଇଥିଲା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି । କେବଳ ପେଟଛେଲା ପୋଲ ପାଖରେ ପୁଲିସ ଗତକାଲିଠାରୁ ଡେରା ପକାଇ ରହିଛି ।

ଆଜି ଧାନ ଅମଳ ହେବ ଓ ପ୍ରଶାସନ ନିଜ ହେପାଜତକୁ ନେବ ବୋଲି ସୂଚନା ମିଳିଛି । ପ୍ରଶାସନ ଓ ପୁଲିସର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ କେଉଁଭଳି ଏଭଳି କାଣ୍ଡ ଘଟିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏଭଳି କାଣ୍ଡ ଘଟିବା ଓ ଘଟାଇବା ପଛରେ ଯେଉଁମାନେ ଦାୟୀ ସେମାନଙ୍କ ପ୍ରତି ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଦାବି ଉଠିଛି । 

ଏହି ଘଟଣାରେ ଅତିରିକ୍ତ ଏସ୍‌ପି  ସୁଧାକର ସାହୁ, କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ମହାକାଳପଡ଼ା ଆଇଆଇସି ରାଜେନ୍ଦ୍ର ମହାପାତ୍ର, ମାର୍ଶାଘାଇ ଆଇଆଇସି ତପନ ନାୟକ, ଜମ୍ବୁ ସାମୁଦ୍ରିକ ଥାନା ଆଇଆଇସି ସୌମ୍ୟରଞ୍ଜନ ବିଶ୍ୱାଳ, ପେଟଛେଲା ଆର୍ଆଇ ମଞ୍ଜୁଲତା ମାଝି, ରାମଚଣ୍ଡୀ ଆର୍ଆଇ ବିଜୟ ବେହେରାଙ୍କ ସହିତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ରିପୋର୍ଟ ଲେଖାଯିବା ସୁଦ୍ଧା ଏ ନେଇ ଜମ୍ବୁ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇନଥିବା ସୂଚନା ମିଳିଛି ।