ବାଲେଶ୍ୱର,୧୩/୧୧(ଆଲୋକ କୁମାର ବାରିକ୍): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀଙ୍କୁ ତମାମ ଦେଶ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ଧୁମ୍‌ଧାମ୍‌ରେ ପାଳନ କରୁଛି । ଅକ୍ଟୋବର ୩୧ରୁ ଏକ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହା ଭିତରେ ରାଜ୍ୟବାସୀ ଓଡ଼ିଶା ମାଟିରେ ଜନ୍ମିତ ଆଉ ଜଣେ ସର୍ଦ୍ଦାରଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ବିଶ୍ୱରେ ଦ୍ୱିତୀୟ ଦାଣ୍ଡି ଭାବେ ଜଣାଶୁଣା ଇଞ୍ଚୁଡ଼ି ଲବଣ ଆନ୍ଦୋଳନର ନେତୃତ୍ୱ ନେଇ ‘ସର୍ଦ୍ଦାର’ ଉପାଧି ପାଇଥିବା ବାଲେଶ୍ୱର ଜିଲ୍ଲାର ସ୍ୱର୍ଗତ ସର୍ଦ୍ଦାର ସୁରେନ୍ଦ୍ର ନାଥ ଦାସ ଇତିହାସରେ ସୀମିତ ରହିଯାଇଛନ୍ତି । ଏଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଭୁଲିଯିବା ଜିଲ୍ଲାବାସୀଙ୍କୁ ଚକିତ କରିଛି । ୧୯୨୮ରେ ବର୍ଦ୍ଦୋଳି ଆନ୍ଦୋଳନର ସଫଳତା ପାଇଁ ମହାତ୍ମା ଗାନ୍ଧି ବଲ୍ଲଭଭାଇ ପଟେଲଙ୍କୁ ‘ସର୍ଦ୍ଦାର’ ଉପାଧି ଦେଇଥିଲେ ।

ସେହିଭଳି ୧୯୩୦ ମାର୍ଚ୍ଚ ୧୨ରେ କଟକର କାଠଯୋଡ଼ି ନଦୀ ପଠାରେ ତତ୍କାଳୀନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୋପବନ୍ଧୁ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ବାଲେଶ୍ୱରର ୧୭ କଂଗ୍ରେସ କାର୍ଯ୍ୟକର୍ତ୍ତା ସମେତ ମୋଟ ୨୭ଜଣ ଅଂଶଗ୍ରହଣ କରିଥିଲେ । ବୈଠକରେ ଇଂରେଜ ସରକାରଙ୍କ ଲବଣ ଆଇନ ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଇଞ୍ଚୁଡ଼ିକୁ ଚୟନ କରାଯାଇଥିଲା । କୈଳାସ ଚନ୍ଦ୍ର ଦାସଙ୍କ ପରାମର୍ଶ କ୍ରମେ ସୁରେନ୍ଦ୍ର ନାଥ ଦାସ ଏହାର ନେତୃତ୍ୱ ନେବାକୁ ରାଜି ହୋଇଥିଲେ । ହରେକୃଷ୍ଣ ମହତାବ ଏହାକୁ ସମର୍ଥନ କରିଥିଲେ । ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ପାଇଁ ସୁରେନ୍ଦ୍ର ନାଥ ଦାସଙ୍କୁ ‘ସର୍ଦ୍ଦାର’ ଭାବେ ଘୋଷଣା କରାଯାଇଥିବା ତଥ୍ୟ ୧୯୩୧ରେ ମହଦେବ ଦେଶାଇଙ୍କ ଲେଖାରୁ ପ୍ରମାଣ ମିଳେ । ୧୮୯୬ ମାର୍ଚ୍ଚ ୨୬ ତାରିଖ ବାଲେଶ୍ୱର ସହରଠୁ ୧୨ କିମି ଦୂର ଭୀମପୁରା ଗ୍ରାମସ୍ଥ ଖଣ୍ଡାୟତ ପରିବାରରେ ତାଙ୍କ ଜନ୍ମ ହୁଏ । ରାଜକିଶୋର ଦାସ ଓ ପ୍ରତିମା ଦାସଙ୍କ ୫ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ସେ ଥିଲେ ତୃତୀୟ ସନ୍ତାନ । ଦାରିଦ୍ର୍ୟ ସତ୍ତେ୍ୱ ସୁରେନ୍ଦ୍ର ପାଠ ପଢ଼ା ଆରମ୍ଭ କରିଥିଲେ । ୧୯୧୫ରେ ପାଟଣା ୟୁନିଭରସିଟି ଅଧୀନରେ ମାଟ୍ରିକ୍ରେ ୨ୟ ଶ୍ରେଣୀରେ ପାସ୍ କରିବା ପରେ ବିହାର ପୁଲିସ୍ରେ ସବ୍ଇନ୍ସପେକ୍ଟର ଚାକିରି କରିଥିଲେ । ପୁଲିସ୍ ଚାକିରି କରିଥିଲେ ହେଁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ସେହି ସମୟରେ ଇଂରେଜ ପୁଲିସ୍ ଯେତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ବନ୍ଦୀ କରି ଥାନାରେ ରଖୁଥିଲେ³ ସୁରେନ୍ଦ୍ର ସେମାନଙ୍କୁ ଥାନାରୁ ଖସାଇ ଦେଉଥିଲେ । ଏହା ଜଣାପଡ଼ିବା ପରେ ତତ୍କାଳୀନ ଏସ୍ପି ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ନିଲମ୍ବିତ ହେବା ପରେ ସେ ସ୍ୱାଧୀନତା ସଂଗ୍ରାମରେ ସମ୍ପୂର୍ଣ୍ଣ ଭାବେ ଝାସ ଦେଇଥିଲେ ।

ଲବଣ ସତ୍ୟାଗ୍ରହ ଇତିହାସରେ ଇଞ୍ଚୁଡ଼ି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସୁରେନ୍ଦ୍ରଙ୍କ ନାମ ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇଛି । ତାଙ୍କ ଡାକରାରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ଘରୁ ବାହାରି ଆସୁଥିଲେ । ସୁରେନ୍ଦ୍ର ଇଂରେଜ ସରକାର ପାଇଁ ଚିନ୍ତାର କାରଣ ପାଲଟିଥିବାରୁ ତାଙ୍କୁ ଗିରଫ କରିବା ପାଇଁ ସେତେବେଳେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦେଶର ସ୍ୱାଧୀନତା ପାଇଁ ସେ ୭ ଥର ଜେଲ ଯାଇ ମୋଟ ୧୦ ବର୍ଷ ୮ ମାସ ୧୭ ଦିନ ସଜା କାଟିଥିଲେ । ଜଣେ ଜନନେତା ଭାବେ ସ୍ୱାଧୀନତା ପୂର୍ବରୁ ବିଧାନ ପରିଷଦକୁ ୧୫ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଅ ବୈକୁଣ୍ଠ, ଝିଅ ଦ୍ରୌପଦୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ବୈକୁଣ୍ଠଙ୍କୁ ଗିରଫ କରି ଇଂରେଜ ପୁଲିସ୍ ଗୋଟିଏ ରାତି ଦଳ ପୋଖରୀ ଭିତରେ ଗୋଡ଼ହାତ ବାନ୍ଧି ଛିଡ଼ା କରାଇଥିଲେ । ଫଳରେ ସନ୍ନିପାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଜଣେ ସଂସ୍କାରବାଦୀ ରାଜନେତା ଭାବେ ସୁରେନ୍ଦ୍ର ନାଥ ଜିଲ୍ଲାରେ ବିଧବା ବିବାହ ପ୍ରଚଳନ କରିଥିଲେ । ପ୍ରଥମ ସ୍ତ୍ରୀ ଗୌରୀଙ୍କ ମୃତ୍ୟୁ ପରେ ପଦ୍ମପୁର ଅଞ୍ଚଳର ମୂଷୀ ନାମ୍ନୀ ଜନୈକା ବିଧବାଙ୍କୁ ବିବାହ କରିଥିଲେ । ଏମିତିକି ପ୍ରଥମ ସ୍ତ୍ରୀଙ୍କ ପୁତ୍ର ବୈକୁଣ୍ଠଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ଝିଅ ଭାବେ ପାଳନ କରିବା ସହ ଅନ୍ୟତ୍ର ବିବାହ କରାଇଥିଲେ । ଜାତିପ୍ରଥା ଭଳି କୁତ୍ସିତ ପରମ୍ପରାକୁ ଭାଙ୍ଗିବା ପାଇଁ ଗାନ୍ଧିଜୀ ‘ହରିଜନ ଯାତ୍ରା’ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଏହି ଡାକରାରେ ଓଡ଼ିଶାର ହରେକୃଷ୍ଣ ମହତାବ, ସୁରେନ୍ଦ୍ର ନାଥ ଅନୁପ୍ରାଣିତ ହୋଇଥିଲେ । ମହତାବ ଆଗରପଡ଼ାର ରାଧାକୃଷ୍ଣ ମନ୍ଦିରରେ ଓ ସୁରେନ୍ଦ୍ର ନାଥ ମଣିନାଗେଶ୍ୱର ମନ୍ଦିରରେ ଶତାଧିକ ହରିଜନକୁ ପ୍ରବେଶ କରାଇଥିଲେ ।

ଏସବୁ ସତ୍ତେ୍ୱ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସୁରେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ଯେମିତି ସମ୍ମାନ ମିଳିବା କଥା ତାହା ମିଳୁନି । ଭାରତବର୍ଷର ଏହି ଦ୍ୱିତୀୟ ସର୍ଦ୍ଦାରଙ୍କୁ ଆଗାମୀ ପିଢ଼ି ମନେ ପକାଇବା ପାଇଁ ସେମିତି କିଛି ସ୍ମୃତି ନାହିଁ । ଓଡ଼ିଶା ସରକାର ନିକଟରେ ରାଜ୍ୟ ବ୍ୟାପୀ ଅନେକ ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ ନେତାଙ୍କ ସମେତ ୭୫ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ପ୍ରକଳ୍ପ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ତଦାରଖ କରାଯାଉଛି । ଦୁଃଖର ବିଷୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ତାଲିକାରେ ସର୍ଦ୍ଦାର ସୁରେନ୍ଦ୍ର ନାଥ ଦାସଙ୍କ ନାମ ନାହିଁ । ଏମିତିକି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ସହରରେ ତାଙ୍କ ପ୍ରତିମୂର୍ତ୍ତିଟିଏ ମଧ୍ୟ ନିର୍ମାଣ କରାଯାଇନି । ଏନେଇ ସର୍ଦ୍ଦାର ସୁରେନ୍ଦ୍ର ନାଥଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ଅର୍ଜୁନ ଦାସଙ୍କ ସହ ଆଲୋଚନା କରାଯାଇଥିଲା । ଭାରତ ବର୍ଷର ଦ୍ୱିତୀୟ ସର୍ଦ୍ଦାର ଉପାଧି ପାଇଥିବା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଆଖି ବୁଜି ଦେବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ସର୍ଦ୍ଦାର ସୁରେନ୍ଦ୍ରଙ୍କ ପ୍ରତି ଅଣଦେଖାକୁ ନେଇ ଐତିହାସିକ ତଥା କାବ୍ୟ ଶିଳ୍ପୀ ସର୍ବେଶ୍ୱର ଦାସ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହକୁ ସଫଳ କରିବା ପଛରେ ମୁଖ୍ୟ ବିନ୍ଧାଣୀ ଥିଲେ ସର୍ଦ୍ଦାର ସୁରେନ୍ଦ୍ର । ସ୍ୱାଧୀନତା ପାଇଁ ସେ ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ । ଏଭଳି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଣଦେଖା କରାଯିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି ।