ଭୁବନେଶ୍ୱର, ୨୩।୩ : ଆଇନ ବୃତ୍ତିକୁ ଆପଣେଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ମୂଳରୁ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ। ଜଣେ ଆଇନଜୀବୀଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ବିଶ୍ୱସ୍ତ ରହିବା ସହ ନିର୍ଭୀକ ତଥା ସ୍ୱାଧୀନ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ହେବା ଆବଶ୍ୟକ । କାରଣ ଜନସାଧାରଣଙ୍କର ନ୍ୟାୟପାଳିକା ପ୍ରତି ଅତୁଟ ବିଶ୍ୱାସ ରହିଛି ବୋଲି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ମୂରହରୀ ଶ୍ରୀ ରମଣ କହିଛନ୍ତି । ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତ୍ତି ରମଣ ଏହା କହିଥିଲେ ।

ଏହି ଅବସରରେ ନ୍ୟାୟମୂର୍ତ୍ତି ରମଣ ଆଇନ ଓ କୃଷି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଜଣେ ଆଇନଜୀବୀଙ୍କୁ ସତ୍ୟନିଷ୍ଠା ହେବା ସହ ପ୍ରାସଙ୍ଗିକ ତଥ୍ୟ ପ୍ରତି ଅନୁରକ୍ତି ରଖିବା ଆବଶ୍ୟକ । ଆଇନ୍ ବୃତ୍ତିରେ ପ୍ରବେଶ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଆଇନ ବ୍ୟବସ୍ଥାକୁ ଗଭୀର ଭାବେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଏହା ଏକ ନିରନ୍ତର ପ୍ରଚେଷ୍ଟା ହେବା ଦରକାର । କାରଣ ଏହାର କୌଣସି ବିକଳ୍ପ ନାହିଁ । ଜଣେ ଆଇନ ଶିକ୍ଷାର ବିଦ୍ୟାର୍ଥୀ ସାରା ଜୀବନ ଆଇନକୁ ଅଧ୍ୟୟନ କରିବା ଆବଶ୍ୟକ । ସେ କହିଥିଲେ ଯେ ଆଦଲତ ସମ୍ମୁଖରେ ଆଇନଜୀବୀ ଭାବେ କୌଣସି ମକଦମା ପରିଚାଳନା କରିବା ବେଳେ ସେମାନଙ୍କର ଯୁକ୍ତି ପ୍ରାସଙ୍ଗିକ ଓ ସୁସ୍ପଷ୍ଟ ହେବା ଆବଶ୍ୟକ । ଏହି ଯୁକ୍ତିରେ ଆଇନର ସମସ୍ତ ନିୟମ ସମୂହ ରହିବା ଆବଶ୍ୟକ ।

ବର୍ତ୍ତମାନ ଆଇନ ବୃର୍ତ୍ତିରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ)କୁ ବ୍ୟବହାର କରାଯାଉଥିବା ଦର୍ଶାଇ ନ୍ୟାୟମୂର୍ତ୍ତି ରମଣ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏହାକୁ ଏକ ସାହାଯ୍ୟକାରୀ ଭାବେ ବ୍ୟବହାର କରିପାରିବେ । ମାତ୍ର ଏହା ଉପରେ ନିର୍ଭର କରିବା ବିପଦ୍ଜନକ ହୋଇପାରେ । ଆଇନଜୀବୀମାନେ ନିଜର ବୁଦ୍ଧିମତା ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଲ’ର ବରିଷ୍ଠ ପ୍ରଫେସର ମଧୁସୂଦନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।