ନୂଆଦିଲ୍ଲୀ ୧୬/୦୪: କେବେ ସମୟର ଅଭାବ ତ କେବେ ଗ୍ୟାସ୍ ଅଭାବରୁ ରକ୍ଷା ପାଇବା ପାଇଁ କିଛି ରୋଷେଇ ଗ୍ୟାସ୍ ବିନା ଶିଖିବା ମଧ୍ୟ ଜରୁରି । ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ସକାଳୁ ଉଠି ସକାଳ ଜଳଖିଆ ସାଙ୍ଗକୁ ମଧ୍ୟାହ୍ନ ଭୋଜନ ତିଆରି କରିବା ଖୁବ୍ କଷ୍ଟକର କାମ ହୋଇଥାଏ । ଯଦି କର୍ମଜୀବୀ ହୋଇଥାନ୍ତି, ତେବେ ସ୍ୱାମୀ ଓ ପିଲାଙ୍କ ପାଇଁ ଟିଫିନ୍ ପ୍ରସ୍ତୁତ କରିବାରେ ସମୟର ଅଭାବ ଦେଖିବାକୁ ମିଳିଥାଏ । ଚାଲନ୍ତୁ ଜାଣିବା ଏମିତି କିଛି ରୋଷେଇ ଯାହା ଚୁଲି ବିନା କରିବା ସମ୍ଭବ । ଯଦି ରୋଷେଇ ଘରର ଗ୍ୟାସ୍ ଶେଷ ହେବାକୁ ଯାଉଛି, ବୁକିଂ ସତ୍ତେ୍ୱ ଗ୍ୟାସ ଆସିନାହିଁ, ତେବେ ନିମ୍ନ ସକାଳ ଜଳଖିଆ ଆଇଡିଆ ଆପଣାଇପାରିବେ ।
ଓଭରନାଇଟ୍ ଓଟ୍ସ : ଅଧା କପ୍ ଓଟ୍ସରେ ଅଧା କପ୍ ଦହି ବା କ୍ଷୀର ସହ ମହୁ ମିଶାଇ ଫ୍ରିଜରେ ରଖିଦିଅନ୍ତୁ । ସକାଳୁ ଉଠି ଏଥିରେ ନିଜ ପସନ୍ଦର ଫଳ ଓ ଡ୍ରାଏଫ୍ରୁଟ୍ସ ପକାଇ ଜଳଖିଆ ଭାବେ ଖାଇପାରିବେ ।
ଦହି-ଚୁଡା ଓ ଫଳ : ସକାଳୁ ଉଠି ଦହିଚୁଡା ଓ ଫଳକୁ ଏକାଠି କରି ସକାଳ ଜଳଖିଆ ଭାବେ ଖାଇପାରିବେ । ଏଥିପାଇଁ ଆଦୌ ଗ୍ୟାସ୍ ଦରକାର ହୋଇ ନଥାଏ । ଏହି ମିଶ୍ରଣରେ ଖୁବ୍ ପୁଷ୍ଟିକର ହୋଇଥାଏ । ଆବଶ୍ୟକ ହେଲେ ଏଥିରେ ଚିନି ମିଶାଇ ପାରିବେ ।
ସ୍ପ୍ରାଉଟ୍ ଚାଟ୍ : ଭିଜା ହୋଇଥିବା ମୁଗ ବା ଚଣାର ଗଜା ସ୍ୱାସ୍ଥ୍ୟ ପାଇଁ ହିତକର । ଏକ କପ୍ ଗଜା ମୁଗ ବା ଚଣା ନିଅନ୍ତୁ । ସେଥିରେ କଟା ପିଆଜ, ଟମାଟୋ, କାକୁଡି ଓ କଞ୍ଚାଲଙ୍କା ପକାନ୍ତୁ । ଏବେ ଏଥିରେ ସାମାନ୍ୟ ଲେମ୍ବୁ ରସ, କଳା ଲୁଣ ଓ ଚାଟ୍ ମସଲା ପକାନ୍ତୁ । ଏହାକୁ ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତା’ ସହିତ ପ୍ରୋଟିନ୍ରେ ଭରା ମଧ୍ୟ ।
ମୁସ୍ଲି ଓ ଫଳ : ବଜାରରେ ମିଳୁଥିବା ମୁସ୍ଲି ଆଣନ୍ତୁ । ଏକ ପାତ୍ରରେ ମୁସ୍ଲି ନିଅନ୍ତୁ । ସେଥିରେ ଥଣ୍ଡା କ୍ଷୀର ବା ଗାଢା ଦହି ମିଶାନ୍ତୁ । ଏବେ ଏଥିରେ ନିଜ ପସନ୍ଦର ଫଳ ଓ ଡାଏଫ୍ରୁଟ୍ସ ମିଶାଇ ଖାଇପାରିବେ ।
ଆହୁରି ପଢନ୍ତୁ...ଫ୍ୟାଟି ଲିଭର୍ ସମସ୍ୟା ଥିଲେ କେତେଦୂର ଆଳୁ ଖାଇବା ଠିକ୍? ଜାଣନ୍ତୁ...
ପି ନଟ୍ ବଟର ଓ କଦଳୀ ଟୋଷ୍ଟ :
ଯଦି ପାଉଁରୁଟି ଖାଉଥାନ୍ତି, ତେବେ ପି ନଟ୍ ବଟର କଦଳୀ ଟୋଷ୍ଟ ପରି ହାଇ ପ୍ରୋଟିନ୍ ଜଳଖିଆ ଖାଇପାରିବେ । ଏଥିପାଇଁ ପାଉଁରୁଟିର ପିସ୍ ନିଅନ୍ତୁ । ଏହା ଉପରେ ଭଲ ଭାବେ ପି ନଟ୍ ବଟର୍ ଲଗାଇ ଦିଅନ୍ତୁ । ଏବେ ଏହା ଉପରେ ଗୋଲ୍ ଗୋଲ୍ କଟା ହୋଇଥିବା ପାଚିଲା କଦଳୀ ରଖନ୍ତୁ । ଏହା ଉପରେ ସାମାନ୍ୟ ମହୁ ଓ ଡାଳଚିନି ଗୁଣ୍ଡ ପକାଇ ଖାଇପାରିବେ ।