ଜମ୍ମୁ,୦୭/୧୦: କୋଣାର୍କ ସୂର୍ଯ୍ୟସ ଓଡ଼ିଶା ଲିଜେଣ୍ଡସ ଲିଗ୍‌ରେ ଅର୍ବାନାଇଜର୍ସ ହାଇଦ୍ରାବାଦ ଠାରୁ ୪  ୱିକେଟ୍‌ରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି କୋଣାର୍କ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୧୦୦ ରନ୍‌ କରିଥିଲା ।  ଜବାବରେ ହାଇଦ୍ରାବାଦ ୧୮.୨ ଓଭରରେ ୬ ୱିକେଟ୍‌ ହରାଇ  ବିଜୟୀ ହୋଇଥିଲା ।  

ହାଇଦ୍ରାବାଦ ଅଧିନାୟକ  ଗୁରକୀରତ ସିଂ ପ୍ରଥମେ  ଟସ୍‌ ଜିତି ଫିଲ୍ଡିଂ କରିଥିଲେ ।  କୋଣାର୍କ ସୂର୍ଯ୍ୟସ ମାତ୍ର ୩୦ ରନ୍‌ ମଧ୍ୟରେ ପ୍ରାରମ୍ଭିକ ୩ଟି  ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । ଓପନର ରିଚାର୍ଡ ଲେବି  ୧, ଜେସ୍‌ ରାଇଡର ୧୧ ଏବଂ କେଭିନ ଓ’ବ୍ରାଏନ ୫ ରନ୍‌ କରି ଆଉଟ୍‌ ହୋଇଥିଲେ । 

ଦିଲସାନ ମୁନାବୀରା ଯଦିଓ ମଧ୍ୟଭାଗରେ ଅର୍ଦ୍ଧଶତକୀୟ  ଇନିଂସ (୫୧) ଖେଳିଥିଲେ କିନ୍ତୁ ଅନ୍ୟମାନେ ବିଫଳ ହେବା  ଯୋଗୁ କୋଣାର୍କ ମାତ୍ର ୧୦୦ ରନ୍‌ରେ ଅଟକି ଯାଇଥିଲା । ରାଜେଶ  ବିଷ୍ଣୋଇ ୨, ଇରଫାନ ପଠାନ ୭, ୟୁସୁଫ ପଠାନ ୭ ଓ ଦିୱେଶ  ପଠାନିଆ ୪ ରନ୍‌ କରିଥିଲେ ।  

ସୀମିତ ବିଜୟ ଲକ୍ଷ୍ୟକୁ ପିଛା କରି ଅଧିନାୟକ ଗୁରକୀରତଙ୍କ  (୫୦) ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦଳ ବିଜୟୀ  ହୋଇଥିଲା । ଜର୍ଜ ୱକର ୧୨, ଚଡୱିକ ୱାଲଟନ ୮, ପିଟର ଟ୍ରେଗୋ  ୭ ରନ୍‌ କରିଥିଲେ । ଦିଲସାନ ୩ ୱିକେଟ୍‌ ହାସଲ କରିଥିଲେ ।