ନୂଆଦିଲ୍ଲୀ ୨୧/୦୪: ଐତିହାସିକ ଟାଇଟାନିକ୍ ଜାହାଜ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣେ ଯାତ୍ରୀ ଲାରା ମାବେଲ ଫ୍ରାଙ୍କାଟେଲିଙ୍କର ଲାଇଫ୍ ଜ୍ୟାକେଟ୍ ଗତ ଶନିବାର ଇଂଲଣ୍ଡରେ ନିଲାମ ହୋଇଛି । ବ୍ରିଟେନର ସଂସ୍ଥା ହେନେରୀ ଆଲଡ୍ରିଜ୍ ଆଣ୍ଡ ସନ୍ ପକ୍ଷରୁ ଏହି ନିଲାମୀ ଅନୁଷ୍ଠିତ ହୋଇଥିଲା । ସେଠାରେ ଜଣେ ଅଜଣା ବ୍ୟକ୍ତି ଏହି ଦୁର୍ଲଭ ବସ୍ତୁକୁ ଭାରତୀୟ ମୁଦ୍ରାରେ ପ୍ରାୟ ୮.୩୯ କୋଟିରେ କିଣିଛନ୍ତି । ଲାରା ଟାଇଟାନିକରେ ଫାଷ୍ଟ୍ କ୍ଲାସ ଶ୍ରେଣୀରେ ଯାତ୍ରା କରୁଥିଲେ । ଜାହାଜ ବୁଡ଼ିବା ପୂର୍ବରୁ ସେ ଏହି ଲାଇଫ୍ ଜ୍ୟାକେଟ୍ ପିନ୍ଧି ଏକ ଲାଇଫବୋଟ୍ ସାହାଯ୍ୟରେ ପ୍ରାଣରକ୍ଷାରେ ସଫଳ ହୋଇଥିଲେ । ହାଲ୍‌କା ଧୂସର ରଙ୍ଗର ଏହି ଜ୍ୟାକେଟରେ ତାଙ୍କ ସମେତ ସମାନ ଲାଇଫବୋଟ୍‌ରେ ଉଦ୍ଧାର ହୋଇଥିବା ଆଉ କିଛି ଯାତ୍ରୀଙ୍କ ସ୍ୱାକ୍ଷର ରହିଛି ।

ଏହି ନିଲାମୀରେ ଅନ୍ୟ ଏକ ଲାଇଫବୋଟ୍‌ର ସିଟ୍ କୁଶନ ମଧ୍ୟ ପ୍ରାୟ ୪ କୋଟି ୯୦ ଲକ୍ଷରେ ନିଲାମ ହୋଇଛି । ୧୯୧୨ ମସିହା ଏପ୍ରିଲ ୧୦ରେ ପ୍ରସିଦ୍ଧ ଟାଇଟାନିକ୍ ଜାହାଜ ତାର ପ୍ରଥମ ଯାତ୍ରାରେ ବାହାରିଥିଲା । ସେତେବେଳେ ତାକୁ ବିଶ୍ୱର ସବୁଠୁ ବଡ଼ ଜାହାଜ ଏବଂ କେବେହେଲେ ବୁଡିବ ନାହିଁ ବୋଲି ମନେ କରାଯାଉଥିଲା । କିନ୍ତୁ ଏପ୍ରିଲ ୧୪ ତାରିଖ ରାତିରେ ତାହା ଉତ୍ତର ଆଟଲାଣ୍ଟିକ ମହାସାଗରରେ ଏକ ହିମଖଣ୍ଡ ସହ ଧକ୍କା କରିଥିଲା । ପ୍ରାୟ ୩ ଘଣ୍ଟା ମଧ୍ୟରେ ଜାହାଜ ବୁଡିଯାଇଥିଲା । ସେତେବେଳେ ଜାହାଜରେ ଥିବା ପ୍ରାୟ ୨,୨୦୦ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୭୦୦ ଜଣଙ୍କୁ ହିଁ ବଞ୍ଚାଯାଇପାରିଥିଲା । କାରଣ ଜାହାଜରେ ପର୍ଯ୍ୟାପ୍ତ ଲାଇଫବୋଟ୍ ନଥିଲା ।

​​​​​​​

ଲାରା ସେତେବେଳେ ଫ୍ୟାଶନ୍ ଡିଜାଇନର ଲୁସି ଡଫ୍ ଗର୍ଡନଙ୍କ ସଚିବ ଥିଲେ । ସେ ନିଜ ମାଲିକ ଏବଂ ତାଙ୍କ ସ୍ୱାମୀ କସ୍ମୋ ଡଫ୍ ଗର୍ଡନଙ୍କ ସହ ଟାଇଟାନିକ୍‌ରେ ଯାତ୍ରା କରୁଥିଲେ । ୩ ଜଣ ଯାକ ଲାଇଫବୋଟ୍ ନମ୍ବର ୧ ସାହାଯ୍ୟରେ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ସେହି ବୋଟ୍‌ରେ ୪୦ ଜଣ ଲୋକ ବସିପାରିବା ଭଳି ବ୍ୟବସ୍ଥା ଥିଲା । କିନ୍ତୁ ମାତ୍ର ୧୨ଜଣଙ୍କୁ ନେଇ ତାହା ବାହାରିଥିଲା । ଅନ୍ୟଯାତ୍ରୀଙ୍କୁ ସାଙ୍ଗରେ ନଆଣିବା ଯୋଗୁ ଏହାକୁ ନେଇ ବିବାଦ ହୋଇଥିଲା ।