ନବରଙ୍ଗପୁର,୧୨।୫ (ଆପ୍ର): ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମାଆ -ପୁଅଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି, ତେନ୍ତୁଳିଖୁଣ୍ଟି ଥାନା କୁର୍ମାକୋଟ ଗାଁର ଋଷି କର୍କରା ଓ ତାଙ୍କ ମାଆ ଚମ୍ପାମଣୀ କର୍କରା । ସେଭଳି ୧୦ହଜାର ଟଙ୍କା ଜରିମନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନାଦେୟ ହେଲେ ଆହୁରି ୬ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଡି ଥାନା କୁର୍ମାକୋଟ ଗାଁର ମରିଚମୋତି ଭତ୍ରା ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ। ୨୦୨୧ ଅଗଷ୍ଟ ୭ ତାରିଖରେ କୁର୍ମାକୋଟ ଗାଁରେ ଏକ ଭୋଜି ଚାଲିଥିଲା। ଏହି ଭୋଜିରେ ଗାଁର କ୍ଷେତ୍ରବାସୀ କର୍କରା ଓ ସପନ କୁମାର ସାମଲଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସନ୍ଧ୍ୟା ୪ଟାରେ ଉଭୟଙ୍କୁ ବୁଝାସୁଝା କରି ଗାଁର ମଦନ ମହୋନ ଭତ୍ରା ସମାଧାନ କରିଥିଲେ। ପୁଣି ସନ୍ଧ୍ୟା ୭ଟାରେ କ୍ଷେତ୍ରବାସୀ କର୍କରାଙ୍କ ଗୋଷ୍ଠୀ ତୁମ୍ବନାଥ କର୍କରା ଓ ତାଙ୍କ ସ୍ତ୍ରୀ ଚମ୍ପାମଣୀ, ପୁଅ ଋଷି କର୍କରା ପ୍ରମୁଖ ମଦନଙ୍କ ଘରେ ନଥୁବା ବେଳେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।
ମଦନଙ୍କ ମାଆ ମରିଚମୋତୀ, ତାଙ୍କ ସ୍ବାମୀ ଉର୍ଦବ ଭତ୍ରାଙ୍କୁ ଜୀବନରେ ମାରିଦେବାକୁ ଧମକ୍ ଦେଇଥିଲେ। ସେଭଳି ତାଙ୍କ ବୋହୁ ତଥା ମଦନଙ୍କ ସ୍ତ୍ରୀ ମଧୁସ୍ମିତା ନାୟକଙ୍କୁ ଟଣାଓଟରା କରି ତାଙ୍କ ବେକରୁ ସୁନାହାର ଟାଣିନେଇ ଚାଲିଯାଇଥିଲେ। ରାତି ୯ଟା ପୁଣି ତୁମ୍ବନାଥ କର୍କର, ଚମ୍ପାମଣୀ ଓ ପୁଅ ଋଷି କର୍କରା ପହଞ୍ଚି ମଦନଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ମଦନର ବାମ ହାତ ଓ ଛାତିର ଗଭୀରକ୍ଷତ ହୋଇଥିଲା । ପରେ କିଛି ଦିନ ପରେ ଗୁରୁତର ମଦନଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ଋଷି କର୍କରା ଓ ତାଙ୍କ ମାଆ ଚମ୍ପାମଣୀଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରି ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ୨୯ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଜିଲ୍ଲାଅତିରିକ୍ତ ଜିଲ୍ଲାଦୌରାଜଜ୍ ବିଷ୍ଣୁପ୍ରସାଦ ମିଶ୍ର ଋଷି କର୍କାରଙ୍କୁ ଆଜୀବନ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।