ଢେଙ୍କାନାଳ/କେନ୍ଦୁଝର/ ନୟାଗଡ଼/ପୁରୀ/ ଭଞ୍ଜନଗର/ ବିଡିପୁର/ବେଲଗୁଣ୍ଠା/ ଟାଙ୍ଗୀ/ଚୌଦ୍ୱାର-ଗୁରୁଡିଝାଟିଆ, ୨୪/୦୭: ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରାଘାତରେ ୧୦ ଜଣଙ୍କ ଜୀବନ ଯାଇଛି । ୩ରୁ ଅଧିକ ଆହତ ହୋଇଛନ୍ତି । ଅନୁଗୁଳ ଏବଂ ଢେଙ୍କାନାଳରେ ୨ ଓ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର, ନୟାଗଡ, ପୁରୀ, କଟକ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଗାଁରେ ବଜ୍ରାଘାତରେ ଦୁଇଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନନ୍ତପୁର ଗାଁର କୃଷ୍ଣଚନ୍ଦ୍ର ଦେହୁରୀଙ୍କ ଦୁଇ ପୁଅ କମଳକାନ୍ତ ଦେହୁରୀ ଓ ନରେଶ ଦେହୁରୀ । ଉଭୟେ ଏକ ପଥର ଖଣିରେ କାମ କରୁଥିବାବେଳେ ଏପରି ଅଘଟଣ ଘଟିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପଣ୍ଡାପଡା ଥାନା ଜଙ୍ଘିରା ପଞ୍ଚାୟତ କଣ୍ଟାପଦା ଗାଁର ଶିବୁ ଶଲିଙ୍ଗ (୧୭)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଶିବୁ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ । ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଶିଖରପୁର ଗ୍ରାମର ଚାଷୀ ସୁଦର୍ଶନ ପଲେଇ(୭୫) ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ସୁଦର୍ଶନ ବିଲକୁ ଯାଇଥିବାବେଳେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡ଼ା ଗ୍ରାମର ସାଗର ବେହେରା(୨୭)ଙ୍କ ମୃତ୍ୟୁ ହୋଇଛି । ଅପରାହ୍ଣରେ ସେ ଧାନ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେ ସଂଜ୍ଞାହୀନ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେହିପରି କଟକ ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ବ୍ରହ୍ମପୁର ପଞ୍ଚାୟତ କାଞ୍ଜିଆ ଗ୍ରାମର କାଳନ୍ଦୀ ସାମଲଙ୍କ ପତ୍ନୀ ବୁଲି ସାମଲ(୬୦)ଙ୍କ ଜୀବନ ଯାଇଛି । ଜମିରେ ଧାନ ତଳି ରୋଇବା ବେଳେ ବୁଲି ବଜ୍ରପାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ବୁଲିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକ୍ରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଗାଈ ଚରାଳି ଓ ଜଣେ ମହିଳା ରହିଛନ୍ତି । ସେମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡ଼ା ଗ୍ରାମର ବସନ୍ତ ଗୌଡ଼ (୩୮) ଓ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମର ସନ୍ତୋଷିନୀ ବିଶ୍ୱାଳ (୪୦) । ସେହିପରି ଜଣେ ଛେଳି ଜଗୁଆଳ ବେଲଗୁଣ୍ଠା ଗୋଲା ସାହିର ଜି.ସନ୍ତୋଷଙ୍କ ପୁଅ ଜି. କାହ୍ନା ଗୁରୁତର ଆହତ ହୋଇଛନ୍ତି ।
ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡ଼ା ଗ୍ରାମ ପାଖ ଜଙ୍ଗଲୀ ରାସ୍ତାରେ ସେହି ଗ୍ରାମର ଉଦୟ ଗୌଡ଼ଙ୍କ ପୁଅ ବସନ୍ତ ଅନ୍ୟଦିନ ଭଳି ଗାଈଗୋଠ ଧରି ଚରାଇବାକୁ ନେଇଥିଲେ । ବର୍ଷା ଓ ବିଜୁଳି ଦେଖି ସେ ଗାଈଗୋଠ ଧରି ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଏକ ଗଛ ମୂଳରେ ଅଟକି ରହିଥିଲେ । ଏହି ସମୟରେ ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ବସନ୍ତ ଟଳି ପଡ଼ିଥିଲେ । ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ପୁଲିସ ଓ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେହିପରି ଅନୁଗଳ ଜିଲ୍ଲାରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲ୍ରେ କାମ କରିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର ହରିହର ସାହୁ ଓ ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନ ଅନ୍ତର୍ଗତ କଙ୍କରେଇ ଗ୍ରାମର ପଙ୍କଜ ନାଏକଙ୍କ ମୃତ୍ୟୁ ହୋଇଛି।