ଢେଙ୍କାନାଳ/କେନ୍ଦୁଝର/ ନୟାଗଡ଼/ପୁରୀ/ ଭଞ୍ଜନଗର/ ବିଡିପୁର/ବେଲଗୁଣ୍ଠା/ ଟାଙ୍ଗୀ/ଚୌଦ୍ୱାର-ଗୁରୁଡିଝାଟିଆ, ୨୪/୦୭: ରାଜ୍ୟର  ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରାଘାତରେ  ୧୦ ଜଣଙ୍କ ଜୀବନ ଯାଇଛି । ୩ରୁ ଅଧିକ ଆହତ ହୋଇଛନ୍ତି । ଅନୁଗୁଳ ଏବଂ ଢେଙ୍କାନାଳରେ ୨  ଓ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ କେନ୍ଦୁଝର, ନୟାଗଡ, ପୁରୀ, କଟକ ଜିଲ୍ଲାରେ ଜଣେ  ଲେଖାଏଁ ପ୍ରାଣ ହରାଇଛନ୍ତି।

ଢେଙ୍କାନାଳ ସଦର ଥାନା  ମହୁଲପଡ଼ା ଗାଁରେ ବଜ୍ରାଘାତରେ  ଦୁଇଭାଇଙ୍କ ମୃତ୍ୟୁ ହୋଇଛି । ମୃତକ  ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନନ୍ତପୁର ଗାଁର କୃଷ୍ଣଚନ୍ଦ୍ର ଦେହୁରୀଙ୍କ  ଦୁଇ ପୁଅ କମଳକାନ୍ତ ଦେହୁରୀ ଓ  ନରେଶ ଦେହୁରୀ । ଉଭୟେ ଏକ ପଥର  ଖଣିରେ କାମ କରୁଥିବାବେଳେ ଏପରି  ଅଘଟଣ ଘଟିଥିବା ମୃତକଙ୍କ ପରିବାର  ଲୋକେ ଅଭିଯୋଗ କରିଛନ୍ତି ।

ସେହିପରି  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌  ପଣ୍ଡାପଡା ଥାନା ଜଙ୍ଘିରା ପଞ୍ଚାୟତ  କଣ୍ଟାପଦା ଗାଁର ଶିବୁ ଶଲିଙ୍ଗ (୧୭)ଙ୍କ  ବଜ୍ରାଘାତରେ ମୃତ୍ୟୁ ହୋଇଛି । ଶିବୁ କାମ  କରୁଥିବା ବେଳେ ହଠାତ୍‌ ବଜ୍ରାଘାତର  ଶିକାର ହୋଇଥିଲେ । ନୟାଗଡ଼ ଜିଲ୍ଲା  ଶରଣକୁଳ ନିକଟବର୍ତ୍ତୀ ଶିଖରପୁର  ଗ୍ରାମର ଚାଷୀ ସୁଦର୍ଶନ ପଲେଇ(୭୫)  ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ସୁଦର୍ଶନ ବିଲକୁ ଯାଇଥିବାବେଳେ  ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ  ଉଡିଯାଇଥିଲା । ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ  ଥାନା ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡ଼ା  ଗ୍ରାମର ସାଗର ବେହେରା(୨୭)ଙ୍କ ମୃତ୍ୟୁ ହୋଇଛି ।  ଅପରାହ୍ଣରେ ସେ ଧାନ ଜମିରେ କାମ କରୁଥିବା ବେଳେ  ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେ ସଂଜ୍ଞାହୀନ  ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଡେଲାଙ୍ଗ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର  ମୃତ ଘୋଷଣା କରିଥିଲେ । 

ସେହିପରି କଟକ ଜିଲ୍ଲା ଟାଙ୍ଗୀ  ଥାନା ଅଧୀନ ବ୍ରହ୍ମପୁର ପଞ୍ଚାୟତ କାଞ୍ଜିଆ ଗ୍ରାମର କାଳନ୍ଦୀ  ସାମଲଙ୍କ ପତ୍ନୀ ବୁଲି ସାମଲ(୬୦)ଙ୍କ ଜୀବନ ଯାଇଛି ।  ଜମିରେ ଧାନ ତଳି ରୋଇବା ବେଳେ ବୁଲି ବଜ୍ରପାତର  ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ବୁଲିଙ୍କୁ ଉଦ୍ଧାର  କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ  ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର,  ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକ୍‌ରେ ପ୍ରବଳ ବର୍ଷା  ସହ ଘଡ଼ଘଡ଼ି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ  ମଧ୍ୟରେ ଜଣେ ଗାଈ ଚରାଳି ଓ ଜଣେ ମହିଳା ରହିଛନ୍ତି ।  ସେମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡ଼ା  ଗ୍ରାମର ବସନ୍ତ ଗୌଡ଼ (୩୮) ଓ ଜଗନ୍ନାଥପ୍ରସାଦ ଥାନା  ଅନ୍ତର୍ଗତ ଅଲାଡ଼ି ଗ୍ରାମର ସନ୍ତୋଷିନୀ ବିଶ୍ୱାଳ (୪୦) ।  ସେହିପରି ଜଣେ ଛେଳି ଜଗୁଆଳ ବେଲଗୁଣ୍ଠା ଗୋଲା ସାହିର ଜି.ସନ୍ତୋଷଙ୍କ ପୁଅ ଜି. କାହ୍ନା ଗୁରୁତର ଆହତ  ହୋଇଛନ୍ତି ।  

ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡ଼ା ଗ୍ରାମ ପାଖ  ଜଙ୍ଗଲୀ ରାସ୍ତାରେ ସେହି ଗ୍ରାମର ଉଦୟ ଗୌଡ଼ଙ୍କ ପୁଅ  ବସନ୍ତ ଅନ୍ୟଦିନ ଭଳି ଗାଈଗୋଠ ଧରି ଚରାଇବାକୁ  ନେଇଥିଲେ । ବର୍ଷା ଓ ବିଜୁଳି ଦେଖି ସେ ଗାଈଗୋଠ  ଧରି ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଏକ ଗଛ ମୂଳରେ ଅଟକି ରହିଥିଲେ । ଏହି ସମୟରେ ବଜ୍ରାଘାତ  ଯୋଗୁଁ ଘଟଣାସ୍ଥଳରେ ହିଁ ବସନ୍ତ ଟଳି ପଡ଼ିଥିଲେ ।  ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ପୁଲିସ ଓ  ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ତାଙ୍କୁ ଭଞ୍ଜନଗର  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ  ଘୋଷଣା କରିଥିଲେ ।

ସେହିପରି ଅନୁଗଳ ଜିଲ୍ଲାରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲ୍ରେ କାମ କରିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର ହରିହର ସାହୁ ଓ ଛେଣ୍ଡିପଦା ବ୍ଲକ ନିଶା  ଶିଳ୍ପାଞ୍ଚଳ ଥାନ ଅନ୍ତର୍ଗତ କଙ୍କରେଇ ଗ୍ରାମର ପଙ୍କଜ ନାଏକଙ୍କ ମୃତ୍ୟୁ ହୋଇଛି।