ନୂଆଦିଲ୍ଲୀ, ୨୪।୮: ଦୀର୍ଘ ଦିନ ଧରି ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲିଓନେଲ ମେସି ଓ ତାଙ୍କ ଆର୍ଜେଣ୍ଟିନା ଫୁଟବଲ୍‌ ଦଳ ଭାରତ ଆସି କେରଳରେ ଫିଫା ଅଧିନସ୍ଥ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ । କୋଚିରେ ଏହି ମ୍ୟାଚ୍‌ ଖେଳାଯିବ । ନଭେମ୍ବର ୧୦ରୁ ୧୮ ତାରିଖ ମଧ୍ୟରେ କୌଣସି ଏକ ଦିନ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ଆର୍ଜେଣ୍ଟିନାର ପ୍ରତିପକ୍ଷ ଦଳ ଚୂଡ଼ାନ୍ତ ହୋଇ ନାହିଁ । ମାତ୍ର ମେସି ଦଳ ସହ ଭାରତ ଆସିବା ନିଶ୍ଚିତ ରହିଛି । ଆର୍ଜେଣ୍ଟିନା ଫୁଟବଲ୍‌ ଆସୋସିଏସନ ପକ୍ଷରୁ ଏକ ପ୍ରେସ ବିବୃତି ଜରିଆରେ ଏହା ଘୋଷଣା କରାଯାଇଛି । ୨୦୨୫ରେ ଆର୍ଜେଣ୍ଟିନା ଦଳ ଆଉ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୬ରୁ ୧୪ ତାରିଖ ମଧ୍ୟରେ ଆର୍ଜେଣ୍ଟିନା ଦଳ ଆମେରିକା (ୟୁଏସଏ) ରେ ପ୍ରଥମ ମ୍ୟାଚ୍‌ ଖେଳିବ । ଏହାପରେ ନଭେମ୍ବର ୧୦ରୁ ୧୮ ତାରିଖ ମଧ୍ୟରେ ଭାରତର କେରଳରେ ଅନ୍ୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ । ଉଭୟ ମ୍ୟାଚ୍‌ ପାଇଁ ବିପକ୍ଷ ଦଳ ଚୂଡ଼ାନ୍ତ ହୋଇନଥିବା ଆସୋସିଏସନ ଘୋଷଣା କରିଛି । 

ଭାରତରେ ମେସିଙ୍କ ଅଗଣିତ ପ୍ରଶଂସକ ରହିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଭାରତୀୟ ଖେଳପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣା ହୋଇଯାଇଛି । ଶେଷ ଥର ପାଇଁ ୨୦୧୧ରେ ଆର୍ଜେଣ୍ଟିନା ଦଳ ଭାରତ ଗସ୍ତରେ ଆସି କୋଲକାତା ସ୍ଥିତ ସଲ୍ଟ ଲେକ୍‌ ଷ୍ଟାଡ଼ିୟମ୍‌ରେ ଭେନେଜୁଏଲା ବିପକ୍ଷରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଥିଲା । କେରଳ ସରକାରଙ୍କ ପକ୍ଷରୁ ଆର୍ଜେଣ୍ଟିନା ଦଳ ଭାରତ ଗସ୍ତରେ ଆସୁଥିବା ଖବର ବହୁ ପୂର୍ବରୁ ଘୋଷଣା କରାଯାଇଥିଲା । ମାତ୍ର ପରେ ଏହି ଗସ୍ତକୁ ନେଇ ଆଶଙ୍କା ଉପୁଜିଥିଲା । କେରଳ ସରକାରଙ୍କ ପକ୍ଷରୁ ଗସ୍ତକୁ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହେବାରେ ବିଳମ୍ବ ଘଟୁଥିବା ଆର୍ଜେଣ୍ଟିନା ଫୁଟବଲ୍‌ ଆସୋସିଏସନ୍‌ ପକ୍ଷରୁ ଘୋଷଣା କରାଯାଇଥିଲା । ବିଳମ୍ବରେ ହେଉ ପଛେ ଲିଓନେଲ ସ୍କାଲୋନିଙ୍କ ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଭାରତ ଗସ୍ତରେ ଆସୁଥିବା ନିଶ୍ଚିତ କରିଛି ।