ବେତନଟୀ,୭/୦୬: ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ କାଉଣ୍ଟରରୁ ୯ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମଦ ଚୋରି। ତାଲା କାଟି ବୋହିନେଲେ ଲକ୍ଷାଧିକ ଟଙ୍କାର ମଦ । ଏନେଇ ଅଭିଯୋଗ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆର କାଉଣ୍ଟର ମାଲିକ ସର୍ବେଶ୍ୱର ଦାସ।
ସୂଚନା ମୁତାବକ,ଶୁକ୍ରବାର ରାତି ସ୍ୱାଭାବିକ ଭାବେ ଡ୍ୟୁଟି ସାରି ମ୍ୟାନେଜର ଓ କର୍ମଚାରୀମାନେ କାଉଣ୍ଟର ବନ୍ଦ କରି ଘରକୁ ଫେରିଥିଲେ । ହେଲେ ଶନିବାର ସକାଳେ କାଉଣ୍ଟର ତାଲା କାଟି ଚୋରି ହୋଇଥିବା ସୂଚନା ମିଳିଥିଲା । ଖବର ପାଇ ମାଲିକ ଓ କର୍ମଚାରୀ କାଉଣ୍ଟର ନିକଟରେ ପହଞ୍ଚିଥିଲେ । ସେଠାରେ ଦେଖିଲା ବେଳକୁ ଗ୍ରିଲରେ ପଡ଼ିଥିବା ୯ଟି ତାଲା ଭାଙ୍ଗିବା ସହ ଶଟର ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ମଦ ଚୋରି କରି ନେଇଛନ୍ତି । ଏନେଇ ସେ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି କରିବା ସହ ମାଲିକଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛନ୍ତି ।
ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ କାଉଣ୍ଟରର ମାଲିକ ସର୍ବେଶ୍ୱର ଦାସଙ୍କ ସୂଚନା ମୁତାବକ, ଚୋରମାନେ ସିସି କ୍ୟାମେରା ସଂଯୋଗ କାଟିବା ପରେ ଭିଡିଓ କଏଦ ହୋଇଥିବା ହାର୍ଡଡିସ୍କ ନେଇଯାଇଛନ୍ତି । ସେହିଭଳି ୬୦ପେଟିରୁ ଉର୍ଦ୍ଧ୍ୱ ମଦ ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ସେସବୁ ଚୋରି କରିନେଇଛନ୍ତି । ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ପିକଅପ୍ ଭ୍ୟାନ କିମ୍ବା ଅନ୍ୟ କୌଣସି ମାଲବାହୀ ଗାଡି ଯୋଗେ ଅତି କମରେ ୬ରୁ ୮ଜଣ ଚୋର ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ଏହି ଚୋରି ଘଟଣାରେ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିବା ନେଇ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ସୂଚନା ଦେଇଛନ୍ତି । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ବ୍ୟାପକ କରିଛି ବୈଶିଙ୍ଗା ପୁଲିସ ।