ପ୍ରମୂଖ ଖବର
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ରତ୍ନ ସିଂହାସନରେ ଭକ୍ତଙ୍କୁ କାଳୀୟଦଳନ ବେଶରେ ଦର୍ଶନ ଦେବେ କାଳିଆ ସାଆନ୍ତ

Published By : Manash Sahoo | August 19, 2025 3:49 PM

“ କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ

ଯଦୁକୁଳ ନଳୀନ ଦିନେଶ

ଜୟ ଜୟ ଦେବ ହରେ ”

ପୁରୀ ୧୯/୮ : କବି ଶ୍ରୀଜୟଦେବଙ୍କ ବିରଚିତ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ “କାଳୀୟବିଷଧର” ଗଞ୍ଜନ ବୋଲି ସମ୍ବୋଧନ କରିଛନ୍ତି । କାରଣ, ପ୍ରଭୁ କୃଷ୍ଣଚନ୍ଦ୍ର କାଳୀୟ ନାଗକୁ   ପରାଜିତ କରିବା ସହିତ କାଳିନ୍ଦୀ ହ୍ରଦକୁ ତା’ର ପ୍ରଖର ବିଷଜ୍ୱାଳାରୁ ମୁକ୍ତ କରିଥିଲେ । ଏହା କାଳୀୟ ଦଳନ ବେଶ ଭାବରେ ପ୍ରସିଦ୍ଧ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅତିସୁନ୍ଦର କାଳୀୟଦଳନ ନୀତି ଅନୁଷ୍ଠିତ ହେବ  । ମହାପ୍ରଭୁ କାଳୀୟଦଳନ ବେଶରେ ଦର୍ଶନ ଦେବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହେବ। ମାର୍କଣ୍ଡେଶ୍ୱର ପୁଷ୍କରିଣୀରେ କାଳୀୟଦଳନ ନୀତି ଗରୁଡଙ୍କ ଦ୍ଵାରା ସମାପନ ହେବ  ।

ଆଜି କାଳୀୟଦଳନ ଏକାଦଶୀରେ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ରାମ କୃଷ୍ଣ ଲୋକନାଥ ରୋଡ ସ୍ଥିତ ଲବଣୀ ଖିଆ ମଣ୍ଡପକୁ ଯାଇଥାନ୍ତି । ସେଠାରେ ମହାଭୋଇ (ଗଉଡ଼) ସେବକ ଘର ବୋହୂମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ ଲବଣୀ ଖୁଆଇଥାନ୍ତି । ଏହି ଦିନ ମହାପ୍ରଭୁଙ୍କୁ କେବଳ ମହାଭୋଇ (ଗଉଡ଼) ଘର ବୋହୂମାନେ ସେବା କରିପାରିଥାନ୍ତି । ସେମାନେ ସେବା କରିବା ପୂର୍ବରୁ ଗୀତ ଗୋବିନ୍ଦ ଖଣ୍ଡୁଆ ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିଲେ ଓ ଦକ୍ଷିଣ ଘର ଭୋଗ ସରିଲେ ଶ୍ରୀମଦନମୋହନ ଓ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରନ୍ତି । ପୂଜାପଣ୍ଡା ତିନି ମୂର୍ତ୍ତିଙ୍କୁ ଆଜ୍ଞାମାଳ ଦେବା ପରେ (ମହାଜନେ) ପୁଷ୍ପାଳକଙ୍କ ହାତରେ ବିଜେ ହୋଇ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିରାଜିତ ହୋଇଥାନ୍ତି । ତତ୍ପରେ ବଡ଼ଦେଉଳକୁ ବେଢାଏ ବୁଲି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରନ୍ତି ଓ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ କାଳୀୟଦଳନ ଲୀଳା ହୁଏ । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ବାହୁଡା ବିଜେ ପୂର୍ବକ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ହୋଇ ଦକ୍ଷିଣୀ ଘରକୁ ବିଜେ କରନ୍ତି । ପରେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ କାଳୀୟଦଳନ ବେଶ ହୁଏ ।

ବେଶ ହୋଇ ସନ୍ଧ୍ୟାଧୂପ ପାଣି ପଡ଼ିଲା ପରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ବଡ଼ ଅମୃତ ଲଡୁ ଖୁଣ୍ଟିଆ ସେବକଙ୍କଠାରୁ ନେଇ ପୁଷ୍ପାଳକ ଶ୍ରୀହସ୍ତରେ ଲାଗି କରନ୍ତି । ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି ।

ବେଶ ପୂର୍ବରୁ ଦରଜି ଓ ମହାରଣା, ଚିତ୍ରକାର ଓ ସୋଲ ଶିଳ୍ପୀମାନଙ୍କ ଦ୍ୱାରା ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ୍ ଲମ୍ବର ଏକ ବିରାଟକାୟ ସପ୍ତ ଫେଣିଆ କାଳୀୟ ସର୍ପ ବା ନାଗଟି ଚାରିଟି ଅଂଶରେ ବିଭକ୍ତ ଅଟେ । ୨ଟି ଅଂଶ ଗଣ୍ଡି, ୧ଟି ଅଂଶ ମୁଣ୍ଡ ଓ ୧ଟି ଅଂଶ ଲାଞ୍ଜ । ସର୍ପଟିର ସମଗ୍ର ଶରୀର କଳା କନାରେ ଆବୃତ ହୋଇଥିବାବେଳେ ଶରୀରର କାତିଗୁଡ଼ିକ ନିମନ୍ତେ ଧଳା କନା ବ୍ୟବହୃତ ହୋଇଥାଏ । ସର୍ପଟିର ଏହି ୪ଟି ଅଂଶ ପୁଷ୍ପାଳକ ସେବକମାନଙ୍କଦ୍ୱାରା ରତ୍ନ ସିଂହାସନ ଉପରକୁ ଯାଇଥାଏ । ସେଠାରେ ସମ୍ପୂର୍ଣ୍ଣ ଶରୀରଟିକୁ ଖଞ୍ଜାଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଏ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମଗ୍ର ଶରୀରକୁ ଆବୃତ କରି ଅର୍ଥାତ୍, ଉପର ଦେଇ ବାମ ହସ୍ତରେ ପୁଚ୍ଛଟି (ଲାଞ୍ଜ) ରହିଥାଏ । ସୁଭଦ୍ରା ଦେବୀ ସାଧାରଣ ବେଶ ଧାରଣ କରିଥାନ୍ତି । ଶ୍ରୀବଳଭଦ୍ରଙ୍କ ଦୁଇ ପାର୍ଶ୍ବରେ ଗୋଟିଏ ଲେଖାଏଁ ଗାଈ, ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି ।

ll କିମ୍ବଦନ୍ତୀ ଅନୁଯାୟୀ ll 

ରମଣକ ଦ୍ଵିପ ଥିଲା କାଳୀୟ ବା କାଳୀୟ ନାଗର ବାସସ୍ଥାନ । ପକ୍ଷୀରାଜ ଗରୁଡ ମହାରାଜଙ୍କ ଭୟରେ ସେ ସପରିବାର ନିଜର ବାସସ୍ଥାନ ଛାଡ଼ି, ବୃନ୍ଦାବନର ଯମୁନା ନଦୀରେ ଆଶ୍ରୟ ନେଇଥିଲା । ସୌରଭି ନାମକ ଜଣେ ରୁଷିଙ୍କ ଶାପରୁ ପକ୍ଷୀରାଜ ଗରୁଡ ଶାପଗ୍ରସ୍ତ ଥିଲେ । ଶାପ ଅନୁଯାଇ ବୃନ୍ଦାବନ ଆସିଲେ ତାଙ୍କର ମୃତ୍ୟୁ ହେବ । ତେଣୁ କାଳୀୟ ନିର୍ଭୟରେ ଯମୁନାରେ ବାସ କରୁଥିଲା । ତା’ ବିଷ ପ୍ରଭାବରେ ଯମୁନା ଜଳ କୃଷ୍ଣ ବର୍ଣ୍ଣ ଧାରଣ କରିଥିଲା । ତୀରରେ ଏକ କଦମ୍ବ ଗଛ ଛଡା ଆଉ କିଛି ଉଧେଇପାରୁ ନ ଥିଲା ବୃନ୍ଦାବନବାସୀ ପାଣିରେ ପଶିବାକୁ ଭୟ କରୁଥିଲେ । ଦିନେ କୃଷ୍ଣ ଗୋପାଳ ବନ୍ଧୁ ମାନଙ୍କ ମେଳରେ ଯମୁନା କୂଳରେ ଖେଳୁଥିବା ବେଳେ ପେଣ୍ଡୁଟି ପାଣିରେ ପଡ଼ିଗଲା । କୃଷ୍ଣ ସଙ୍ଗେ ସଙ୍ଗେ ଯମୁନାଜଳରେ ପଶିଲେ । ପଶୁ ପଶୁ ଶ୍ରୀକୃଷ୍ଣଙ୍କୁ ଭିଡ଼ିନେଲା କାଳୀୟ ନାଗ । ଏହା ଦେଖି ଗୋପାଳ ପିଲା ଯାଇଁ ଭୟରେ ନନ୍ଦରାଜାଙ୍କୁ ଜଣାଇ ଦେଲେ । ଏକଥା ଶୁଣି ଯଶୋଦା ଓ ନନ୍ଦରାଜା ଯମୁନା ତଟକୁ ଧାଇଁଲେ । କିନ୍ତୁ, ଏପଟେ ଶ୍ରୀକୃଷ୍ଣଙ୍କୁ କାଳୀୟ ନାଗ କାବୁ କରିବାରେ ସଫଳ ହେଲେ । ଓଲଟା ଶ୍ରୀକୃଷ୍ଣ କାଳୀୟକୁ ଦଲନ କରିବା ସହ ତା ଉପରେ ନୃତ୍ୟ ଆରମ୍ଭ କରିଦେଲେ । ବିଶ୍ୱ ବ୍ରହ୍ମାଣ୍ଡର ବୋଝ ଯେପରି ତା ଉପରେ ପଡ଼ିଗଲା ।

ପ୍ରଭୁଙ୍କ ପାଦର ଆଘାତେ ଫଣାରୁ ରକ୍ତ ସ୍ରାବ ହେଲା । ପ୍ରାଣ ଯିବା ଅବସ୍ଥା ପହଞ୍ଚିବାରୁ ନାଗ ପତ୍ନୀ ମାନେ ସ୍ୱାମୀର ଜୀବନ ଦାନ ପାଇଁ ପ୍ରଭୁଙ୍କୁ ପାର୍ଥନା କଲେ । ଭଗବାନ କୃଷ୍ଣ ସନ୍ତୁଷ୍ଟ ହୋଇ, ତାକୁ ଜୀବନ ଦାନ ଦେବା ସହ ସେହି ଯମୁନା ନଦୀ ଛାଡିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ କାଳୀୟ ଗରୁଡ଼କୁ ଭୟ କରୁଥିବାରୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି କାଳୀୟ ତୋ ଶିରରେ ମୁଁ ମୋର ଶ୍ରୀଚରଣ ସ୍ଥାପିଛି ଗରୁଡ଼ ମୋ ଚରଣ ଦେଖି ତୁମର କୌଣସି କ୍ଷତି କରିବ ନାହିଁ । ସେଇ ଦିନକୁ ସ୍ମରଣ ରଖି ଆଜିବି ସେଇ ଭଗବାନ ଗୋବିନ୍ଦ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନୀଳାଚଳରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳୀୟ ଦଲନ ବେଶ ହେଉ ଅଛନ୍ତି ।ଏ ସଂପର୍କରେ ଭାଗବତରେ କୁହାଯାଇଛି :

 “ତୋର ମୋହର ଏ ଚରିତ ।

ଯେ ସୁମରିବ ଅବିରତ ।।

ସର୍ପ ବିଘାତେ ନାହିଁ ବାଧା ।

ଯେଜନ ସୁମରେ ତ୍ରିସଂଧ୍ୟା ।”

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.