ହରଭଙ୍ଗା, ୧୯/୦୬ (ଚିତ୍ତରଞ୍ଜନ ସିଂହ) : ଦିନେ ନିଜ ବିସ୍ମୟ ଚେହେରା ପାଇଁ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ଲୋମସକନ୍ୟା ରେବତୀ। ୫ ବର୍ଷ ତଳେ ମାଳ ମାଳ ସରକାରୀ ବାବୁ ଆସି ଦେଇ ଯାଇଥିଲେ ଅନେକ ପ୍ରତିଶୃତି। ମାତ୍ର ଏ ପ୍ରତିଶୃତି ଏବେ ପାଣି ଫୋଟକା ପରି ମିଳେଇ ଯାଇଛି। ରୋଗ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ଅଞ୍ଚଳର ରେବତୀ। ୪ ବର୍ଷ ତଳେ ବାପା-ମା ପରକରି ଆରପାରିକୁ ଚାଲିଯାଇଥିଲେ ଏବେ ବେସାହାରା ହୋଇ ଭଙ୍ଗା କୁଡ଼ିଆରେ ଦୁର୍ଦ୍ଦିନରେ କଟୁଛି ଦିନ। ଗାଈ ଚରାଇ ମେଣ୍ଟାଉଛନ୍ତି ଗୁଜୁରାଣ। ସରକାରୀ ସହାୟତା କହିଲେ ମାସକୁ ମାତ୍ର ମିଳୁଛି ୩୫ କେଜି ଚାଉଳ ଓ ୫ ଶହ ଟଙ୍କା।
ହରଭଙ୍ଗା ବ୍ଲକର ତଳ ଗାଁ ପଞ୍ଚାୟତର ଖଳି ସାହିରେ ରୁହନ୍ତି ଲୋମସକନ୍ୟା ରେବତୀ। ଦେହସାରା ଲୋମ, ମୁହଁ ଦେଖିଲେ ଅବାକ୍ ହୋଇଯିବେ। ଏକଦା ନିଜର ଚେହେରା ପାଇଁ ଜାତୀୟ ଗଣମାଧ୍ୟମର ବେଶ ଚର୍ଚ୍ଚାରେ ଥିଲେ। ହେଲେ ଏହି ଅଦ୍ଭୁତ ଚେହେରା ପାଇଁ ଲୋକେ କାମ ଦେବାକୁ ନାରାଜ। ତେଣୁ ବାଧ୍ୟ ହୋଇ ଗାଁ ଯାକର ଗାଈ ଚରାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ରେବତୀ। ସେପଟେ ରହିବାକୁ ଘର ଖଣ୍ଡିଏ ନଥିବାରୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ କେହି ଗୁହାରୀ ନଶୁଣିବାରୁ ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆରେ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସେପଟେ ଚିକିତ୍ସା ସୁବିଧା ନଥିବାରୁ ମୁହଁରେ ମାଂସ ବଢିବାରେ ଲାଗିଛି।
୬ ବର୍ଷ ତଳେ ଜାତୀୟ ଗଣମାଧ୍ୟମରେ ରେବତୀଙ୍କ ଖବର ପ୍ରକାଶ ପାଇଥିଲା। ସେତେବେଳେ ଜିଲ୍ଲା ପ୍ରଶାସନ ତାଙ୍କୁ ଚିକିତ୍ସା ପାଇଁ ହାତ ବଢାଇଥିଲା। କାହିଁକି ଦେହସାରା ଲୋମ ହେଉଛି ସ୍ଵାସ୍ଥ୍ୟ ବିଭାଗ ତାର କାରଣ ଖୋଜିଥିଲା। ରାଜ୍ୟ ସରକାର ସହାଯ୍ୟର ହାତ ବଢ଼ାଇବା ପରେ ଚିକିତ୍ସା ପାଇଁ ରେବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ରୋବତୀଙ୍କ ରୋଗ ଚିକିତ୍ସା ବିଜ୍ଞାନର ବିରଳତମ ବୋଲି ଡାକ୍ତର ଚିହ୍ନଟ କରିଥିଲେ। ଡାକ୍ତରୀ ଭାଷାରେ ସେ ଆଇଡିଓପେଥିକ୍ ଜିଞ୍ଜାଇଭାଲ ଏନଲାର୍ଜମେଣ୍ଟ(ମାଢ଼ି ବୃଦ୍ଧି) ଓ ହାଇପର୍ଟ୍ରାଇକୋସିସ୍(ଅସ୍ବାଭାବିକ ଲୋମ ବୃଦ୍ଧି) ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିଲା। କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ରେବତୀଙ୍କ ଚିକିତ୍ସାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲେ। ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ଡାକ୍ତରଖାନା ବହନ କରିବା ନିଷ୍ପତ୍ତି ହୋଇଥିଲା।
ବେଶ କିଛି ଅସ୍ତ୍ରୋପଚାର ପରେ ରେବତୀଙ୍କ ଚେହେରା ସାଧାରଣ ଝିଅ ଭଳି ହେବ ଓ ଲେଜର୍ ଚିକିତ୍ସା ଦ୍ବାରା ଅବାଞ୍ଛିତ ଲୋମ ବୃଦ୍ଧି ବନ୍ଦ ହେବ ବୋଲି ଚିକିତ୍ସା କରୁଥିବା ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ କିଛି ଦିନ ନିଜ ହେପାଜତରେ ରଖି ଚିକିତ୍ସା କରିବା ପରେ ତାଙ୍କୁ ଛାଡିଥିଲା ସ୍ୱାସ୍ଥ୍ୟ ବିଭାଗ । ଏବେ ଆଦିବାସୀ ଲୋମସ କନ୍ୟା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଘର ଖଣ୍ଡେ ପାଇଁ ବାର ଦୁଆର ହେବାକୁ ପଡୁଛି । ଘର ଖଣ୍ଡେ ମିଳିଲେ ରେବତୀ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ରେବତୀଙ୍କ ପ୍ରସଙ୍ଗରେ ପ୍ରଶାସନ ମୁହଁ ଖୋଲିବାକୁ ମନା କରିଦେଇଛି। ଏ ବାବଦରେ ହରଭଙ୍ଗା ବିଡିଓ ଶରତ କୁମାର ସେଠି କହିଛନ୍ତି ରେବତୀଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯାଇଛି। ଜନ ସାଧାରଣ ପକ୍ଷରୁ ରେବତୀଙ୍କୁ ରାଜ୍ୟ ସରକାର ପୁନର୍ବାର ଚିକିତ୍ସା ସେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ୲