ଲଣ୍ଡନ, ୧୦।୭: ସୁନା କିମ୍ବା ହୀରା ଗହଣା ଚୋରି କରିବା ପାଇଁ ଚୋରମାନେ ସାଧାରଣତଃ ପକେଟ୍ କିମ୍ବା କପଡ଼ାର ବ୍ୟବହାର କରିବା କଥା ଆପଣ ଶୁଣିଥିବେ । କିନ୍ତୁ, ବର୍ତ୍ତମାନ ଲଣ୍ଡନରୁ ଏଭଳି ଏକ ଚୋରି ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ଗ୍ରାହକ ସାଜି ଆସିଥିବା ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କାର ହୀରା ମୁଦି ଚୋରି କରିବା ପାଇଁ ତାକୁ ପକେଟରେ ରଖିବା ବଦଳରେ ସିଧା ଗିଳି ଦେଇଛି । ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ୍ ହେବା ପରେ ଏବେ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଲଣ୍ଡନର ପ୍ରସିଦ୍ଧ 'ହାଟନ ଗାର୍ଡେନ' ଅଞ୍ଚଳରେ ଥିବା ଏକ ଜୁଏଲାରୀ ଶୋ’ ରୁମ୍ ରେ ଘଟିଛି । ଜଣେ ବ୍ୟକ୍ତି ଗ୍ରାହକ ବେଶରେ ଦୋକାନକୁ ଆସି ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ଡିଜାଇନର ହୀରା ମୁଦି ଦେଖୁଥିଲା । ପ୍ରକୃତରେ ତାର ନଜର ଏକ ଦାମୀ ହୀରା ମୁଦି ଉପରେ ଥିଲା ।
ଏହା ବି ପଢ଼ନ୍ତୁ... ୩୦୦ ତାରକା ହୋଟେଲକୁ ଚୂନ ଲଗାଇଥିଲେ ୬୯ ବର୍ଷୀୟ ବୃଦ୍ଧ, ଏବେ ଜେଲ୍ ରୁଟି ଖାଇବ ଠକ ବିଙ୍ଗସନ୍ ଜନ୍
କିଛି ସମୟ ପରେ ଦୋକାନରେ ରଖାଯାଇଥିବା ପ୍ରାୟ ୩୫ ହଜାର ପାଉଣ୍ଡ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଡାଇମଣ୍ଡ ଏଙ୍ଗେଜମେଣ୍ଟ ରିଙ୍ଗ୍ ଗାଏବ ହୋଇଯାଇଥିଲା । ଏହି ମୁଦିରେ ଏକ ବଡ଼ 'ପ୍ରିନ୍ସେସ୍ କଟ୍' ହୀରା ଲାଗିଥିବା ବେଳେ ପ୍ଲାଟିନମ୍ ବ୍ୟାଣ୍ଡରେ ଛୋଟ ଛୋଟ ହୀରା ଖଞ୍ଜା ଯାଇଥିଲା । ଦୋକାନ ମାଲିକ ତୁରନ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଭିଡିଓ ଦେଖିବା ପରେ ସେଠାରେ ଉପସ୍ଥିତ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା । ସିସିଟିଭିରେ ସ୍ପଷ୍ଟ ଦେଖାଯାଉଥିଲା ଯେ, ସୁଯୋଗ ଦେଖି ବ୍ୟକ୍ତିଜଣକ ଅତି ଚତୁରତାର ସହ ମୁଦିଟିକୁ ନିଜ ପାଟିରେ ପୂରାଇ ଦେଉଛି ଏବଂ ମାତ୍ର କେଇ ସେକେଣ୍ଡ ମଧ୍ୟରେ ତାକୁ ଗିଳି ଦେଉଛି । ଏହାପରେ ସେ ଏମିତି ଅଭିନୟ କରୁଥିଲା ଯେମିତି ସେ କିଛି ଜାଣିନାହିଁ ।
ସିସିଟିଭି ପ୍ରମାଣ ସାମ୍ନାକୁ ଆସିବା ପରେ ଚୋରର ସବୁ ଚାଲାକି ଧରାପଡ଼ିଯାଇଥିଲା । ସେଠାରୁ ଖସିଯିବାର କୌଣସି ଉପାୟ ନପାଇ ଶେଷରେ ଅଭିଯୁକ୍ତ ଜଣକ ନିଜ ପାଟିରେ ଆଙ୍ଗୁଠି ପୂରାଇ ବାନ୍ତି କରିବାକୁ ବାଧ୍ୟ ହୋଇଥିଲା । କିଛି ସମୟ ପରେ ତାର ପେଟ ଭିତରୁ ସେହି ୪୦ ଲକ୍ଷ ଟଙ୍କାର ହୀରା ମୁଦି ବାହାରକୁ ଆସିଥିଲା । ଦୋକାନୀ ମୁଦିଟିକୁ ଫେରି ପାଇବା ପରେ ସେଠାରେ ଥିବା ସୁରକ୍ଷା କର୍ମୀମାନେ ଅଭିଯୁକ୍ତକୁ କାବୁ କରି ପୁଲିସକୁ ସୂଚନା ଦେଇଥିଲେ ।