ନୂଆଦିଲ୍ଲୀ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାର ପଞ୍ଜାଗୁଟ୍ଟା ଥାନା ପୁଲିସ ୟୁଟ୍ୟୁବର ଅନ୍ୱେଶଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି। କୁହାଯାଉଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ହିନ୍ଦୁ ଦେବୀ-ଦେବତାଙ୍କ ବିରୋଧରେ ଅଶୋଭନୀୟ ଓ ଅପମାନଜନକ ଟିପ୍ପଣୀ କରିଥିବାର ଅଭିଯୋଗ ଆଧାରରେ ନିଆଯାଇଛି। ଅଭିନେତ୍ରୀ ତଥା ବିଜେପି ନେତା କରାଟେ କଲ୍ୟାଣୀଙ୍କ ଅଭିଯୋଗରେ ଗତ ବର୍ଷ ଡିସେମ୍ୱରରେ ମାମଲା ରୁଜୁ କରାଯାଇ ଥିଲା। ଅଭିଯୋଗ ଯେ, ଅନ୍ୱେଶ ହିନ୍ଦୁ ସମାଜ, ଧାର୍ମିକ ମାନ୍ୟତା , ପୂଜନୀୟ ଦେବୀ-ଦେବତା , ସଂସ୍କୃତି ଓ ପରମ୍ପରାକୁ ବାରମ୍ୱାର ଅପମାନିତ କରୁଥିବା ଉତ୍ତେଜିତ ବୟାନ ଦେଇଥିଲେ, ଯାହାର ଉଦ୍ଦେଶ୍ୟ ସାଂପ୍ରଦାୟିକ ଘୃଣା ପ୍ରସାର କରିବା ଓ ହିଂସାତ୍ମକ ବାତାବରଣ ସୃଷ୍ଟି କରିବା ଥିଲା।

ପୁଲିସ ଗୁରୁବାର କହିଛି ଯେ, ୟୁଟ୍ୟୁବର ଅନ୍ୱେଶଙ୍କ ବିରୋଧରେ ହିନ୍ଦୁ ଦେବୀ –ଦେବତାଙ୍କ ବିଷୟରେ ଅଭିଯୋଗ ମୁତାବିକ , ଆପତ୍ତିଜନକ ମନ୍ତବ୍ୟ ଦେବା ମମଲାରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି। ପୁଲିସର କହିବାନୁସାରେ , ଡିସେମ୍ୱର ୨୦୨୫ରେ ଅଭିନେତ୍ରୀ ତଥା ବିଜେପି ନେତା କରାଟେ କଲ୍ୟାଣୀଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଥିଲା।

କୁହାଯାଉଛି ଯେ , ଏହି ବିବାଦ ଏକ ଭିଡ଼ିଓରୁ ଆରମ୍ଭ ହୋଇ ଥିଲା। ଭିଡ଼ିଓରେ ଅନ୍ୱେଶ ଅଭିନେତ୍ରୀଙ୍କ ପୋଷାକକୁ ନେଇ ତେଲୁଗୁ ଅଭିନେତା ଶିବାଜୀଙ୍କ ସମାଲୋଚନା କରିଥିଲେ। କୁହାଯାଏ , ଭିଡ଼ିଓରେ ମାତା ସୀତା ଓ ଦ୍ରୌପଦୀଙ୍କୁ ନେଇ ମଧ୍ୟ ମନ୍ତବ୍ୟ କରାଯାଇ ଥିଲା। ଏହାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଏହାପରେ କରାଟେ କଲ୍ୟାଣୀ ମାମଲା ରୁଜୁ କରାଇ ଥିଲେ । ଅନ୍ୟପଟେ , ପଞ୍ଜାଗୁଟ୍ଟା ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଥିଲେ ଯେ, ଅନ୍ୱେଶ ବର୍ତ୍ତମାନ ଭାରତ ବାହାରେ , ଏଥିପାଇଁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଛି।

ଏହାସହ ମଧ୍ୟ ପଢନ୍ତୁ : ପାକିସ୍ତାନର ନ୍ୟୁକ୍ଲିୟର ଧମକକୁ ଖାତିର କରିବନି ଭାରତ , ଏବେ ଜବାବ ଆହୁରି ସାଂଘାତିକ ହେବ : ଲେଫ୍ଟଲାଣ୍ଟ ଜେନେରାଲଙ୍କ ଚେତାବନୀ