ବାସୁଦେବପୁର, ୫/୯ : ଦୋକାନ ଘର ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି। ଭଦ୍ରକ ଜିଲ୍ଲା ବାସୁଦେବପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ରାଧାକୃଷ୍ଣ ମୋବାଇଲ୍ ଦୋକାନରୁ ଲୁଟ୍ ହୋଇଛି । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନାନୁଯାୟୀ, ଗୁରୁବାର ରାତିରେ ରାଧାକୃଷ୍ଣ ମୋବାଇଲ ଦୋକାନର ମାଲିକ ଦିବ୍ୟ ପଣ୍ଡା ଦୋକାନ ବନ୍ଦ କରି ଚାଲିଯାଇଥିଲେ। ଆଜି ସକାଳେ ପାଖ ଦୋକାନୀ ଉକ୍ତ ଦୋକାନର ସଟର ଭଙ୍ଗା ହୋଇଥିବା ଦେଖି ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ଦିବ୍ୟ ପଣ୍ଡା ଦୋକାନରେ ପହଞ୍ଚି ଲୁଟ୍ ହୋଇଥିବା ଜାଣି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ସହ ନଗଦ ୬୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ଚୋରମାନେ ପ୍ରଥମେ ସିସିଟିଭି କ୍ୟାମେରାକୁ ଭାଙ୍ଗି ତାପରେ ଚୋରି କରିଛନ୍ତି। ଚୋରମାନଙ୍କୁ ଧରିବାକୁ ପୁଲିସ ଛାନଭିନ୍ ଚଳାଇଛି।