ଭୁବନେଶ୍ୱର,୨୨।୦୪: ରାଜଧାନୀର ସବୁଠୁ ପୁରୁଣା ବିଏମ୍‌ସି ହସ୍ପିଟାଲ ଅବହେଳାର ଶିକାର । କେଉଁଠି ଫିଜିଓଥେରାପି ମେସିନ୍‌ ଅଚଳ ହୋଇପଡ଼ିଛି, ତେ କେଉଁଠି ଏସି ଭାଙ୍ଗିଗଲାଣି । ଏପର୍ଯ୍ୟନ୍ତ ହସ୍ପିଟାଲରେ ଡାକ୍ତର ପଦବି ପୂରଣ ହୋଇପାରିଲାନି । ଏବେ ନ୍ୟୁରୋଲୋଜି ଡାକ୍ତର ପଳାଇବେ । ଫଳରେ ନ୍ୟୁରୋଲୋଜି ସେବା ବନ୍ଦ ହେବା ଆଶଙ୍କା ଦେଖାଦେଇଛି । ଡାକ୍ତର ନଥିବାରୁ ରୋଗୀମାନେ ଫେରୁଛନ୍ତି । ହସ୍ପିଟାଲରେ ୩ଟି ଫିଜିଓଥେରାପି ମେସିନ୍‌ ରହିଛି । ତନ୍ମଧ୍ୟରୁ ଗୋଟିଏ ମେସିନ୍‌ ବନ୍ଦ, ଦୁଇଟି ଅଚଳ ହୋଇଯାଇଛି । ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଣ୍ଠୁଗଣ୍ଠି ଜନିତ ରୋଗୀ । ଯେଉଁମାନଙ୍କୁ ଫିଜିଓଥେରାପି ନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ହେଲେ ଏବେ ହସ୍ପିଟାଲରେ ମେସିନ୍‌ ଅଚଳ ଥିବାରୁ ସେମାନଙ୍କୁ ବାହାର ଘରୋଇ ସଂସ୍ଥା ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି ।

ବର୍ତ୍ତମାନ ହସ୍ପିଟାଲରେ ସବୁଠୁ ବଡ଼ ସମସ୍ୟା ହେଉଛନ୍ତି ଡାକ୍ତର । ଏହି ହସ୍ପିଟାଲ ଉପରେ ପୁରୁଣା ଭୁବନେଶ୍ୱର ସମେତ ପୋଖରୀପୁଟ, କାର୍ଗିଲ ବସ୍ତି, ଆଜାଦନଗର, ଏବରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳବାସୀ ନିର୍ଭର କରୁଛନ୍ତି । ଜ୍ୱର ଝାଡ଼ାଠୁ ନେଇ ଆଣ୍ଠୁଗଣ୍ଠି, ହୃଦରୋଗ, ରକ୍ତହୀନତା, ଚର୍ମ, କାନ, ନାକ, ଗଳା ଭଳି ୫୦୦ ରୋଗୀ ଦୈନିକ ଆସୁଛନ୍ତି । ହେଲେ ଏଠାରେ ୪୧ଟି ଡାକ୍ତର ପଦବିରୁ ମାତ୍ର ୯ଜଣ ସ୍ଥାୟୀ ଡାକ୍ତର ଅଛନ୍ତି । ଏମାନଙ୍କୁ ଛାଡ଼ି ଦେଲେ ୪ଜଣ ଚୁକ୍ତିଭିତ୍ତିକ ଓ ୨ଜଣଙ୍କୁ ଅନ୍ୟ ହସ୍ପିଟାଲରୁ ଅଣାଯାଇ ଏଠାରେ ନିୟୋଜିତ କରାଯାଇଛି । ସେମାନେ କୌଣସି ସମୟରେ ହସ୍ପିଟାଲ ଛାଡ଼ି ଦେବେ । ଏମାନଙ୍କ ବ୍ୟତୀତ ବର୍ତ୍ତମାନ ଏଠାରେ ଯେଉଁ ନ୍ୟୁରୋଲୋଜିଷ୍ଟ ଅଛନ୍ତି, ସେ ଖୁବଶୀଘ୍ର ଅନ୍ୟତ୍ର ବଦଳି ହେବେ । ଆଉ ନ୍ୟୁରୋଲୋଜି ସେବା ମିଳିବନି । କେବଳ ସେତିକି ନୁହେଁ, ହସ୍ପିଟାଲରେ ଏଣିକି ସପ୍ତାହକୁ ଦୁଇଦିନ ବଦଳରେ ଦିନେ ଅର୍ଥୋପେଡିକ୍‌ ଡାକ୍ତର ଆସିବେ । ଆଗକୁ ସମସ୍ୟା ସୃଷ୍ଟି ହେବ ।

ଅପରପକ୍ଷେ, ମେଡିସିନ୍‌ ୱାର୍ଡରେ ଥିବା ଏସିଗୁଡ଼ିକ ଖରାପ ସ୍ଥିତିରେ ରହିଛି । କିଛି ଏସି କାମ କରୁନି । ହସ୍ପିଟାଲରେ ଖୁବଶୀଘ୍ର ଇକୋ ସୁବିଧା ମିଳିବି ଓ କାର୍ଡିଓଲୋଜି ଡାକ୍ତରଙ୍କ ସଂଖ୍ୟା ବଢ଼ିବ । ହୃଦରୋଗ ଜନିତ ଚିକିତ୍ସାକୁ ସୁଦୃଢ଼ କରାଯିବ ବୋଲି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ୍‌ ଏସ୍‌ ରାୟ କହିଛନ୍ତି । ହୃଦରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ନଜରରେ ରଖି ଆଉ ଜଣେ କାର୍ଡିଓଲୋଜି ଡାକ୍ତରଙ୍କୁ ଆଣିବୁ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ସୋମବାର ଓ ବୁଧବାର ଏହି ସେବା ମିଳିବ । ସେହିପରି ଇକୋ ମେସିନ୍‌ ମଧ୍ୟ ଖୁବଶୀଘ୍ର ଆସିବ । ଫିଜିଓଥେରାପି ମେସିନ୍‌ ଯଥାସମ୍ଭବ କାର୍ଯ୍ୟକ୍ଷମ ହେବ । ପୂର୍ବଭଳି ଏଠାରେ ଫିଜିଓଥେରାପି ସେବା ମିଳିବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ- ପର୍ଯ୍ୟଟନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୧୦ଟି ନୂଆ ରୁଟ୍ ପାଇଁ ସୃଷ୍ଟି ହେବ 'ଆଧ୍ୟାତ୍ମିକ କରିଡର'​​​​​​​