ପୁରୀ,୧୩/୦୭: ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇଛନ୍ତି । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ଓ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ । ଥାକ ଥାକ ହୋଇ ବନ୍ଧାପଡ଼ିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । କୌଣସି ଡେକୋରେଟରଙ୍କ ଗୋଦାମଘର ନୁହେଁ, ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥବଲ୍ଲଭରେ । ବହୁତଳ ଗାଡ଼ି ପାର୍କିଂରେ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ଦେବଦେବୀଙ୍କୁ ଏଭଳି ସ୍ଥିତିରେ ରଖିଛି । ପଡ଼ି ପଡ଼ି ଖତ ଖାଉଛି ମହାପ୍ରଭୁଙ୍କ ୨୫ ବେଶ ସାମଗ୍ରୀ । ଲୋକଙ୍କ କଷ୍ଟ ଲବ୍ଧ ଧନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସରକାର ଏସବୁ ତିଆରି ଅଲୋଡ଼ା କରି ପାଣିରେ ପକାଇଦେଲେ । ଜଗନ୍ନାଥ ପ୍ରେମୀ ଠାକୁରଙ୍କ ଏଭଳି ସ୍ଥିତି ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
୨୦୨୪ ମସିହା ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମୟରେ ସରକାରଙ୍କ ପକ୍ଷରୁ ଭବ୍ୟ ପ୍ରସ୍ତୁତି ହୋଇଥିଲା । ଜଗନ୍ନାଥ ବଲ୍ଲଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଠାକୁରଙ୍କ ନିକଟରେ ମହାଲକ୍ଷ୍ମୀ ଓ ସରସ୍ୱତୀ ଅଧିଷ୍ଠିତ ହୋଇଥିଲେ । ଅବକାଶ ବେଶ ଠାରୁ ବଡ଼ସିଂହାର ବେଶ ତଥା ୧୨ ମାସରେ ଶ୍ରୀବିଗ୍ରହଙ୍କ ଯେତେ ବେଶ ରହିଛି ସବୁକୁ ଖୋଦ୍ ପ୍ରଶାସନ ପ୍ରସ୍ତୁତ କରିଥିଲା । ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଭଳି ଦୁଇଟି ବିଶାଳ ସିଂହ ଶୋଭା ପାଉଥିଲେ । ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତ୍ୟକୃତ୍ୟ ହେଉଥିଲେ । ଶ୍ରୀମନ୍ଦିରକୁ ଯାଇ ପାରୁ ନଥିବା ଭକ୍ତମାନେ ମଧ୍ୟ ଜଗନ୍ନାଥ ବଲ୍ଲଭକୁ ଆସି ଠାକୁରଙ୍କ ଆଭୂଷଣ ଦେଖି ଧନ୍ୟ ହୋଇ ଯାଉଥିଲେ । ବେଶ୍ କିଛି ଦିନ ଜଗନ୍ନାଥ ପ୍ରେମୀଙ୍କୁ ପ୍ରଶାସନ ପକ୍ଷରୁ ଏଭଳି ସୁଯୋଗ ଯୋଗାଗଲା । ପରେ ସରକାର ବଦଳିଲେ । ସ୍ଥିତି ବଦଳିଗଲା । ଏପରିକି ଠାକୁରମାନଙ୍କୁ ମଧ୍ୟ ଅଲୋଡ଼ା କରି ଛାଡ଼ି ଦିଆଗଲା । ବେଶ ସାମଗ୍ରୀ ମଧ୍ୟ ନଷ୍ଟ ହେଉଛି ।
ସ୍ଥାନୀୟ ବାସିନ୍ଦା ପ୍ରଦ୍ୟୁମ୍ନ କୁମାର କୁହନ୍ତି ଠାକୁରଙ୍କ ବେଶ ପ୍ରଦର୍ଶନୀ ବେଶ ସୁନ୍ଦର ଥିଲା । ୨୫ଟି ରତ୍ନମଣ୍ଡପ ତିଆରି ହୋଇ ୨୫ ସେଟ୍ ଚତୁର୍ଦ୍ଧାମୂର୍ତ୍ତି ଅଧିଷ୍ଠିତ ହୋଇଥିଲେ । କେଉଁ ତିଥିରେ ଠାକୁରଙ୍କ କେଉଁ ବେଶ ହୁଏ ଉଲ୍ଲେଖ ଥିଲା । ପ୍ରତି ବେଶ ଷ୍ଟଲ ଉପରେ ନୂତନ ଚାନ୍ଦୁଆ ଲାଗିଥିଲା । ଠାକୁରଙ୍କ ଟାହିଆ ଓ ଭଳିକି ଭଳି ପୁଷ୍ପଅଳଙ୍କାର ଶୋଭା ପାଉଥିଲେ । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ଯାତ୍ରୀ ବେଶ ପ୍ରଦର୍ଶନୀ ଦେଖି ଅତ୍ୟନ୍ତ ଆନନ୍ଦିତ ହେଉଥିଲେ । ପ୍ରଦର୍ଶନୀ ତ ବନ୍ଦ ହେଲା... ଠାକୁରଙ୍କୁ ମଧ୍ୟ ହୀନିମାନ କରି ଗୋଦାମ ରଦି ଭାବି ପକାଇ ଦିଆଗଲା । ଶାସକ ଦଳ ବଦଳିଲେ ମଧ୍ୟ ଜନସାଧାରଣଙ୍କ ପାଇଁ ଶାସନ କଳ ଏକ । ଗଣଧନ ଖର୍ଚ୍ଚ କରି ତାହାର ଉପଯୋଗିତା ପାଇଁ ସରକାର ଲୋକଙ୍କ ପାଖରେ ଦାୟୀ ରହିବା କଥା । କଟକରୁ ଆସିଥିବା ସୌମେନ୍ଦ୍ର ସାହୁ ଓ ଭଦ୍ରକର ମହେନ୍ଦ୍ର ପୃଷ୍ଟି କୁହନ୍ତି ପ୍ରଦର୍ଶନୀ ହେଲେ ମଧ୍ୟ ଆମ ଇଷ୍ଟ ଠାକୁର । ଆମେ ଠାକୁରଙ୍କୁ ପୂଜା କରୁ ନଚେତ୍ ବିଘ୍ନ ହୋଇଗଲେ ବିସର୍ଜନ କରିଥାଉ । ଜଗନ୍ନାଥ ଧାମରେ ସର୍ବ ସମ୍ମୁଖରେ ପୁଣି ଗାଡ଼ି ପାର୍କିଂ ସ୍ଥାନରେ ଠାକୁରଙ୍କୁ ହତାଦାର କରି ପକାଇବା ନିହାତି ଅଶୋଭନୀୟ । ଜଗନ୍ନାଥ ଧାମକୁ ଆସୁଥିବା ଅଣଓଡ଼ିଆ ଭକ୍ତ ଠାକୁରଙ୍କୁ ଏଭଳି ଅବସ୍ଥାରେ ଦେଖିଲେ ନାକ ଟେକିବେ । ପ୍ରଶାସନ ଆମ ଠାକୁରଙ୍କୁ ଉପଯୁକ୍ତ ଯତ୍ନ ସହକାରେ ରଖିବାକୁ ଆମେ ଜଗନ୍ନାଥ ପ୍ରେମୀ ଗଣମାଧ୍ୟମ ଜରିଆରେ ଦାବି କରୁଛୁ ।