ପୁରୀ,୧୩/୦୭: ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇଛନ୍ତି । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ଓ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ ।  ଥାକ ଥାକ ହୋଇ ବନ୍ଧାପଡ଼ିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । କୌଣସି ଡେକୋରେଟରଙ୍କ ଗୋଦାମଘର ନୁହେଁ, ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥବଲ୍ଲଭରେ । ବହୁତଳ ଗାଡ଼ି ପାର୍କିଂରେ ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ ଦେବଦେବୀଙ୍କୁ ଏଭଳି ସ୍ଥିତିରେ ରଖିଛି ।  ପଡ଼ି ପଡ଼ି ଖତ ଖାଉଛି ମହାପ୍ରଭୁଙ୍କ ୨୫ ବେଶ  ସାମଗ୍ରୀ । ଲୋକଙ୍କ କଷ୍ଟ ଲବ୍ଧ ଧନରୁ ଲକ୍ଷ ଲକ୍ଷ  ଟଙ୍କା ଖର୍ଚ୍ଚରେ ସରକାର ଏସବୁ ତିଆରି ଅଲୋଡ଼ା  କରି ପାଣିରେ ପକାଇଦେଲେ । ଜଗନ୍ନାଥ ପ୍ରେମୀ  ଠାକୁରଙ୍କ ଏଭଳି ସ୍ଥିତି ଦେଖି ତୀବ୍ର ଅସନ୍ତୋଷ  ବ୍ୟକ୍ତ କରିଛନ୍ତି ।  

୨୦୨୪ ମସିହା ଆରମ୍ଭରେ ଶ୍ରୀମନ୍ଦିର  ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସମୟରେ  ସରକାରଙ୍କ ପକ୍ଷରୁ ଭବ୍ୟ ପ୍ରସ୍ତୁତି ହୋଇଥିଲା ।  ଜଗନ୍ନାଥ ବଲ୍ଲଭ ପରିସରରେ ଶୀତତାପ ନିୟନ୍ତ୍ରିତ  କୋଠରିରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ  ପ୍ରଦର୍ଶିତ ହୋଇଥିଲା । ଠାକୁରଙ୍କ ନିକଟରେ  ମହାଲକ୍ଷ୍ମୀ ଓ ସରସ୍ୱତୀ ଅଧିଷ୍ଠିତ ହୋଇଥିଲେ ।  ଅବକାଶ ବେଶ ଠାରୁ ବଡ଼ସିଂହାର ବେଶ ତଥା  ୧୨ ମାସରେ ଶ୍ରୀବିଗ୍ରହଙ୍କ ଯେତେ ବେଶ ରହିଛି  ସବୁକୁ ଖୋଦ୍‌ ପ୍ରଶାସନ ପ୍ରସ୍ତୁତ କରିଥିଲା ।  ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ  ମଧ୍ୟ ସେଥିରେ ସ୍ଥାନ ପାଇଥିଲା । ଶ୍ରୀମନ୍ଦିର  ସିଂହଦ୍ୱାର ଭଳି ଦୁଇଟି ବିଶାଳ ସିଂହ ଶୋଭା  ପାଉଥିଲେ । ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ  ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ  ଦେଖି କୃତ୍ୟକୃତ୍ୟ ହେଉଥିଲେ । ଶ୍ରୀମନ୍ଦିରକୁ ଯାଇ  ପାରୁ ନଥିବା ଭକ୍ତମାନେ ମଧ୍ୟ ଜଗନ୍ନାଥ ବଲ୍ଲଭକୁ  ଆସି ଠାକୁରଙ୍କ ଆଭୂଷଣ ଦେଖି ଧନ୍ୟ ହୋଇ  ଯାଉଥିଲେ । ବେଶ୍‌ କିଛି ଦିନ ଜଗନ୍ନାଥ ପ୍ରେମୀଙ୍କୁ  ପ୍ରଶାସନ ପକ୍ଷରୁ ଏଭଳି ସୁଯୋଗ ଯୋଗାଗଲା ।  ପରେ ସରକାର ବଦଳିଲେ । ସ୍ଥିତି ବଦଳିଗଲା ।  ଏପରିକି ଠାକୁରମାନଙ୍କୁ ମଧ୍ୟ ଅଲୋଡ଼ା କରି ଛାଡ଼ି  ଦିଆଗଲା । ବେଶ ସାମଗ୍ରୀ ମଧ୍ୟ ନଷ୍ଟ ହେଉଛି ।  

ସ୍ଥାନୀୟ ବାସିନ୍ଦା ପ୍ରଦ୍ୟୁମ୍ନ କୁମାର କୁହନ୍ତି  ଠାକୁରଙ୍କ ବେଶ ପ୍ରଦର୍ଶନୀ ବେଶ ସୁନ୍ଦର ଥିଲା ।  ୨୫ଟି ରତ୍ନମଣ୍ଡପ ତିଆରି ହୋଇ ୨୫ ସେଟ୍‌  ଚତୁର୍ଦ୍ଧାମୂର୍ତ୍ତି ଅଧିଷ୍ଠିତ ହୋଇଥିଲେ । କେଉଁ  ତିଥିରେ ଠାକୁରଙ୍କ କେଉଁ ବେଶ ହୁଏ ଉଲ୍ଲେଖ  ଥିଲା । ପ୍ରତି ବେଶ ଷ୍ଟଲ ଉପରେ ନୂତନ ଚାନ୍ଦୁଆ  ଲାଗିଥିଲା । ଠାକୁରଙ୍କ ଟାହିଆ ଓ ଭଳିକି ଭଳି  ପୁଷ୍ପଅଳଙ୍କାର ଶୋଭା ପାଉଥିଲେ । ପରିକ୍ରମା  ପ୍ରକଳ୍ପ ଦେଖିବାକୁ ଆସୁଥିବା ଯାତ୍ରୀ ବେଶ ପ୍ରଦର୍ଶନୀ  ଦେଖି ଅତ୍ୟନ୍ତ ଆନନ୍ଦିତ ହେଉଥିଲେ । ପ୍ରଦର୍ଶନୀ  ତ ବନ୍ଦ ହେଲା... ଠାକୁରଙ୍କୁ ମଧ୍ୟ ହୀନିମାନ କରି  ଗୋଦାମ ରଦି ଭାବି ପକାଇ ଦିଆଗଲା । ଶାସକ  ଦଳ ବଦଳିଲେ ମଧ୍ୟ ଜନସାଧାରଣଙ୍କ ପାଇଁ  ଶାସନ କଳ ଏକ । ଗଣଧନ ଖର୍ଚ୍ଚ କରି ତାହାର  ଉପଯୋଗିତା ପାଇଁ ସରକାର ଲୋକଙ୍କ ପାଖରେ  ଦାୟୀ ରହିବା କଥା । କଟକରୁ ଆସିଥିବା ସୌମେନ୍ଦ୍ର  ସାହୁ ଓ ଭଦ୍ରକର ମହେନ୍ଦ୍ର ପୃଷ୍ଟି କୁହନ୍ତି ପ୍ରଦର୍ଶନୀ  ହେଲେ ମଧ୍ୟ ଆମ ଇଷ୍ଟ ଠାକୁର । ଆମେ ଠାକୁରଙ୍କୁ  ପୂଜା କରୁ ନଚେତ୍‌ ବିଘ୍ନ ହୋଇଗଲେ ବିସର୍ଜନ  କରିଥାଉ । ଜଗନ୍ନାଥ ଧାମରେ ସର୍ବ ସମ୍ମୁଖରେ  ପୁଣି ଗାଡ଼ି ପାର୍କିଂ ସ୍ଥାନରେ ଠାକୁରଙ୍କୁ ହତାଦାର  କରି ପକାଇବା ନିହାତି ଅଶୋଭନୀୟ । ଜଗନ୍ନାଥ  ଧାମକୁ ଆସୁଥିବା ଅଣଓଡ଼ିଆ ଭକ୍ତ ଠାକୁରଙ୍କୁ  ଏଭଳି ଅବସ୍ଥାରେ ଦେଖିଲେ ନାକ ଟେକିବେ ।  ପ୍ରଶାସନ ଆମ ଠାକୁରଙ୍କୁ ଉପଯୁକ୍ତ ଯତ୍ନ ସହକାରେ  ରଖିବାକୁ ଆମେ ଜଗନ୍ନାଥ ପ୍ରେମୀ ଗଣମାଧ୍ୟମ  ଜରିଆରେ ଦାବି କରୁଛୁ ।