ପୁରୀ, ୨୯/୬: ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦି ଯାତ୍ରା ଲୀଳା । ଆଜି ଅପରାହ୍ନରେ ଠାକୁରଙ୍କ ପହଣ୍ଡି ଅନୁଷ୍ଠିତ ହେବ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିବେ। ସୋମବାର ବାହାରିବ ଆଡ଼ପ ଅବଢ଼ା। ଏନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଶୁକ୍ରବାର ଶ୍ରୀଗୁଣ୍ଡିଚାରେ ପହୁଡ଼ ହୋଇ  ନଥିବାରୁ ରାତି ତମାମ ଲକ୍ଷାଧିକ ଭକ୍ତ  ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିଥିଲେ ।  ଦୂରଦୁରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ବଡ଼ଦାଣ୍ଡରେ ରାତି ବିତାଇଥିଲେ । ଭାବ ବିନୋଦିଆ ଠାକୁରଙ୍କୁ ଛାଡ଼ି ଯିବାକୁ ଭକ୍ତଙ୍କ  ଇଚ୍ଛା ନଥିଲା । ସଂକୀର୍ତ୍ତନ ମଣ୍ଡଳୀଙ୍କ ପ୍ରଭୁ  ନାମରେ ବଡ଼ଦାଣ୍ଡ କମ୍ପୁଥିଲା । ଦୁଇ ଦିନ ଧରି  ରଥଟଣା ହେବାରେ ଅନେକ ଭକ୍ତ ରଥାରୂଢ଼  ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ । ଗୁଣ୍ଡିଚାଘର  ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିବା  ପରେ ଏବେ ଶରଧାବାଲିରେ ଲାଗିଛି ଭିଡ଼ ।  ରଥ ଛୁଇଁବାକୁ କଟକଣା ଥିବାରୁ ଅନେକ  ଭକ୍ତ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିଲେ ।  ନନ୍ଦିଘୋଷ ରଥ ପାଶ୍ୱର୍ରେ ଭକ୍ତଙ୍କ ଅସମ୍ଭାଳ  ଭିଡ଼ ରହୁଥିବା ପରିଲକ୍ଷିତ ହେଉଥିଲା । ଅନେକ ସମୟରେ ସେଠାରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । 

ଶନିବାର ସକାଳେ ରଥ ଟଣା ପାଇଁ  ତତ୍ପରତା ପ୍ରକାଶ ପାଇଥିଲା । ସକାଳ  ୭ଟା୧୦ରୁ ରଥରେ ମଙ୍ଗଳ ଆଳତି ଆରମ୍ଭ  ହୋଇଥିଲା । ଏହାପରେ ରଥାରୂଢ଼ ଠାକୁରଙ୍କ  ମଇଲମ, ତଡ଼ପଲାଗି ବଢ଼ି ଅବକାଶ ପୂଜା  ସମ୍ପନ୍ନ ହୋଇଥିଲା ୯ଟା୧୫ ମିନିଟ୍‌ରେ । ୯ଟା ୨୫ମିନିଟ୍‌ରେ ବେଶ ଶେଷ ହୋଇ ସାଢ଼େ  ୯ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ଦିନ ଗୋଟାଏ ସୁଦ୍ଧା  ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି  ରଥ ପହଞ୍ଚିବା ପରେ ଅପରାହ୍ନ ୪ଟା  ୩୫ମିନିଟ୍‌ରେ ରଥରେ ଗୋପାଳବଲ୍ଲଭ  ଭୋଗ ସରିଥିଲା । ସକାଳ ଧୂପ ସରିଲା  ୫ଟା୪୫ମିନିଟ୍‌ରେ । ତିନି ରଥରେ  ମଇଲମ ହୋଇ ମହାସ୍ନାନ ବଢ଼ିଲା  ବେଳକୁ ସାଢ଼େ ୬ଟା । ତିନି ରଥରେ  ଠାକୁରଙ୍କ ସର୍ବାଙ୍ଗ ବଢ଼ି ମଇଲମ ହୋଇ  ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ  ତିନି ରଥରେ ମଧ୍ୟାହ୍ନ ଧୂପ ବଢି ଅନ୍ୟାନ୍ୟ  ନୀତି ଆଗେଇଥିଲା । ଲକ୍ଷାଧିକ ଭକ୍ତ ତଳେ ଥାଇ ଠାକୁରଙ୍କ ଦର୍ଶନ  କରିଥିଲେ ।  ରବିବାର ଅପରାହ୍ଣରେ  ଠାକୁରେ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ବିଜେ  ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା  ମିଳିଛି।